Unknown

କାଲିର କବିତା

ଗିରିଜା କୁମାର ବଳୀୟାରସିଂହ

 

ଉତ୍ସର୍ଗ :

ସେଇସବୁ ସାଉଁଳାଦିନରେ

ମୋ ପିଲାଦିନକୁ ଖୋଲାଦିନ କରିଦେଇଥିବା

ଯୋଡ଼େ ଗାଁ, ଗୋଟେ ସହର -

ଯେଉଁ ଯୋଡ଼ିକ :

 

କେଜାଏ କାଳର

କୁଂଚୁକୁଂଚିଆ କିଂବଦଂତୀ ପରି

ଉଭା,

ଯେଉଁ ଗୋଟିକ :

 

ବେଜାଏ ବର୍ଷର

ଉଦୁଉଦିଆ ଇତିହାସ ପରି

ଉଜାଲା

...

Love is stranger than death, and death is stranger than life; it is sad that men devide amongst themselves.

– KAHLIL GIBRAN

କବିତା ଯଦି, କବି-ଜୀବନର ଆତ୍ମିକ-ଇତିହାସ ହୁଏ, ଏ ସବୁ କବିତା ତେବେ ମୋ ପାଇଁ ସେଇ ଇତିହାସର ପ୍ରାଚୀନ ପ୍ରସ୍ତରଯୁଗକୁ ଇ ଚିହ୍ନିତ କରିବ । ଏସବୁ କବିତାର ରଚନା କାଳ : ୧୯୬୮-୭୨ । ୧୯୭୨ ପୂର୍ବରୁ ରଚିତ ହୋଇଥିଲେ ମଧ୍ୟ ଅଳ୍ପ କେତୋଟି କବିତା ସପ୍ତମଦଶକୋତ୍ତର ବିଭିନ୍ନ ଓଡ଼ିଆ ପତ୍ରିକାରେ ପ୍ରକାଶିତ ।

 

ପାଂଡୁଲିପି ଅବସ୍ଥାରେ ନିଜ ଭାଗ୍ୟର ବିଡ଼ଂବନା ହେତୁ ଏକାଧିକ ବାର ପ୍ରେସ୍‌ଦର୍ଶନର ଦୁର୍ଯୋଗ ଘଟିଥିଲେ ମଧ୍ୟ ‘କାଲିର କବିତା’ ପ୍ରକାଶ ପାଇଲା ଆଜି । ନଚେତ୍‌ ୧୯୭୨ କି ୭୩ରେ ପ୍ରକାଶ ପାଇପାରିଥାଂତା । ୧୯୭୩ରେ ଏହାର ଅଧାଅଧି ତ ପ୍ରାୟ ଛପା ହୋଇସାରିଥିଲା, କିଂତୁ କୌଣସି ଅପ୍ରକାଶ୍ୟ କାରଣବଶତଃ ସେଇ ଅଧାରୁ ଇ ରହିଗଲା । ଏବେ ପୁନଶ୍ଚ ଛପା ହେବା ପରେ, ଦେଖୁଚି ଯେ ମୂଳ ପାଂଡୁଲିପିର କେତୋଟି କବିତା ଏଥିରୁ ବାଦ୍‌ ପଡ଼ିଯାଇଛଂତି । ସଂଭବ ହେଲେ, ସେଗୁଡ଼ିକୁ ଏହାର ଦ୍ୱିତୀୟ ସଂସ୍କରଣରେ ସଂଯୋଜିତ କରାଯାଇପାରେ ଭବିଷ୍ୟତରେ ।

 

‘କାଲିର କବିତା’ ସଂପର୍କରେ ଆଜି କିଛି ଲେଖିବାକୁ ଗଲେ, କିଛିଟା ଅପ୍ରତିଭ ହେବାକୁ ପଡ଼ୁଚି । କାରଣ ‘କାଲିର କବିତା’ର ଛଂଦ ଆଜି ଆଉ ନାହିଁ । ସେଦିନର ସେଇ ସ୍ପଂଦନ, ସେଇ ସ୍ୱପ୍ନ, ସ୍ପର୍ଶ-କାତରତା ଏବଂ ସରଳତା-ଚପଳତା ସହିତ ସେଦିନର ସବୁଜ ଭାବପ୍ରବଣତା ଓ କବିତାକୁ ନିଜ ମାୟାରେ ବାଂଧିରଖିବାର ସେଇ ଛଂଦୋମୟ ସାଂଗୀତିକତା ମଧ୍ୟ ଆଜି ଅଂତର୍ହିତ । ସେ ସ୍ୱପ୍ନ ନାହିଁ । ସେ ଛଂଦ ନାହିଁ । ସେ କବିତା ବି ଆଜି ନାହିଁ । ଏସବୁ କାଲିର ଉଚ୍ଚାରଣ କେବଳ-। ହୁଏତ ଆଜି ପାଇଁ ଏହା ଅବାଂଛନୀୟ ମନେହୋଇପାରେ; ସେଥିପାଇଁ ଲଜ୍ଜିତ ହେବାର କିଂତୁ କୌଣସି ଆବଶ୍ୟକତା ମଧ୍ୟ ନାହିଁ । କାରଣ ଆମର ଯୌବନ ଆଜି ସବସ୍ତ୍ର ହେଲେ ମଧ୍ୟ, ଆମର ଶୈଶବ ଥିଲା ନଗ୍ନ । ସେଦିନର ନିଷ୍ପାପ ନଗ୍ନତାକୁ ନେଇ ଆଜିର ଏ ମୂଲ୍ୟାୟନ ଏଣୁ ଏକ ବିଭ୍ରାଂତିକର ବିଚାରରେ ପର୍ଯବସିତ ହେବ ।

 

‘କାଲିର କବିତା’ର ପ୍ରଚ୍ଛଦପଟକୁ ନିଜ କାଳି ଓ ତୂଳୀର ଚୁଂବନରେ ଶିହରିତ କରିଥିବାରୁ ତରୁଣ କଳାକାର-ବଂଧୁ ଗୁଟୁ ମହାଂତି ମୋର ଧନ୍ୟବାଦାର୍ହ । ତାଂକୁ ମୁଁ ଗଭୀର କୃତଜ୍ଞତା ଜଣାଉଛି-। -

୧ ଜୁଲାଇ ୧୯୭୬

 

କା ଲି ର କ ବି ତା

୧୯୬୮-୭୬

The ass the king and I

Tomorrow we’ll die

The ass from hunger

The king from boredome

And I for love

 

– JACQUES PREVERT

 

ସୂଚୀପତ୍ର

ଶେଷକଥା

ଶେଷଦିନ

ମୃତ୍ୟୁର ମାଳାକାର

ମୃତ୍ୟୁ ସଂଗମ

ପୌଷର ଫୁଲମାଳା

ଦ୍ୱଂଦ୍ୱ

ପ୍ରତିଭା-ପୂଜା

ଜୀବନଦର୍ଶନ

ଶିଳ୍ପୀଗାଥା

୧୦

ଅଶ୍ରୁ

୧୧

ପରାଜୟ

୧୨

ଜୀବନବାଦୀର ସ୍ୱପ୍ନ

୧୩

ପଥ ଓ ପାଂଥ

୧୪

ଏ ଜନ୍ମର ଜୀବନୀ

୧୫

ଯିବାକୁ ପଡ଼ିବ

୧୬

ଶିଳ୍ପୀ

୧୭

ବଧୂ

୧୮

ନଟିନୀର ସ୍ୱପ୍ନ

୧୯

ବାଜପୁର

୨୦

ମାମୁଘର ଗାଁ

୨୧

ଗ୍ରାମାୟଣ

୨୨

ପ୍ରତିବଦଳ

୨୩

ନାନାବାୟାଣୀ

୨୪

ଅସ୍ତବନସ୍ତ

୨୫

ମାୟାଧର ମାନସିଂହ

୨୬

କବିତା : ଏକ ସଂବୋଧନ

୨୭

ଶିକାରୀ

୨୮

ନିଆଁର ନକ୍‌ସା

୨୯

ଟେଷ୍ଟ୍‌ଟ୍ୟୁବ୍‌ର ଶିଶୁ

୩୦

ଭୟ

୩୧

ଭିନ୍ନ ଭୟ

୩୨

ଝଡ଼

୩୩

କ୍ରୁଶ

୩୪

ସକାଳ ପାଇଁ ଏବେ ବି ଅପେକ୍ଷା

୩୫

କ୍ଷମା କର ଭାରତବର୍ଷ !

୩୬

ଭୀମ ଭୋଇ

୩୭

ଭୁବନେଶ୍ୱର

୩୮

ସ୍ୱରଭଂଗ

୩୯

ନୀଳତୃଣ

୪୦

କବିତାର ଦାବୀ

୪୧

ଛୋଟଛୋଟ ନିଃଶ୍ୱାସ

୪୨

ଖରାତରା

୪୩

ଘର

୪୪

ଯାବତ୍‌ଚଂଦ୍ରାର୍କ

୪୫

ବଗିଚା

୪୬

ପଡ଼ୋଶୀ

୪୭

ବତିଘର

୪୮

ଆକାଶଟା ଭାଂଗି ଯଦି ପଡ଼େ

୪୯

କଟକ : ୧

୫୦

କଟକ : ୨

୫୧

କଟକ : ୩

୫୨

ସକାଳର ସହର

୫୩

ଘଟଣା ଚରିତ୍ର ପରିବେଶ

୫୪

ବୁଢ଼ା ହେଲେ

1977 ତାରିଖ ନ ଥିବା ଦିନ

୫୫

ଏଇସବୁ ଧାଡ଼ି

୫୬

ତୀର୍ଥନଦୀ

୫୭

ପଥପୂର୍ବାଶା

୫୮

ଦିଗଦିଗଂତ

୫୯

ଝରାପତ୍ର

୬୦

କଚୁଆନ୍‌

୬୧

ତରାବୋଈ

୬୨

ଚାରାଗଛ

୬୩

ଫୁଲଉଡ଼ା ଦିନ

୬୪

ନିର୍ଜଳ

୬୫

ଜୀବନଯାପନ

୬୬

ଦିନରାତି

୬୭

ଚରିତ୍ର

୬୮

ଅନ୍ୟନାୟିକା

୬୯

ନିରୁତା ଗୋଟିଏ ନାରୀ

୭୦

ବାର୍ତାଳାପ

୭୧

ଅଧାଅଧୁରା

୭୨

ବୃଥାରେ ବୟସ

୭୩

ଅଂଗୁଳି : ତୂଳୀ

୭୪

ଇଚ୍ଛାର ଇଦ୍‌

୭୫

ଫୁଲଦାନି ପାଇଁ ନୁହେଁ

୭୬

ବରଫର ଫୁଲ

୭୭

ପାଉଁଶର ଫୁଲ

୭୮

ଦୁଇମୁହୂର୍ତର ଏକ ବିଂଦୁ

୭୯

ଦିପଦ : ବିପଦ

୮୦

ଭାବ ବିନିମୟ

୮୧

ବିବରଣୀ

୮୨

ଦୁଃଖସୁଖ

୮୩

ଅକଥିତ

୮୪

ତମେହିଁ ତମେହିଁ ତମେ

୮୫

ଚାହେ ମୁଁ

୮୬

ଆଜି ରାତିସାରା

୮୭

ଛାଇଆଲୁଅରେ

୮୮

ତରବାରି

୮୯

ବିଦାୟ ଦେବାର ଦିନ

୯୦

ଗଳିରାସ୍ତା

୯୧

କୂଳକିନାରା

୯୨

ନିଦବାଉଳାର ନଦୀ

୯୩

ମୂକ ଉବାଚ

୯୪

ପାଦଚିହ୍ନ

୯୫

ପୃଷ୍ଠବଂଧ

 

ଶେଷକଥା

୧।

କେବେ ଯଦି

ଭୁଲ୍‌ରେ

ତମକୁ ମୁଁ

ସତରେ

କରିଥିଲି

ନିଜର

ଅତୀତର

ଗୀତରେ

 

କୁହ ତେବେ

କୁହ ଗୋ

କେତେ ପାପ

କରିଲି

ଲୁହର ମୁଁ

ସୁଅ ଗୋ

କେତେ ସତେ

ଝରିଲି ?

 

ଏଇ ଦେହ

ଦିନେ ତ

ଚାହିଥିଲା

ତମରି

ମନବୁଝା

ଆଉଁଶା...

ଚୁମାଭିଜା

କବରୀ ॥

 

୨।

ସେଇ ଦେହ

ଆଜି ମୁଁ

ରଖିଦେଇ

ମାଟିରେ

ଶୂନ୍ୟକୁ

ଯାଉଚି

ତମେ ନାହଁ

ସାଥିରେ ।

 

 

ତମେ ପରା

ସ୍ମୃତିର

ଦିଗହଜା

ଝରଣା...

ଦୂରେ ଯଦି

ରହିଲ,

ଆଉ ତେବେ

ଫେରନା !!

 

ଦିନେ ତୁମ

ତୀରେ ମୁଁ

ଫେରିବାର

ବାଟୋଇ

ପାଉଁଶ ଓ

ହାଡ଼ ମୋ

ରଖିଯିବି

କୁଢ଼େଇ ॥

 

୩।

କେବେ ଦିନେ

ହୁଏତ

ଆଗାମୀର

ପଥିକ

ଆସିବ ଏ

ମାଟିରେ

ଦେଖିଯିବ

ସେତିକ ॥

 

ଡାକି ତାକୁ

କହିବ

ଧଳା ମୋର

ଖପୁରି -

ପାରିଲିନି

ଜାଣି ମୁଁ

ଦୁନିଆକୁ

ଆହୁରି -

 

 

ସେଇଲାଗି

ଆଜିବି

କୋରଡ଼ିଆ

ଆଖିରେ

ଦୁନିଆକୁ

ଦେଖୁଚି

ଅଛି ଯାହା

ବାକିରେ ॥

 

ଶେଷଦିନ

୧।

ଭାବିବି ସେଦିନ

ଏଇ ଜୀବନଟି ମୋଅର

ଦାନ, ଉପହାର

ନୁହେଁ ତ କଦାପି ତୋଅର !

 

ବରଂ ମାନିବି      ତୁ ଯଦି କହିବୁ

ଏଇ ଜୀବନଟି

ଦେଇଚୁ ମୋ ହାତେ କରଜ

ଯାହାପାଇଁ ଖାଲି

ବାଟ ଚାଲିଚାଲି

ସହି ମୁଁ ଆସିଚି

ବୋଝ ବୋହିବାର ଦରଜ ॥

 

ସୁଧ ଶୁଝି ଶୁଝି      ମୂଳ ଶୁଝିବାକୁ

ସମୟ ମାଗିଚି

ଆୟୁଷ ମାଗିଚି

ମାଗିଚି ମୁଁ କେତେ

ତୋଅଠୁ ଭାଗ୍ୟ ଜୋଅର

ଏ ଜୀବନ ଏଣୁ

ଉପହାର ନୁହେଁ ତୋଅର ॥

 

ବାହୁଡ଼ାବେଳରେ

ବଡ଼ଦାଂଡରେ

ଶୋଇ ମୁଁ ପଡିଲେ

ଗହନ ନିଦରେ

ତୁ କାହିଁକି ତେବେ

ଦେଖାଇବୁ ମିଛ ଡରାଣ ?

ସବୁ ଶୁଝିଦେବି !

ସବୁ ଶୁଝିଦେବି!

ଭାବୁଚୁ କି ତୋର ମୂଳ ବୁଡ଼ାଇବି?

ମୂଳ ତ କେବଳ - ମରଣ!

 

ତୁଉ ତ ଜାଣିନୁ       ତୋଅରି ହାତରୁ

କରଜ କରି ଏ ଜୀବନ

ଦେଖି ମୁଁ ଆସିଚି       କୁଡ଼ିଆରୁ କେତେ

କୋଠା ତୋଳିବାର ସପନ -

ତୁଉ ହସିଥିଲୁ !!

ବୁଝି ମୁଁ ନଥିଲି

ସେଇ ହସିବାର କାରଣ

ଶେଷଦିନ ହେଲେ

ଭାବିବି ହୁଏତ

ଏ ଜୀବନ ଥିଲା

ତୋ ହସ-ଝଡ଼ର

ଚେନାଏ ଝାଂଜି-ପବନ ॥

 

୨।

ତତଲା ମନର ଶୁଖିଲା ଆକାଶେ

ନଥିଲା ବି ବୋଧେ ସବୁଦିନ ପାଇଁ

କଅଁଳ ଆଶାର ଶ୍ରାବଣ

ନଥିଲା ବି ବୋଧେ ସବୁଦିନ ପାଇଁ

ପ୍ରୀତିଛଂଦର ପ୍ଳାବନ !

 

ହାତମାନ ଖାଲି

ପାତିଥିଲି ବୋଲି

ଫୁଲନାଡ଼ ପରି

ଟେକିଦେଲୁ ଯେଉଁ ଜୀବନ...

ଶୋଇପଡିଲା ସେ

କ୍ଳାଂତି-ଆବେଶେ

ପରଖୁ ପରଖୁ ଦୁନିଆ ଭିତରେ

କିଏ ରାମ? କିଏ

ରାବଣ??

 

ହୁଏତ ସେ ଥିଲା ତୋଅ ମୁରଲୀର

ମୂର୍ଛିତ ଏକ ସୁରଟିଏ, ଭାରି

କରୁଣ

ହୁଏତ ବା ଥିଲା ଅନେକ ଅସରା

କାମନାର ଏକ

ଜଣାଣ !!

 

ହୁଏତ ବା ଥିଲା       ତୋଅପରି ଜଣେ

ମାୟାବୀ କେଳାର

ପଦ୍ମତୋଳାର

ଉଚ୍ଚାଟ ଏକ ଗାୟନ

ଶୁଣି ଶୁଣି ଯାହା       ମୁଁ ନିଜ ଭିତରେ

ଶୋଇ ଯେ ପଡିଲି       କି କାଳନିଦରେ !!

 

 

 

ସବୁକିଛି ସିନା       ରହିଗଲା ଶେଷେ

ସବୁଦିନ ପାଇଁ       ଆହା କି ଉଆଁସେ

ଗୋପନ ॥

 

୩।

ଶେଷଦିନ ଏଣୁ      ଶିଆଳି-ଶେଯରେ...

ଜୀବନକୁ ନେଇ

କଅଣ କରିବି ଧିଆନ ?

ଭାବିବି ହୁଏତ -      ଜୀବନ ମୋ ଥିଲା

ଅଦେଖା ତୋଅରି

ଖେଳାଳି ହାତର ଭିଆଣ !

 

ହୁଏତ ବା ଥିଲା      ଅମାନିଆ ତୋର

ଛୋଟପୁଅଟିଏ...

ମାନୁନଥିବାରୁ ବଚନ -

ଦାଗ କାଟୁଥିଲା ପିଠିରେ ଯାହାର

ତୋଅରି କୁହୁକ-ପାଁଚଣ ॥

 

ଶେଷଦିନ ହେଲେ       ଭାବିବି ହୁଏତ-

ଜୀବନ ମୋ ଥିଲା

ତୋଅ ହାତବୁଣା       ଜାଲରେ ଛଂଦା

ରହସ୍ୟଟିଏ ଗହନ...

ହୁଏତ ବା ଥିଲା

ସତ ପଛେ ପଛେ

ମୁଠାଏ ମିଛର ସପନ ॥

 

ମୃତ୍ୟୁର ମାଳାକାର

 

୧।

ଯୁଗେଯୁଗେ ପରା

ତୁମରି ଦେଉଳ

ଦୁଆରେ ମୁଁ ମାଳାକାର ହେ

ଲୁହର ସୂତାରେ

ଗୁଂଥୁଚି ବସି

ଆତ୍‌ମାର ଫୁଲହାର ହେ !

ଶେଷଦିନ ହେଲେ

କଂଠେ ମୋହର

ମରଣ ହେ ଭରି

ତୁମରି ଲହର

ତୁମ ପାଶେ ସତ

ହେବି ଉପଗତ

ଘେନି ଅର୍ଘ୍ୟର ଥାଳ ହେ

ଯୁଗେ ଯୁଗେ ପରା

ତୁମରି ଦେଉଳ

ଦୁଆରେ ମୁଁ ମାଳାକାର ହେ ॥

୨।

ରଖିବାକୁ ଭ୍ରମେ

ଜନମେ ଜନମେ

ଦେଖାଇଚ "ଭୟ'ଚିର ହେ

ମିଳନ-ପିୟାସୀ

ପରାଣ ଝୁରିଚି

ମରଣ ହେ ତବ ବିରହେ।

ତଥାପି ପାରୁଚି

ଅଂତରେ ଶୁଣି

ଏ ଜନମେ ଉଠେ

ଏକଇ ମାଗୁଣି

: ହେ ମରଣ, ପ୍ରିୟ,

ଜୀବନରେ ଦିଅ

ଅମୃତ ଅଭିସାର ହେ

ଯୁଗେଯୁଗେ ପରା

ତୁମରି ଦେଉଳ

ଦୁଆରେ ମୁଁ ମାଳାକାର ହେ ॥

 

ମୃତ୍ୟୁ ସଂଗମ

 

୧।

ଏବେ ବି ଆକାଶେ

ଅରୁଂଧତୀର ଦେଶେ

ଅନେକ ଋତୁର

ସ୍ୱପ୍ନ ଉଂକିମାରେ...

ହେ ମୋର ମୃତ୍ୟୁ !

ସମୟର ସମାବେଶେ

ଦିନ ତ ବିତିଲା

ତମରି ଅପେକ୍ଷାରେ ॥

 

୨।

ଦିନ ତ ବିତିଲା

ନିଜକୁ ଇ ଖୋଜି ଖାଲି

ଶାଂତିରେ କେବେ

ଶୋଇ ଟିକେ ହେଲାନାଇଁ

ତମେ ଆଉ ମୁଁ

ଗୋଟିଏ କବରେ କାଲି

ଶୋଇବା କିଂତୁ

ସ୍ୱପ୍ନ ଦେଖିବା ପାଇଁ ॥

 

ପୌଷର ଫୁଲମାଳା

 

୧।

ଆଜି ଏ ଗ୍ଳାନିର ବୈଶାଖୀ ଜାଳା

କାଲି ତ ନିଭିବ ଯାଇ

ମରଣ ବିହିବ ତପ୍ତଜୀବନେ

ତୃପ୍ତ-ଶୀତଳ ଛାଇ !

ଆସି ଏ ପଉଷ

ସଂଧ୍ୟାର ସମ

ଘନ-ବଂଧନେ

ତୁଟାଇବ ଭ୍ରମ

ଉଡ଼ାଇନେବ ଏ ଜୀର୍ଣ ଯାତନା

ହିମ-ନିଃଶ୍ୱାସ ବାହି

ପଉଷପତ୍ର ଉଡ଼ିଯିବ କାଲି

ସାଂଧ୍ୟବତାସେ କାହିଁ ॥

 

୨।

କାଲି ଯେ ଶୁଭିବ “ବିଦାୟ ବିଦାୟ”

ଜୀବନର ପଥଶେଷେ

ମରଣ ଆସିବ କାଲି ଯେ ମରମୀ

ପଉଷସଂଧ୍ୟା ବେଶେ !

କାଲି ତ ନଥିବ

ବଂଦନା-ମାଳା

ଖାଲି ଥିବ ଯାହା

ବିରହର ଜାଳା

ସେଇତକ ସିଏ ବହିନେଇଯିବ

ଦୂର ପ୍ରାଂତୀୟ ଦେଶେ

ମଂଥର ପଦେ ମରଣ ଆସିବ

ସଂଧ୍ୟାର ଅବଶେଷେ ॥

 

୩।

ଆଜି ଏ ବିଦାୟୀ ଦରଦୀ ମରମୀ

ପଉଷସଂଧ୍ୟା ପରି

କେତେ ଜନମର ଧୂମାଳ ସ୍ୱପ୍ନ

ମରଣ କହିବ ଥରି !

ଯାତ୍ରାର ସୀମା

ଥିବ ବହୁଦୂର

ପଡ଼ିଥିବ ପଥେ

ଯେଉଁତକ ଫୁଲ

ସେଇତକ ଫୁଲ ସାଉଁଟିନେବ ସେ

ଦୁଇ ଅଂଜଳି ଭରି...

କେତେ ଜନମର ହେମାଳ ବେଦନା

ମରଣ କହିବ ଥରି ॥

 

୪।

ମରଣ ଗାଇବ କାଲିର କବିତା

ଶୂନ୍ୟ ସରଣୀ ସାରା

ଫେରିବାର ପଥେ ଯିବାର ଯାତ୍ରୀ

ଗାଉଥିବେ ସାୟୋନାରା !

କାଲି ବି ଏପରି

ବିଦାୟର ଗାନ

ମାଲଭାଇମାନେ

ଗାଇଯିବେ ଜାଣ

ବଗିଚା ନଥିବ ଘର ବି ନଥିବ

ଉଡ଼ିଯାଇଥିବ ପାରା

ଥିବ ଆମପାଇଁ ଶେଷରେ କିଂତୁ

ପୌଷର ଫୁଲମାଳା ॥

 

ଦ୍ୱଂଦ୍ୱ

 

ହଜାଇବାର            ଦୁଃଖରେ ମୋ

ହୃଦୟ ଆଜି କ୍ଳାଂତ

ପାଇଚି ଯାହା            ତାକୁ ବି ନେଇ

ନୁହେଁ ମୁଁ ନୁହେଁ ଶାଂତ !

 

ଅଥଚ ଯାହା            ହଜାଇଦେଲି

ବର୍ଷାଜଳେ            ଭିଜାଇଦେଲି

ପାଇବା ପାଇଁ

ଭରସା ନାଇଁ

କାମନାମାନେ ଭ୍ରାଂତ

ତଥାପି ସେଇ

କାମନା ନେଇ

ପଥ ମୁଁ ଖୋଜେ ପାଂଥ !!

 

ଉତ୍ସ : ‘ଆସନ୍ତାକାଲି’ (୨୩ବର୍ଷ/ଦୀପାବଳୀ ସଂଖ୍ୟା) ୧୯୭୨

 

ପ୍ରତିଭା-ପୂଜା

 

ପ୍ରତିଭାଟା ଯେବେ ସୂର୍ଯ ସମାନ

ବଂଧୁଗଣ ହେ, ମାନ କି ନ ମାନ

ଆଲୋକରଶ୍ମି କରିବାକୁ ଦାନ

ଉଇଁଆସୁଥାଏ

ସରାଗେ

ସେତେବେଳେ ଏଇ ଅଂଧଜଗତ

ଉଦୟକୁ ତାର କରେ କି ସ୍ୱାଗତ ?

ଉପଭୋଗ କରେ ଅସ୍ତରାଗ ତ

ପଢ଼େ ପରିଚୟ

ପରାଗେ !

 

ହେଲେ ଯେତେବେଳେ ଘାସଫୁଲ ପରି

ପ୍ରତିଭାଟା ଯାଏ ଅକାଳରେ ଝରି

ସକାଳ ଆଗରୁ ସମାଧିଟେ ବରି

ଚଲାପଥୁକିର

ଚରଣେ

ଏ ମୂକସମାଜ ସେତେବେଳେ ଯାଇ

ବଧିର ଶ୍ରୋତୃବର୍ଗକୁ ଚାହିଁ

ବାଢ଼େ ଆତ୍ମାର ସଦ୍‌ଗତି ପାଇଁ

ଶୋକପ୍ରାର୍ଥନା

ମରଣେ !

ଉତ୍ସ :‘ନବଜୀବନ’ ସଂ : ଚିନ୍ତାମଣି ମିଶ୍ର ,୧୭ଶ ବର୍ଷ, ୨ୟ ସଂଖ୍ୟା ମଇ ୧୯୭୨

 

ଜୀବନଦର୍ଶନ

 

ଏଇ ଅଂଗୁଳି ଫାଂକରେ କେତେ ସ୍ୱପ୍ନ ହେଲାଣି ଲୀନ

ହଜି ତ ଗଲାଣି ଆଖିପତାପାରେ କେତେ ବଷୁର୍କୀ ଦିନ ।

କେତେ ପଉଷର ପତ୍ର ଗଲାଣି ଝରି ଏ ପୃଥିବୀ ପରେ

କେତେ ବୈଶାଖୀ ବତାସ ବାହୁନେ ଶୋକବ୍ୟଂଜିତ ସ୍ୱରେ ।

 

କେତେ ରାତ୍ରିର ଚଂଦ୍ର ହେଲାଣି ଫେରାର୍‌ ଆକାଶ ତଳେ

କେତେ ସକାଳର ସୂର୍ଯ ନେଲାଣି ମେଲାଣି ଅସ୍ତାଚଳେ ।

କେତେ ‘ଆଜି’ ପୁଣି ପଥଧୂଳି ବୁଣି ହେଲେଣି ବଂଧୁ ‘କାଲି’

ସମୟର ମୋଡ଼େ ମଣିଷ କିଂତୁ ଆସିଚି ଏଯାଏଁ ଚାଲି ।

 

ଯାତ ସରିଲେ ବି ଯାତ୍ରା ସରିନି ମଣିଷର ଚଲାବାଟେ

ଯୁଗଯୁଗ ଧରି ନାଉରିଆ ପରି ନାଆ ସେ ଭିଡ଼ୁଚି ଘାଟେ ।

ସାମ୍ନାରେ ଥାଉ ବରଫପାହାଡ଼ ପଛରେ ବି ଥାଉ ମରୁ

ଫୁଲତୋଡ଼ା ତାକୁ ମିଳିଛି ତଥାପି ମୃତ୍ୟୁର ହିମକରୁ ।

 

କହେ ତାକୁ ତାର ଯାତ୍ରାପଥର ପୁଂଜିତ ପାଦଟୀକା :

ବଂଚିବା ଯିଏ ଶିଖିଚି, ତା ଆଗେ - ମରିବାଟା ମରୀଚିକା ॥

ଉତ୍ସ : ‘ନବଜୀବନ’ ସଂ : ଚିନ୍ତାମଣି ମିଶ୍ର, ୧୭ଶ ବର୍ଷ, ୩ୟ ସଂଖ୍ୟା, ଜୁନ୍‌ ୧୯୭୨

 

ଶିଳ୍ପୀଗାଥା

 

ଛଂଦମଧୁର ବେଦନାବିଧୁର

କେତେ ଜୀବନର

ଯବନିକା ଯିବ ନଇଁ

ଉଦୟ-କବରେ ଅସ୍ତର ଛାୟା

କଂଦାଇଯିବ

କାହାକୁ ବା କଇଁକଇଁ ?

 

ନୟନ ଭିଜିବ ନୟନର ନୀରେ

ଅୟନକୁ ଆହା ଅନାଇ ଅଧୀରେ

କିଏ ତୁମ ପାଇଁ ଦୀପ ଜାଳୁଥିବ

ଘରେ ନା ବାହାରେ

ପାରିବ କି ତୁମେ କହି ?

 

ଛଂଦମଧୁର ବେଦନାବିଧୁର

କେତେ ଜୀବନର

ଯବନିକା ଯିବ ନଇଁ ॥

 

 

ଦୁଃସହ ବହୁ ଦୁଃଖଯାତନା

ଝନ୍‌ଜା ସମାନ

ତୁମ ପରେ ଯିବ ବହି

ରୂପ ତାର ରଚି ରଂଗାଜୀବ ହେ

କରିପାରିବନି

କଳାକୁ କି କାଳଜୟୀ ?

 

କଳା ପଡ଼ିବ କି କଳାର କଳିକା ?

ଥୋଇଦେବ ତୁମେ ତଳେ କି ତୂଳିକା ?

 

ଜୀବନଯୁଦ୍ଧ ଶେଷ ହେବା ଆଗୁ

ଅର୍ଧପଥରେ

ଯିବ କି କେଉଁଠି ରହି ?

ଦୁଃସହ ବହୁ ଦୁଃଖଯାତନା

ଝନ୍‌ଜା ସମାନ

ଯାଉ ପଛେ ଯାଉ ବହି ॥

 

ଶତପରାଜୟ ଭାଂଗିବ ଲୟ

ବିଜୟ ଆଗରୁ

ସଂଦେହ ନାହିଁ ନାହିଁ

ସାଧନାର ସେଇ ଶିଳାତୀର୍ଥରେ

ଶତବାର ପୁଣି

ହତାଶା ମାରିବ ହାଇ !

 

ତରୁଣଶିଳ୍ପୀ, ତିଳେ ହିଁ ତଥାପି

ନୁଆଁଇଆଣନି ନିହାଣ କଦାପି

ଫୁଟାଇବ ତୁମେ ପଥରରେ ଫୁଲ

ପାହାଚ ପିଠିରେ

ଘାସପତ୍ରର ଛାଇ...

ଶତପରାଜୟ ପରେ ହିଁ ବିଜୟ-

ମାଲ୍ୟ କେବଳ

ତୁମ ପାଇଁ, ତୁମ ପାଇଁ ॥

ଉତ୍ସ :‘ନବଜୀବନ’,ସଂ : ଚିନ୍ତାମଣି ମିଶ୍ର, ୧୭ଶ ବର୍ଷ, ୫ମ ସଂଖ୍ୟା, ଅଗଷ୍ଟ ୧୯୭୨

 

ଅଶ୍ରୁ

 

ଆସ ହେ ଅଶ୍ରୁ କେଇଧାର ଅବା କେଇଟି ବୁଂଦା ନେଇ

ଶୁଣିବି ତମଠୁ ଦୁଇପଦ କଥା ଆଂତରିକତା ଦେଇ ।

ଜାଣେଁ ଏ ସମୟ ଆଖିରେ ଦୁଃଖ-ସୁଖସବୁ ସମାନ ତ

ତଥାପି ବି ତମେ ଅମାନିଆ କେତେ ଆଖିର ହିଁ ଅମାନତ !

 

ଏ ମନଆକାଶେ ମେଘ ଯଦି ଭାସେ ତମେ ତାର ବାରିଧାରା

କଲମର କାଳିଅଂଧାର କୋଣେ କବିତାର କୁଆଁତାରା ।

ଅଂଧପଥିକ ପତାରେ ପତାରେ ପଥ ତମେ ଖୋଜିବୁଲ

ଭିଜାଅ ବି କେତେ ରୁମାଲ୍‌ରେ ବୁଣା ଭଲପାଇବାର ଫୁଲ !

 

ଛାଇ ପରି ତମେ ଛପିଥାଅ କେତେ ଚଷମାର କାଚ ତଳେ

କେତେ ହୃଦୟର ହିଡ଼ ଭାଂଗିଚି ତମରି ବନ୍ୟାଜଳେ ।

କେବେ ତ ନୀରର ନୀରବତା ତମେ ସଜାଅ ସଜଳ ସ୍ୱର

କାହାକୁ ବି କର ଦୂର କେବେ ଆଉ କାହାକୁ ନିକଟତର !

 

ଆସୁଚ ଅଶ୍ରୁ ଉପହାର ନେଇ ଉଷୁମ୍‌ ମନଟେ ଯଦି

ଦୁଇପାପୁଲିରେ ଦିଆଖି ଢାଂକି ବସନାହିଁ ମୁହଁ ନଦି॥

ଉତ୍ସ :‘ନବଜୀବନ’,ସଂ : ଚିନ୍ତାମଣି ମିଶ୍ର,୧୭ଶ ବର୍ଷ, ୬ଷ୍ଠ-୭ମ ସଂଖ୍ୟା,ସେପ୍‌ଟେଂବର-ଅକ୍‌ଟୋବର ୧୯୭୨

 

ପରାଜୟ

 

ମନଗହନରେ ପଶୁ ଯେବେ ଚେଇଁଉଠେ

ସେତେବେଳେ ବାରେ

ଦେବତା ଜାଗେନା କିଆଁ

ଦେବତାର ସେଇ ସଜଳ ମଂତ୍ର କିବା

ଲିଭାଇପାରେନା

ପାଶବିକତାର ନିଆଁ ?

 

ପଶୁ ଯେତେବେଳେ ଫେନିଳ ଅଟ୍ଟହାସେ

କରେ କଂପିତ

ମଣିଷର ଦେହମନ

ଭୁଲି ଏ ମଣିଷ ବାଟଘାଟ ସେତେବେଳେ

ଦେବତାକୁ ଦିଏ

କାହିଁକି ବିସର୍ଜନ ?

 

ଅଂତର ତଳୁ ଦେବତା ଡାକିଲେ ପୁଣି

ସୁପ୍ତ ସେ ପଶୁ

ଜାଗିଉଠେ ଧୀରେଧୀରେ

ଦେବତା କି ତେଣୁ ପଶୁର ଶରଣ ମାଗି

କାଂଦେ କେଉଁଠି

ତୀର୍ଥନଦୀର ତୀରେ ?

ଉତ୍ସ :‘ନବଜୀବନ’,ସଂ: ଚିନ୍ତାମଣି ମିଶ୍ର,୧୭ଶ ବର୍ଷ, ୧୧ଶ ସଂଖ୍ୟା,ଫେବ୍ରୁୟାରୀ ୧୯୭୩

 

ଜୀବନବାଦୀର ସ୍ୱପ୍ନ

 

ଯେମିତି ମୁଁ ଏକ ଅଂଧଗାୟକ

ମଂଦିରପଥ ପାରେ

କି ଗୀତ ଗାଇବି ? ଆସି କେଉଁ ଦେବୀ

ଦର୍ଶନ ଦେବ ଦ୍ୱାରେ ?

 

ଯେମିତି ମୁଁ ଏକ ନିଖୋଜ୍‌ ନାବିକ

ବହୁ ବଂଦର ପରେ

ଆଶା-ଆଲୋକର ବର୍ତିକା ଜଳେ

କାହିଁ କେଉଁ ବତିଘରେ ?

 

ଯେମିତି ମୁଁ ଏକ ନଷ୍ଟନାୟକ

ଅଟକିଛି ଅଟବୀରେ

କେଉଁଠି ରହିଛି ତନ୍ୱୀ ତାପସୀ

ତୁଷାରନଦୀର ତୀରେ !

 

ଯେମିତି ମୁଁ ଏକ ପାଗଳ ପଥିକ

ଅନେକ ମୋ ଅପଥରେ...

ରୂପ ଦେବି ଦିନେ ପଥଚାଲିବାର

ସ୍ୱପ୍ନକୁ ଶପଥରେ ॥

ଉତ୍ସ : ‘ନବଜୀବନ’,ସଂ : ଚିନ୍ତାମଣି ମିଶ୍ର, ୧୮ଶ ବର୍ଷ, ୩ୟ ସଂଖ୍ୟା,ଜୁନ୍‌ ୧୯୭୩

 

ପଥ ଓ ପାଂଥ

 

ପଥେ ପଥେ କେତେ ପାଂଥ ଚଳିଲେ ଅସ୍ତର ଗୀତ ବୋଲି

ସେଇ ପଥେ ପୁଣି ଆସିଲେ ଯାତ୍ରୀ ଉଦୟଛଂଦ ତୋଳି !

କେତେ ଗଲେ କେତେ ଆସିଲେ ସେ ପଥେ ଆଂକି ଚରଣ-ରେଖା

କେତେ ଜୀବନର ଜୈତ୍ରଗୀତିକା - ସେ ପଥେ ହୋଇଲା ଲେଖା !

 

କବିତା ଲେଖିଲା ସେଇ ପଥେ କବି ତରୁ-ଛାଇ ତଳେ ବସି

ସେ ପଥରେ କେତେ ଝଂଜା ଆସିଲା ଧୂସର-ହାସ୍ୟ ହସି !

ସେ ପଥ ଶୁଣିଲା କେତେ ଜୀବନର କରୁଣ-ମଧୁର-ଗାଥା

ଜଡ଼ିତ ରହିଲା ସେ ପଥବକ୍ଷେ ସବୁରି ପ୍ରାଣର ବ୍ୟଥା !

 

ସେ ପଥ ଦେଖିଲା ଜୀବନରେ କେତେ ଉଦୟାସ୍ତର ଲୀଳା

ସବୁଦିନ ପାଇଁ ଭାବିନେଲା ସିଏ ଭାବିବାର ଯାହା ଥିଲା !

ଧିଆନ ରଚିଲା ତାପସର ସମ ମୌନେ ସେ ଚିରକାଳ

କେତେ କଂଠର ସଂଗୀତେ ହେଲା ଧ୍ୱନିତ ବକ୍ଷ ତାର !

 

ଯୁଗଯୁଗ ଧରି ବହି ଯେ ଆସିଲା ସମୟର ନୀଳ ନଈ

ମୁଖର-ଯାତ୍ରୀ ଗଲେନି କିଂତୁ ସେ ପଥର କଥା କହି ॥

ଉତ୍ସ : ‘ନବଜୀବନ’,ସଂ : ଚିନ୍ତାମଣି ମିଶ୍ର, ୧୯ବର୍ଷ/୬ଷ୍ଠ ସଂଖ୍ୟା (ଅକ୍‌ଟୋବର ୧୯୭୪)

 

ଏ ଜନ୍ମର ଜୀବନୀ

 

ପରଜନ୍ମର ଘରମୁହାଁ ଘୋଷା ସ୍ୱରରେ ମୋ କେବେ ଥିବନି

କଥାପଦକରେ କହିପାରିଚି କି ଏଇ ଜନ୍ମର ଜୀବନୀ ?

ଝରାପତ୍ରରେ ଯେଉଁ ଛତ୍ରରେ ପାଦପୂରଣ ମୁଁ କରିନି

ତାକୁ କେବେ କେଉଁ ପରଜନ୍ମର ଫୁଲବାସ୍ନାରେ ଭରିନି ।

 

ଏଇ ଜନ୍ମର ଜ୍ୟୋତ୍ସ୍ନାରେ ଅଛି ଯେତେ ଜ୍ୱାଳା ଯେତେ ଯାତନା

କରିନି ତା ପାଇଁ ପରଜନ୍ମଠୁ କଣିକାଏ କୃପାଯାଚନା ।

ଅଂଧ ହୋଇଚି ଅନୁରାଗ ଯଦି ଆସିଥିବ ଅନୁଶୋଚନା

ପରଜନ୍ମଠୁ ପାଇବାର ନାହିଁ ପଦ୍ମପଳାଶଲୋଚନା ।

 

କହୁନି ବୋଲି ମୁଁ ନୁହେଁ ଯେ ବଂଧୁ, ମହୁବୋଳା ବିଷ ଚାଖିନି

କେତେ ଯେ ରୂପର ରଂଗରାଗ ଏ ମତୁଆଲା ମନ ମାଖିନି !

ଶୁଣାଇଚି ସିନା ଶ୍ରାବଣସଂଜ କୋହଭିଜା କାହା କାହାଣୀ

କହିଚି ମତେ ମୁଁ : ଗୋପନବ୍ୟଥାର ଗାଆନିରେ ଗାଥା ଗାଆନି !

 

ଯେ ଗୀତରେ ସଦା ରହିଗଲା ଅଧା ଏଇ ଜନ୍ମର ଜୀବନୀ

ସାତଜନ୍ମର ସ୍ୱପ୍ନ ବି ତାର ସମାପିକା ରଚିଯିବନି॥

ଉତ୍ସ :‘ନବଜୀବନ’,ସଂ : ଚିନ୍ତାମଣି ମିଶ୍ର,୧୯ଶ ବର୍ଷ, ୯ମ ସଂଖ୍ୟା,ଜାନୁଆରୀ ୧୯୭୫

 

ଯିବାକୁ ପଡ଼ିବ

 

ଘର ଛାଡ଼ି ଆଜି ଯିବାକୁ ପଡ଼ିବ

ଡାକୁଚି ଅଘରୀଦଳ...

ଯିବାକୁ ପଡ଼ିବ ତେଜି ଏ ବଦ୍ଧ,

ପରିମିତ ପଲ୍ୱଳ !

 

ଯିବାକୁ ପଡ଼ିବ ଅତୁଠକୁ ଆଜି

ତେଜି ଏ ତୀର୍ଥ-ତୁଠ

ବେଳ କାଇଁ ଆଉ ମାନସ-ହଂସ ?

ଡେଣା ପିଟିପିଟି ଉଠ !

 

ଖସିଚି ଅତଡ଼ା ଧସିଚି ବଂଧ

ଭାଂଗିଚି ଯଦି ଘାଇ

ଭୟ ନାଇଁ ତେବେ ଭଉଁରୀ ବୁକୁରେ

ହେବାକୁ ପଡ଼ିବ ରାହୀ !

 

 

 

ଢେଉ କାଟିକାଟି ଅକାତଗଂଡେ

ଯିବାକୁ ପଡ଼ିବ ଆଜି

ଡୁବୁଚି ଡଂଗା...ବୁଡ଼ିଚି ଯାତ୍ରୀ...

ହଜୁଚି ଯେଉଁଠି ମାଝି !

 

ଶିଳ୍ପୀ

। ୧।

ରକ୍ତତାରାର ରାତି ଓଦା କରେ ରୁଦ୍ରବୀଣାର ରାଗିଣୀ

ଦେବୀର ସେ ଦୁଇ ଦୀର୍ଘଭୂରୁ କି ଦୁଇଟି କୃଷ୍ଣନାଗିନୀ !

ଦୃଷ୍ଟିଦାନର ଦୁର୍ଲଭ ଦିବା ଦୂରେ ଦୋହରାଏ ବର୍ଷ...

ଅଥଚ ଅମର ଶିଳ୍ପୀର କର ଦେଇନାଇଁ ଶେଷସ୍ପର୍ଶ !

 

ଏଯାବତ ହାୟ ପାଇନାଇଁ ନ୍ୟାୟ ଅଂଧୁଣୀ ଦେବୀପ୍ରତିମା

ଅଂଧକାରର ପୂଜକ ପଚାରେ - ‘କେବେ ଜଳାଇବି ବତି ମା’ ?

ପାଦପ୍ରଦୀପର ପାହାଚ ପାଖରୁ ମଥା ପିଟି ଫେରେ ମାହାରୀ

ଏ ଜନମ ପାଇଁ - ନାଇଁ, ନ୍ୟାୟ ନାଇଁ - ପୋଡ଼ାକପାଳରେ କାହାରି !

 

ନ୍ୟାୟ ଲୋଡ଼େ ଆସି ନିୟୁତ ନିଆଶୀ ଲୁହ ଉଠୁଅଛି ଉଛୁଳି

ଚିରନିରବିନୀ ନ୍ୟାୟର ଦେବିକା ଆଖିରେ ଅଂଧପୁଟୁଳି !

କୁହୁଡ଼ିର କୂଳ କିନାରା କତିରୁ ଲହଡ଼ି ଆସିଚି ଲେଉଟି

ଏ ମହରଗରୁ କାଂତାରମରୁ - ମହାଶିଳ୍ପୀ ସେ କେଉଁଠି ?

 

ମହାଶିଳ୍ପୀ ସେ ଆଂକେ ମୟୂରଚଂଦ୍ରିକା ମେଘମାଳାରେ...

ମୂର୍ଛନାହତ ମିଥୁନମୂର୍ତି ମୌନ ଏ ମୁଖଶାଳାରେ ॥

 

। ୨।

କି ଜୁଆର ମାଗେ ଜଡ଼ଶିଳାଭାଗେ ଯୁଗଯୋଗିନୀର ଯାମିନୀ ?

ଏଣେ ତ ପାଷାଣୀ ପାଲଟିଗଲାଣି ଆପଣା କୁଟୀର-କାମିନୀ !

କଳାର ଏ କ୍ଷୁଧା ନିବାରିବାକୁ ସେ ବରିଚି ବ୍ୟଥାର ବ୍ୟଂଗ

ତୂଳୀର ତୃଷ୍ଣା ରକ୍ତକୁ ତାର କରିଚି କି ଜଳରଂଗ ?

 

ଶିଉଳି ଶିରାରେ ଶିଶିରବିଂଦୁ ... ସୁରୁହୋଇନାଇଁ ସୁମାରି

ପିତୁଳୀ ପଚାରେ : ଶିଳ୍ପୀ କାହିଁକି କଲା ମତେ ଚିରକୁମାରୀ ?

ରୂପାୟିତ ହୁଏ ବାସନାତୀତ କି ଧୂପାୟିତ ବହୁ ବେଦନା ...

ଭୁଲ୍‌ କେଉଁଠାରେ? ଭଲପାଇବାରେ? ଖେଦଟିଏ ଖାଲି ଭେଦ ନା?

 

ଯେ ପଥେ ଯାଏନା ପଟୁଆର କେବେ - ଆସେ କି ଶିଳ୍ପୀ ସେପଥୁ ?

ସେ ପଥୁ ବତାସ ପଠାଏ କି ଝଡ଼ ... ସୂର୍ଯବୀଣାର ବେପଥୁ ?

ଯେ ଗୀତ ସରେନା, ସେ ଗୀତର ସେ କି ଗୁମ୍‌ସୁମ୍‌ ଗୋଟେ ଗୁମୁରା ?

ଘୂର୍ଣିମୋଡ଼ର ଘୂରାଣି ଘେରରେ ଘୁମେ ଘରଭୁଲା ଘୁମୁରା ?

 

ଶୂନ୍ୟତା ନେଇ ଦେଇଚି ବଢ଼େଇ ଆକାଶଗୋଟା ସେ ଅପରେ

ଭିନେଜୀବନଟେ ଜୀବନୀ ପାଲଟେ ଦିନେ ଗୀତିଗାଥା ଗପରେ॥

 

 

 

। ୩।

ଅଘରୀ ଶିଳ୍ପୀ ଆଦରିନେଇଚି ଅଭିସଂପାତ ଅଶେଷ

ଆଜିର କୀର୍ତି କଳାପ କି ଆହା କାଲିର ଭଗ୍ନାବଶେଷ ?

ତରୁବୀଥିପାରେ ତରା ଦିଶିପାରେ ... ମରୁପଥେ କାହିଁ ମିତ୍ର ?

ଆଂକିଚି କେଉଁ ବାତୁଳ ବିଧାତା ଚୋରାବାଲିରେ ତା ଚିତ୍ର ?

 

ରାତିର ସୂର୍ଯମଂଦିର ତାର ଦିନର ଚଂଦ୍ରଉଦୟ...

ବନପଲାଶର ବରଣମାଲ୍ୟ ହରଣ କରିଚି ହୃଦୟ !

କାରୁକନ୍ୟାର କବରୀରେ କେଳି କୁସୁମ କଳିଚି କୃଷ୍ଣା

ତନୁଟିଏ ଯଦି ତାପସୀ ତନ୍ୱୀ - ମନଟିଏ ମୃଗତୃଷ୍ଣା !

 

ପଥରର ଫୁଲ ଫସଲକ୍ଷେତରେ ଶିଳ୍ପୀ ସେ କାହା କିଷାଣ ?

ନିହାଣ ଭୁଲିଚି ନିଶିର ନିଦ୍ରା ... ନିହିଚି ମାତ୍ର ନିଶାଣ !

କାହିଁ ତା କଳାର କାତ୍ୟାୟନୀଠୁ କଣିକାଏ ଅନୁକଂପା ?

ତା ଚିରଚକିତ ଚୈତ୍ରମାସରେ ଚହଟିନି ଚିନିଚଂପା !

 

ହେ ସମୟ ! ଥାଉ, ଶୁଣାଅନା ଆଉ ସମବେତ ଶୋକଗାନ ତ

ନ ହେଉ ପତାକା ଅର୍ଧନମିତ ଅବା ଆଖିପତା ଆନତ ॥

 

ବଧୂ

୧।

ଡାକନାରେ ମତେ ମଂଦ ମଳୟ ! ଡାକନାରେ ମତେ ଆଉ

ମନର ଯେତକ ରୁଦ୍ଧରାଗିଣୀ ମନତଳେ ମରିଯାଉ !

ସରିଯାଉ ମୋର ବେସୁରା ଜୀବନୁ ଚାଂଦିନୀରାତି ଆଜି

ଝରିଯାଉ ମୋର ଧୂସର ଜୀବନୁ ସ୍ୱପ୍ନର ଛାୟାବାଜି॥

 

ନିଭିଆସିଲାଣି ନଅରର ଦୀପ... ନିର୍ଜନ ରାଜପଥ

ଚଂଦ୍ରଶାଳାର ଊର୍ଧ୍ୱେ ଶୋଇଚି ଆକାଶ ମୂର୍ଛାହତ !

କ୍ଳାଂତ ରାତିର ରାଣୀମହଲ ବି ଶାଂତ, ଘୁମାୟମାନ

କାରାର ଭବନେ ବଂଦୀ କେ ଜଣେ ବଂଶୀରେ ତୋଳେ ତାନ॥

 

ଅଧୀର ରାଗିଣୀ ଗାଉଥିଲି ମୁଁ ବି କେବେ ଗୋ ଅତୀତେ ମମ

ବଧୂର ଜୀବନେ ଜାଣି ତ ନଥିଲି ବିଧୁର ସେ ଏକ ଭ୍ରମ !

ଆଜି ଏତେଦିନେ ଲଭିଲି ସେ ମହା ସତ୍ୟ ମୋ ଚଲାପଥେ

ଡାକନାରେ ଆଉ ମଂଦମଳୟ ! ଡାକନାରେ ଆଉ ମତେ ॥

 

ବାହୁନୁଥାଉ ମୋ ଜୀବନଟି ପଛେ ବ୍ୟଥିତ ବଂଶୀ ପରି

ବିପୁଳ ଭୁବନେ ମଧୁସଂଗୀତ ରହିଥାଉ ହେଲେ ଭରି ॥

 

୨।

ବିପୁଳ ଭୁବନେ ଯୁଗଯୁଗ ଧରି ଲାଗି ରହିଥାଉ ରାସ

ମଧୁଜୋଛନାର ମଧୁ ଉଚ୍ଛ୍ୱାସେ ହସୁଥାଉ ମଧୁମାସ ।

ସକଳ ଜୀବନେ ସୁଖର ପରଶ ବହିଆଣୁ ଚଇତାଳି

ଚାଂଦ ଲୋ ତୋର ଗୋପାର ଜୀବନେ ଭରିରହିଥାଉ କାଳି ॥

 

ଜଗତ ନ ବୁଝୁ ବୁକୁରେ ତାହାର କେବେ ଦିନେ କେଉଁ ନାରୀ

ଢାଳିଦେଉଥିଲା ପ୍ରିୟର ବିରହେ ନୟନୁ ନିତ୍ୟ ବାରି !

ବରିନେଇଥିଲା କୁସୁମକୋମଳ ଜୀବନେ ଗଭୀର ପ୍ରାସ

ଜଗତ ନଜାଣୁ ତଥ୍ୟ ତାହାର ନଜାଣୁ ଲୋ ଇତିହାସ ॥

 

ଧୂସର ଏଇ ମୋ ଜୀବନ ତ ଆଜି ଊଷର ବାଲୁକାଭୂଇଁ

ବାସର ଯାମିନୀ ଉପହାସ ସମ ଅଂତର ଯାଏ ଛୁଇଁ.. !

ମଥାର ଊର୍ଧ୍ୱେ ଉଆଁସୀ ଆକାଶ... ପାଦତଳେ ଚୋରାବାଲି

ବଧୂ କେବେ ତହିଁ ବାଟ ଚାଲେନାହିଁ ବାସର ପ୍ରଦୀପ ଜାଳି ॥

 

ଜଳିଯାଏ ପଛେ ଜଳିଯାଏ ମୁଁ ଗୋ ସଂଜଧୂପର ସମ

ସକଳ ଜୀବନେ ଭରିଦେଇଯାଏ ସଉରଭ ସଂଭ୍ରମ ॥

 

 

 

୩।

ଡାକନାରେ ମତେ ଚାଂଦିନୀରାତି ଡାକନାରେ ମତେ ଆଉ

କାହାପାଇଁ ଆରେ କ୍ଳାଂତ ଚକୋରୀ, ଗୀତ ଆଜି ଗାଇଯାଉ ?

ଶୁଣି ମୁଁ ଆସିଲି ଅୟୁତ ରାଗିଣୀ ଏ ମୋର ଜୀବନଯାକ

ଆହତ ଜୀବନେ ଶୁଣିପାରିବିନି ଆଉ ତ କାହାର ଡାକ ॥

 

ସେଦିନ ଅତୀତେ ଡାକିଥିଲେ ଥରେ ଜୀବନର ପ୍ରିୟତମ

ପାତିଦେଇଥିଲି ଫୁଲର ଶେଯ ଗୋ ଜୀବନ-କୁଂଜେ ମମ ।

ଜାଣି ତ ନଥିଲି ଫୁଲର ଭିତରେ କଂଟକ ଥିଲା ରହି

ଚଳିଗଲେ ଅବା ଅଭିମାନୀ ପ୍ରିୟ ବୁକୁରେ ବେଦନା ବହି ॥

 

ଗୋପନ ବ୍ୟଥାର ଅନୁଭୂତି ଲଭି ଆପଣା ପରାଣ-ପୁରେ

ବିପୁଳ ପ୍ରାଣର ବ୍ୟଥା-ସଂଧାନେ ଚଳିଗଲେ ବହୁ ଦୂରେ ।

ପ୍ରିୟହରା ଏଇ ଜୀବନଟି ସେଇ ବେସୁରା ବଂଶୀ ପରି

ଆତୁରେ ବାହୁନି କାଂଦିଚି କେତେ ଶୂନ୍ୟ ଯାମିନୀ ଭରି ॥

 

ଭରିରହିଥାଉ କଲ୍ଲୋଳ କୋଟି ଜୀବନର ବାରିଧିରେ...

ଗୋଟିଏ ଜୀବନ ହଜିଯାଉ ଆଜି ସାଂଦ୍ରତମସା ତୀରେ ॥

 

ନଟିନୀର ସ୍ୱପ୍ନ

୧।

ନଟିନୀ ବାସବଦତ୍ତା

ପେଲବ ତନୁର ପ୍ରତିଟି ଅଂଗେ ଭରା ଯୌବନସତ୍ତା !

 

କଳହାସ୍ୟର କଳିକାଟି କିବା ଖଚିତ ଅଧରବୃଂତେ

ନୃତ୍ୟାନୁରାଗୀ ନିତ୍ୟ ତା ଲାଗି ମନେମନେ ମାଳା ଗୁଂଥେ !

ଲଳିତମଧୁର ପଦ-ଶିଂଜିନୀ ଗୁଂଜନୁ ଝରେ ଲାସ୍ୟ

କଂଜଚରଣେ ଛଂଦିତ କିବା କେତେ କଳ୍ପର ଭାଷ୍ୟ !

 

ବିଳାସିନୀ ବାଳା ବାସବଦତ୍ତା ନଗରର ରାଜନଟିନୀ

ଜଲ୍‌ସାର ଜଳତରଂଗରେ କି କଳକଲ୍ଲୋଳା ତଟିନୀ !

ରାଜ-ଲାଳସାର ପଣ୍ୟ ସେ ସତ ମନ୍ମଥ-ମଦମତ୍ତା

ନଟିନୀ ବାସବଦତ୍ତା ॥

 

ସେଦିନର ସେଇ ଲଗନେ

ସ୍ୱର୍ଣଉଷାର ସ୍ୟଂଦନ ଚାଳି ବର୍ଣ ବିତରି ଗଗନେ

ଚୁଂବନ ଦେଲେ ପୂର୍ବାଶାଭାଲେ ଯେବେଳେ ତରୁଣ ତପନ

ସେବେଳେ କି ତାର ଜୀବନୁ ତୁଟିଲା ରାତ୍ରିଶେଷର ସ୍ୱପନ ?

ବାତାୟନ ଫେଇ ସେଦିନ କି ସେଇ ବିଲୋଳା ବାସବଦତ୍ତା

ଦୂର ଚଲାପଥେ ଦେଖୁଥିଲା ସତେ ସୃଷ୍ଟିର ସାରବତ୍ତା !

 

ପଥପାର୍ଶ୍ୱର ତରୁତଳେ ଛିଡ଼ା - ସେ କିଏ ଶ୍ରମଣ ପାଂଥ?

ନିୟତ ବୁଦ୍ଧ-ବଂଦନା ତୋଳେ ଲୋହିତ ଅଧରପ୍ରାଂତ ।

“ବୁଦ୍ଧ ଶରଣ... ବୁଦ୍ଧ ଶରଣ...!” ନିହିତ ତହିଁ କି ସତ୍ତା ?

ବିଲୋଳା ବାସବଦତ୍ତା ॥

 

“ଶରଣ ହେ ମୋର ବୁଦ୍ଧ !”

ଭିକ୍ଷୁର ସ୍ୱର ଅମିୟ ଭାବର ଆବେଶରେ ଅବରୁଦ୍ଧ !

 

ସୌମ୍ୟଶାଂତ । ଦିବ୍ୟକାଂତ । ଯାଯାବର ଯୁବାଭିକ୍ଷୁ

କେଉଁ ଦୁର୍ବାର ଆହ୍ୱାନରେ ସେ ଦୂରାଂତରର ଦୀକ୍ଷୁ ?

ମୁନିମନଟଳା ନୃତ୍ୟଚପଳା ମୁଦେ ଆବେଗରେ ନୟନ

ଲାଗେ ତାକୁ ତହିଁ ଏଇମାତ୍ର ହିଁ ଲୟ ତା ଲଭୁଛି ଲୟନ !

 

ବକୁଳରେ ବର-ମାଲ୍ୟ ମନାସି ଅକୂଳରେ ଉଭା ଚିତ୍ତ

ବରିଲା ଶ୍ରମଣେ ଜୀବନ-ଦେବତା ପରାଣର ପ୍ରିୟବିତ୍ତ !

ଯା’ର ଯୌବନ କରେ ବଂଦନ କୋଟିକୁବେରର କଂଠ

ଭିକ୍ଷୁ ଲାଗି ତା ମନ-ମଂଦିରେ ଘନଘନ ବାଜେ ଘଂଟ ॥

 

ତୂଳିତଳ୍ପ ତା ତିଆଗି

ଧୂଳିମଂଡିତ ପଥେ ଉପନୀତ ସୁହାସିନୀ ସୁହସୁହାଗୀ !

ଭିକ୍ଷୁର ପାଶେ ବିଧୁବଦନା ସେ ବାଢ଼େ ହୃଦୟର ତଥ୍ୟ

କରେ ବିବୃତ ନିଜ ନିଭୃତ ପ୍ରେମର ପରମ ସତ୍ୟ ॥

 

“ଧମ୍ମ ଶରଣ...ସଂଘ ଶରଣ... ଶରଣ ହେ ମୋର ବୁଦ୍ଧ !”

ପ୍ରାଣଭରା ସ୍ୱର ତୋଳେ ବରାବର ପଦାବଳୀ ପରିଶୁଦ୍ଧ ।

 

“ବୁଦ୍ଧ ନାମରେ ବାସନା କି ମରେ ? ଏ କିବା ଭକ୍ତିମତ୍ତା?

ତନୁମନ ତାର ବାଢ଼େ ତବ ପଦେ ତରୁଣୀ ବାସବଦତ୍ତା !”

ପଥଚାରୀ ଆଗେ ପତାଇ ସରାଗେ ଆନମିତ ତାର ଆସ୍ୟ

ବରାଂଗନା ସେ ମିଳନ ମନାସେ ... ମୁଦ୍ରିତ ମୃଦୁହାସ୍ୟ ॥

 

ନିର୍ଜନ ପଥପ୍ରାଂତ...

ଉଭା ତହିଁ ପୁଣି ପ୍ରୀତି-ଭିକ୍ଷୁଣୀ... ଉଭା ସେ ଶ୍ରମଣ ଶାଂତ ।

ତୋଳେ ତନ୍ମୟୀ ମିଠାସୁରେ ତହିଁ ଅଂତରପ୍ରେମ ଗୋପନେ

“ଗୀତ ଗାଇଯାଉ ଦୁଇଟି ପରାଣ ହଜିଯାଉ ଗୋଟେ ସପନେ ॥”

 

ଆଜି ଏ ଜୀବନସଂଜେ...

ମନେପଡ଼େ ଦିନେ ସକାଳର ଫୁଲ ଫୁଟିଥିଲା ତାର କୁଂଜେ !

 

କହିଥିଲେ ସେଇ ପ୍ରଭାତୀ ପାଂଥ ସେଦିନ ଚଟୁଳ ଅଧରେ :

ବାଂଧବୀ ଆଗୋ ! ଶୁଣିନିଅ ମୋର ଅଂତରବାଣୀ ସାଦରେ

ଆସିନି ମୋ ଲାଗି ସମୟ

ପ୍ରଜାପତିର ସେ ପ୍ରଗଣାରୁ ମତେ ଡାକିନି ଆଜି ବି ପ୍ରଣୟ ।

 

ଯେଦିନ ଡାକିବ ମାନିନୀ,

ସେଦିନ ସହାସେ ଯିବି ତବ ପାଶେ ଯାପିବି ଜ୍ୟୋତ୍ସ୍ନାଯାମିନୀ ।

ରୂପସୀ ରକ୍ତବସନା !

ପ୍ରଣୟ-ଛଂଦେ ପୂର୍ଣ କରିବି ତବ ପରାଣର ବାସନା ॥

 

୨।

ଦିନ ପରେ ଦିନ ବିତିଛି ଏସନ ଆସିନି କାହିଁ ତ ଶ୍ରମଣ

ବିରହମାନାର ବକ୍ଷେ ଜାଗିଚି ଶତରାତ୍ରିର ଜ୍ୱଳନ ।

ସେ ଆଜି ଦେଖୁଚି ଜୀର୍ଣଧୂସର ଆପଣା ଭାଗ୍ୟ-ଭୂଲୋକ

ଖୋଜୁଚି ଆକୁଳେ ଆଜି ଏ ତିମିରେ ଅରୁଂଧତୀର ଆଲୋକ।

 

ରମ୍ୟରୁଚିର ହର୍ମ୍ୟର ଆଉ ଚିହ୍ନ ତ ନାହିଁ ମାଟିରେ

ନଗର-ପ୍ରାଂତେ ରହିଚି ନଟିନୀ... ଏକାକିନୀ ଏକ କୁଟୀରେ ॥

 

ଦିନେ ଥିଲା ସିନା ହାସ୍ନା-ହାସିନା ମାଦକିନୀ ମନୋହାରିଣୀ...

ଆଜି ବୟସର ବାଲୁବଂତରେ କ୍ଳାଂତ ସେ ପଦଚାରିଣୀ !

ଅଂଧାରେ ସତ ହୁଡ଼ିଚି ବି ପଥ ବୁଡ଼ିଚି ବିଚାରୀ ପଂକେ

ଆଲୋକର ଦାନ ଦେବ ତାରେ କିଏ ଏଇ ଅଂତିମ ଅଂକେ ?

 

ତଥାପି ବାସବଦତ୍ତା

ଆଜି ବି ଚାହିଁଚି ଆସିବେ ‘ସେ’ କେବେ ?

ବାହୁନେ କି ବାଗ୍‌ଦତ୍ତା ??

 

ଘଷରା ଘାସରେ ଲେପି ସେ ଯାଇଚି ଅସରା କାକର କୋହର

ଶୁଭିଚି ଏ କାଳେ କୁଟୀର ଦୁଆରେ ଦରଦୀ ଗୋଟିଏ ଲହର !

ବୁଦ୍ଧର ବାଣୀ ବରାଭୟ ଆଣି ଶୀତଳାଏ ବେନିଶ୍ରବଣ

ବହୁଦିନ ପରେ ଆସିଚି କି ଆହା ଆସିଚି କେ ଘେନି ଶ୍ରାବଣ !

 

ଛିଡ଼ା ରହି ତାର କ୍ଷୀଣପ୍ରଦୀପିତ ପର୍ଣକୁଟୀର ଦୁଆରେ

ଦେଖିଚି କେ ଭଣେ ଭାବଭୋଳା ଜଣେ ବୁଦ୍ଧଚରିତ ବାହାରେ ॥

 

“ଧମ୍ମ ଶରଣ ସଂଘ ଶରଣ ବୁଦ୍ଧ ଶରଣ ବୁଦ୍ଧ !”

ସ୍ୱରଲହରରେ ସ୍ପଂଦନ ଭରେ ସେଇ ବଂଦନା ଶୁଦ୍ଧ !!

 

“କେ ତୁମେ ସଂଥ ବିନୟବଂତ, ଭିଜାଅ ଅଂତଃକରଣ ?

ଏ ଭବେ ଭରି ତ ବୁଦ୍ଧଚରିତ ବିମଳାଅ ବାତାବରଣ !”

“ଆଜି ଏତେଦିନେ ଆସିଚି ତୁମରି ପାଶେ ମୁଁ ବାସବଦତ୍ତା

ପିଆସିନୀ ପ୍ରିୟା, ପାସୋରୁଛ କିଆଁ ପରିଚିତ ସେଇ ପତ୍ତା ?

 

ସେଦିନର ସେଇ ଭିକ୍ଷୁ-ପ୍ରଣୟୀ ଆସିଚି ମୁଁ ତବ ଲକ୍ଷ୍ୟେ

ରଚିବା ଆସ ଗୋ ନବଅଭିସାର ସବୁଜ ଧରଣୀବକ୍ଷେ ॥”

 

ଅବଶ ଅଷ୍ଟ ଅଂଗରେ ତାର ହେଲା କି ଚମକ ରଚନା

ସେଦିନ ସ୍ମୃତିରେ ଶତଗୁଣ ହେଲା ଶୋକୋଚ୍ଛ୍ୱସିତ ଶୋଚନା !

 

“ଆଉ କିଆଁ ତମେ ଆସିଲ ଦେବତା ଆଜି ଯଉବନ ଶେଷରେ ?

ପୂଜାରିଣୀ ତବ ସତେ ବା ତୁମରେ ଅରଚିବ କେଉଁ ବେଶରେ ?

ସେଦିନର ସେଇ ତନ୍ୱୀ-ତଟିନୀ ରୂପର ରଜନୀଗଂଧା

ଆଜି ହାୟ ପରା ଜରା-ଜର୍ଜରା... ସମାଗତ ଶୀତସଂଧ୍ୟା !

 

ସେଦିନ କି ଆଉ ଫେରିବ ଲଂଘି ସମୟର ସେତୁବଂଧ ?

ପଥଭିକ୍ଷୁକା ଆଜି ସେ ମାତର ଆସିଚ କି ତମେ ଅଂଧ ?

ରାଜ-ଆଶ୍ରୟ ବଂଚିତା ଏବେ ସେଦିନର ରାଜନଟିନୀ

କାନନେ ତାହାର ବଂଧୁ ଗୋ ଆଜି ତୁମ ପାଇଁ ଫୁଲ ଫୁଟିନି !

 

ତଟିନୀର ତୀରେ ସିକତା ଫିଂଗି ଲେଉଟିଗଲାଣି ବନ୍ୟା

ବ୍ୟଥାର ରାଗିଣୀ ଗାଇଯାଏ ସିଏ ବିଧୁରା ବୟସୀ-କନ୍ୟା !

 

ସେଦିନ ସିନା ମୁଁ ସାଇତିଥିଲି ଏ ବକ୍ଷେ ପ୍ରୀତିର ପୀୟୂଷ

ସେଦିନ ହଜିଚି ! ଆସିଚି ଗୋ ଆଜି ଝରାପତ୍ରର ପଉଷ !

ହସେନା ଆଉ ଏ ହିମରଜନୀରେ ରକ୍ତଗୋଲାପଗୁଚ୍ଛ...

କୃଷ୍ଣଚୂଡାର କ୍ରଂଦନେ ହଜେ ମଉଳାସ୍ମୃତିର ଉତ୍ସ !

 

ଫେରିଯାଅ ହେ ମୋ ସ୍ମୃତିର ଅତୀତ !

ଫେରିଯାଅ ହେ ମୋ ଫଗୁଣ !

ମରଣ-ମରୁରେ ହଜିଯାଉ ମୋର ଜୀବନଟି ଭାରି କରୁଣ ।”

 

ବିଧୁରା ବାସବଦତ୍ତା

କୋହ-ଉଚ୍ଛଳ ବୁକୁର ନିବିଡ଼ ଅଭିମାନେ ଉନ୍ମତ୍ତା ॥

 

“ଅଭିମାନ କିଆଁ ବାଂଧବୀ ମୋର ! ଆସିଛି ମୁଁ ତୁମ ଦୁଆରେ

ସେଦିନର ସ୍ମୃତି ଦିଅନା ଗୋ ଧୋଇ ଆଜି ଏ ଅଶ୍ରୁଜୁଆରେ !

 

ମରଣର ଏଇ ଉପକୂଳେ ଆମେ ଦୁଇଟି ଜୀବନ-ଯାତ୍ରୀ...

କ୍ଷୁଣ୍ଣ କିଆଁ ଗୋ ପାହିଗଲା ବୋଲି କ୍ଷଣ-ଯଉବନ-ରାତ୍ରୀ ?

ଜୀବନେ ତୁମର ଆଲୋକଦାତା ଯେ ପ୍ରଭୁ ତଥାଗତ ବୁଦ୍ଧ

ଆଶିଷେ ତାଂକ ଅନାଗତ ହେବ ଉଦୟନ-ଉଦ୍‌ବୁଦ୍ଧ !

ସଂତାପ କିଆଁ ସଜନି !

ହେଉ ସମାପନ ଅଳୀକ ସପନ ସେଇ ରଜୋବତୀ ରଜନୀ ॥”

 

“ବୁଦ୍ଧ ଶରଣ...ବୁଦ୍ଧ ଶରଣ... ଆହା କି ସଜଳ ଶାଂତି !

ଆଜି ଏତେଦିନେ କଟିଛି ମୋହର ବିକଳ ସକଳ ଭ୍ରାଂତି ॥”

 

ଆଜି ବୈଶାଖ ପୂର୍ଣିମାରାତେ ଭାଳଇ ବାସବଦତ୍ତା

ସ୍ୱପ୍ନ ହୋଇଚି

ସତ୍ୟ ତାହାର

ସ୍ମୃତି ପାଲଟିଛି ସତ୍ତା ॥

ଉତ୍ସ :‘ସତ୍ୟ-ଶିବ-ସୁଂଦର’,ସଂପାଦକ : ସୁକାଂତ ମିଶ୍ର,୧୯୭୦

 

ବାଜପୁର

 

ବାଜପୁର, ବାଜପୁର

ସ୍ମୃତି ତମ ଆସି ହଜିଯାଏ ପୁଣି

ଯେମିତି ଗୋଟିଏ

ଦୂର ବଇଁଶୀର ସୁର ।

ଦୂର ତମେ... ବହୁ ଦୂର

ପ୍ରିୟତମ ବାଜପୁର ॥

 

ତମରି ସଂଗେ ସାକ୍ଷାତ ମୋର ଘଟିନାହିଁ ବହୁବାର

କେଇଥର ଦେଖା... ତାଆରି ଭିତରେ ତମେ କି ଅଶ୍ରୁଧାର ?

ଦରଭୁଲା ଗୋଟେ ସଂଗୀତ ପରି ତମେ ଆଜି ମନେପଡ଼

ତମରି ମଣିଷ ବରୁଣେଇଠାରୁ ଆହୁରି ଅନେକ ବଡ଼ ।

ବାଜପୁର, ବାଜପୁର

ବୁକେ ତମ ସତେ ବାଟଚଲା କେବେ - ହେବ ସଂଭବପର ?

 

ବାଜପୁର, ବାଜପୁର

ତମ ଆକାଶରେ ଜହ୍ନ କି ଉଏଁ ?...

ଖବର ରଖିନୁ ତାର !!

ଉଆଁସ ରାତିରେ ଆମ ଏ ସହରେ ବିଜୁଳିର ତରା ଜଳେ

କନାର ଆକାଶେ ସୂର୍ଯ ବି ଉଏଁ ... ଇଂଦ୍ରଧନୁ ବି ଢଳେ ।

 

ତମ ପରି କେଉଁ ଛୋଟ ଗାଆଁଟିର ଖବର ରଖିଲେ, ଆମ -

ସାଧାରଣଜ୍ଞାନ ବଢ଼ିବ ନାହିଁ ତ କମାଇବୁ କାହୁଁ ନାମ?

ଦୂରବିଦେଶର ଜ୍ଞାନ ଅର୍ଜିଲେ ପ୍ରତିଯୋଗିତାରେ ଜିଣି

ଆମେ ସବୁ ହେବୁ ବଡ଼ ଅଫିସର୍‌... ସ୍ୱପ୍ନ ପାରିବୁ କିଣି !

 

ତମ କଥା ସବୁ ଜାଣିଜାଣି ଜାଣ ପାସୋରିସାରିଛୁ ମନୁ

ଠିକଣା ତମର ହଜାଇ ସାରିଚୁ - ବହୁଦିନୁ, ବହୁଦିନୁ...

ତମରି ଗୋହିରି ତମରି କିଆରି ଯାଇଚୁ କେବଠୁ ଭୁଲି

ଆମେ ନୋହୁଁ ଆଜି ସେଦିନର ଶିଶୁ ସେଦିନର ମଫସଲି !

 

ଚଷମା ଭିତରୁ ଦେଖିଚୁ ଅନାଇ ଝାପ୍‌ସା ଆମର ଗାଆଁ

ଯାଯାବର ଆମେ - ଏ ମରୁପଥରେ ଭୁଲିଚୁ ତମର ନାଆଁ ॥

 

ତମ ନାଆଁ ଛାପେ ଖବରକାଗଜ ଘରପୋଡ଼ି ହେଲେ କେବେ

ତମ ନାଆଁ ଶୁଣୁ ତମରି ମଣିଷ ଅନାହାରେ ମରେ ଯେବେ !

ବିଧାନସଭାରେ ତମ ଦାବୀ ପୁଣି ଲୁହଟୋପା ହୋଇ ଝରେ

ସବୁଦିନ ପାଇଁ ପ୍ରତିଶ୍ରୁତିର ପୁନରାବୃତ୍ତି ତଳେ... !

ଆତ୍ମା ତମର ଅଜାଡ଼ି ଦିଅନା ମିଥ୍ୟା ଏ କୋଳାହଳେ

ସ୍ୱପ୍ନ ତମର ଉଜାଡ଼ି ଦିଅନା ଜୀବିକାର ଜଂଜାଳେ ॥

 

ତମେ ଥାଅ ମୋର ଗୀତିକବିତାରେ ଧବଳ ଆବେଗ ପରି...

ତମେ ଥାଅ ମୋର ପ୍ରତି ଚୁଂବନେ ନୀଳ ଶୀତ୍କାର ଭରି !

ଅଶ୍ରୁ ତମର କବିତାକୁ ମୋର ଓଦା କରୁ ଝରିପଡି...

ସବୁ ମୋ ଧୂସର ବାସ୍ତବେ ଡାକ ଶ୍ୟାମଳ ସ୍ୱପ୍ନ ଧରି ॥

 

ବାଜପୁର, ବାଜପୁର

ଅଜ୍ଞାତ ଏଇ କବିର କାମନା ସରିବନି କାଳକାଳ !

ତଥାପି ହେ ମୋର ବାଲ୍ୟ-ସପନ, ହେ ମୋର କୈଶୋରିକା,

ଅନେକ ସ୍ମୃତିର - ହେ ଦୂର ରାଗିଣୀ, ହେ ଚିର ଅସମାପିକା;

ଶେଷଦିନ ଯେବେ ପାଖେଇ ଆସିବ ଫେରିବି ତମର କୋଳେ

ହଜିବି ତମର ଅଂଧକାରର ଭୁଜ-ବଂଧନ ତଳେ... !

 

ସହର ଆଲୁଏ ଦିଶେ କୁତ୍ସିତ ଏ ମୋ କୁର୍ତାର ତାଳି

ଜୀବନର ସବୁ ଦୈନ୍ୟ ଭୁଲିବି ତମ ବାଟ ଦିନେ ବାରି !

ବାଜପୁର, ବାଜପୁର

ଶେଷନୀଡ଼ ତମେ ସ୍ୱପ୍ନପାଗଳ ଛୋଟ ଏଇ ଚାତକର !

 

ମାୟାବିନୀ ଏଇ ସହରର କେଉଁ କବରଖାନାରେ ନୁହେଁ,

ବରିବି ସମାଧି ତମ କୋଳେ ଦିନେ... ଚାହିଁବି ତମରି ମୁହେଁ !

ସେଇଠି ଦେଖିବି ତମରି ବୁକୁରେ ସଜଳ ସୂର୍ଯୋଦୟ...

ସେଇଠି ଭୁଲିବି ଛୋଟଜୀବନର ଜୟ ଆଉ ପରାଜୟ ॥

 

ବାଜପୁର, ବାଜପୁର

ତମରି କାକଳି, ତମରି କୁହୁରେ ଅଂତର ଭାରାତୁର !

 

ହେ ମୋର ପ୍ରେମର ପ୍ରଥମ ସ୍ୱପ୍ନ !

ତମେ ଆଜି କେତେ ଦୂରେ...

ତଥାପି ତମର ରାଗିଣୀ ଶୁଭୁଚି ଏ ମୋର ହଂସପୁରେ !

ବଂଶୀ ବାଜୁଚି ଆହୁରି ଆତୁରେ...

ଆହୁରି ଦୁଃଖେ ଧୀରେ...

ଚକୁଆର ଲୁହ ବନ୍ୟା ଆଣୁଚି ଗ୍ରାମ୍ୟନଦୀର ତୀରେ ॥

 

ସେଇ ଶୋକ, ସେଇ ସ୍ୱପ୍ନ ତ ନୁହେଁ

ଝରିବାର ଏ ମାଟିରେ...

ଏ କାମନା, ଏଇ ପ୍ରାଣର କବିତା

ସରିବାର ଅଛି କିରେ ?

 

ହେ ମୋର ଶ୍ୟାମଳ !

ହେ ମୋର ସବୁଜ !

ହେ ମୋର ସୁଦୂର ପ୍ରିୟ !

କୋହ-ଉଚ୍ଛଳ କବିର ଗଭୀର ମାର୍ମିକ ନତି ନିଅ॥

 

ମାମୁଁଘର ଗାଁ

 

୧-

ରାତି ଅଧ ହେଲେ ମଶାଣି ଛାତିରେ ଡାହାଣୀ ଆଲୁଅ ଦିଶେ

ରାତିର ପବନ କହିଯାଏ କେଉଁ

କିଆ ମୁଲକର କଥା

ଚିରୁଗୁଣୀ ସେକେ କଅଁଳା ପିଲାକୁ

ଗୋସାଣୀ ଲୁଲାବି ଗାଏ !

ପାହାଡ଼ ପାହାଡ଼ ଅଂଧାର ବୁକେ

ମାମୁଘର ଗାଆଁ

ଗୁଂଜିଦିଏ ତା ମଥା ॥

 

ମାମୁଘର ଗାଆଁ ଶୋଇପଡ଼େ ଯେବେ ଅଂଧାର ଆଢ଼ୁଆଳେ

ବାଉଁଶବଣରୁ ପବନ ସୁସୁରି ମାରେ !

ଆଖୁକିଆରିରୁ ତେଂଡାଶବଦ ଶୁଭେ...

ପିତାଶୁଣୀ ଡିଏଁ ଖଜୁରିଗଛରୁ

ପାଟିରୁ ରକତ ଗାଳେ !!

 

 

 

ପୋଖରୀ ଭିତରୁ ଧଂଡ ଅନାଇରହେ

ମାଛମହଲରେ ଚହଳ ପଡ଼ଇ ଯାଇ

ଯୋରପାଣିସୁଅ ବହିଯାଉଯାଉ

ଶାଗୁଆ ନଟାକୁ ଥିରିଥିରି ଡାକି କହେ :

ତୁନିତାନି ହୋଇ ଶୋଇପଡ ସବୁ...

କିଛି ନାଇଁ କିଛି ନାଇଁ ॥

 

ମାମୁଘର ଗାଆଁ ଶୋଇପଡ଼େ ଯେବେ

ଆଖିପତା ବୁଜିଦେଇ

ମୁଗକୋଳଥର କିଆରି ଭିତରୁ

ବୁଢ଼ୀଅସୁରୁଣୀ ଡାକେ

ସେପାରି ଆକାଶୁ ଅଂଧାର ଆସେ

ଚାଳର ମଥାନ ଡେଇଁ

ମଣିଷର ମନ ଅନାଏ ସେଇଠି

ଭୟର କୁହୁଡ଼ିଫାଁକେ ॥

 

ରାତିର ଡେଣାରୁ ଚୂନାଚୂନା ତାରା ଖସେ...

ଚୂନାଚୂନା ତାରା ହସେ !

 

ଚୂନାଚୂନା ତାରା

ତରକି ତରଳିଯାଏ

ତାଆପରେ ଖାଲି

ଝରିଆସେ ପୁଣି

କାକର ଟୋପାକୁଟୋପା

ଓଦା ଘାସଫୁଲ ଶୁଖିଲା ଆକାଶେ ଚାହେଁ

ମାଟିରେ ନିଗାଡ଼େ

ଅଶ୍ରୁ ଥୋପାକୁଥୋପା ॥

 

୨-

ରାତିର ଚଢ଼େଇ ତାଳଗଛେ କାହିଁ ବସେ

ନଡ଼ିଆଗଛରେ ଜହ୍ନ ମୁରୁକିହସେ !

ଫସଲକ୍ଷେତରୁ ତୁନିପଡ଼ିଆସେ କ୍ଷେତଜଗାଳିର ଘର

ଘୁଁଗୁଡ଼ି ଭିତରେ ସାଇଁ ସାଇଁ ସାଇଁ

ପବନ ଗରଜିଯାଏ

ନିଭିଆସେ ପୁଣି ଡିବିରି ଆଲୁଅ

ମଶାଣି ମାଟିର ଧୁନି...

କ୍ଳାଂତ-ତପତ ରାତିର ବେଦନା

ବାଟ ଖୋଜି ଖୋଜି ଯାଏ ॥

 

ଚିରୁଗୁଣୀ ଆଉ ବୁଢ଼ୀଅସୁରୁଣୀ-ଇଲାକାଟି ପାରିହୋଇ

ସପନର ପରୀ ଛପି ଛପି ଆସେ...

ଏ ଗାଆଁଭୂଇଁକୁ

କୁହୁଡ଼ିର ନାଆ ବାହି

ଆଖିରେ ଆଖିରେ ନିଦ ଥୋଇଯାଏ

ଗାଆଁଟି ପଡ଼ଇ ଶୋଇ ।

ଡାହାଣୀ ଆଲୁଅ ନିଭଇ ସତେ ବା

ସପନ ଭିତରେ କାହିଁ ॥

 

୩ -

ମାମୁଘର ଗାଆଁ ଶୋଇପଡ଼ିଥାଏ

ଜାକିଜୁକି ହାତଗୋଡ଼

ଏତେବେଳେ କାହୁଁ ମହମହ ବାସ

ପବନେ ଆସଇ ଭାସି

ହଲେ ନାଇଁ ଆଉ ଗଛର ପତର...

ଶୁନ୍‌ଶାନ୍‌ ସବୁଆଡ...

ବେଳେବେଳେ ପୁଣି ପାଖପଡ଼ିଶାର

ଛେଳିଟା ଉଠଇ କାଶି ॥

 

କୁନିଛୁଆପରି ଜହ୍ନଆଲୁଅ ପଡ଼ିଆ ପିଠିରେ ଖେଳେ

କନିଅର ଫୁଲ ଦୂରାଗତ କେଉଁ

ସ୍ୱପ୍ନ ଭିତରେ ହଜେ

ମୃଦୁ ମଂଥିତ ପତର ଉପରେ ସହସା ଏତିକିବେଳେ

ଛମ୍‌ଛମ୍‌ କାହା

ପାଦର ପାଉଁଜି ବାଜେ !

ତାଆପରେ ବୋଧେ ଜହ୍ନଆଲୁଏ

ଘାସଫୁଲ ଗୀତ ଗାଏ

ବାଟର ଭଂଗା ପଥର ଚମକି ଚାହେଁ॥

 

ଭଂଗାଦେଉଳେ ଲକ୍ଷ ଅଜଣା ଧୂପର ମହକ ଛୁଟେ

ରୂପକାହାଣୀର ରାଜଜେମା କାହିଁ

ଚୁପ୍‌ଚାପ୍‌ ଚେଇଁଉଠେ !

ହାଲୋଳି ଉଠଇ ଚଉଦିଗଯାକ

ଅଂଧାର ପଶେ କଣେ

ମାଆ ନାରାୟଣୀ ବାହାରିବେ ଏବେ

ଗାଆଁଗୋଟା ଦରଶନେ ॥

 

୪-

ଲକ୍ଷ ତାରାର ଦିହୁଡ଼ି ଜଳାଇ ହାତେ

ଆରହାତେ ଧରି ଚକ୍‌ଚକ୍‌ ତୋର

ବାରହାତୀ ତଲୁଆର

ମାଆ ଲୋ ସତେ କି

ବୁଲିଆସୁ ତୁହି

ଗାଆଁଟା ଗୋଟିକ ରାତେ ?

ରାତି ଗୋଟିକରେ ବୁଝୁ କି ମାଆଲୋ

ସବୁରିର ସମାଚାର ??

 

କହ ମାଆ, କହ

ତୁ କି ଉଡ଼ିବୁଲୁ

ତାଳବାହୁଁଗାର ରଥେ ?

କହ ମାଆ, କହ

ଷୋଳହାତୀ ଶାଢ଼ି

ଲାଗେ କି ହାଲୁକା ଏତେ ??

 

୫-

ମାମୁଘର ଗାଆଁ କୁହୁଡ଼ି ଭିତରେ ସକାଳର ଗୀତ ଗାଏ

ମାମୁଘର ଗାଆଁ ଯଶୋଦା ବୁକୁର ମମତା ବରଷିଯାଏ !

ପୋରୁହାଁ ସୂର୍ଯ ଏ ଗାଆଁମାଟିକୁ

ପ୍ରାଣଭରି ଭଲପାଏ

ଏ ମାଟି କାଂଦେ ଦୂରବଇଁଶୀର ମୂର୍ଛିତ ଅଭିଳାଷେ

ଗୋପର ସ୍ୱପ୍ନ ଘାସର ଡେଣାରେ

ଭାରି ହୋଇ ବସିଯାଏ

ରାତ୍ରିଶେଷର ଅଂଧାର ଚିରି ପୋରୁହାଁ ସୂର୍ଯ ଆସେ॥

 

ସତେ ଅବା ସିଏ ବଂଦୀଶାଳାର ପଳାତକ ବସୁଦେବ

ଗୋଟିଏ ରାତିରେ ପାରିହୋଇ ଆସେ

ଲଂବା କୁହୁଡ଼ି-ନଈ...

ମସ୍ତକେ ତାର ସତେ ବା ସେ କେଉଁ ନିଦ୍ରିତ ଶଇଶବ

ସ୍ୱପ୍ନ-ମଗନ ସତେ ବା ସେ କେଉଁ

ସମୟର କହ୍ନାଇ !

 

ତାଆରି ସକାଶେ ଏ ଗାଆଁ ଆକାଶେ ପୋରୁହାଁ ସୂର୍ଯ ହସେ

ଗୋଟିଏ ରାତିର ଅଂଧାର ଚିରି ବସୁଦେବ ଏଇ ଆସେ !

ସେଇ ଅଂଧାରେ କଡ଼ ଲେଉଟାଏ ନିଦ୍ରିତ ଶିଶୁ ତାର

ନିଃଶ୍ୱାସ ତାର ବାଜୁ ନବାଜୁଣୁ ଉଡ଼ିଯାଏ ଅଂଧାର !!

 

ଇତିହାସ ଦେଖେ ଭ୍ରୂଣର ସ୍ୱପ୍ନ

ରାତ୍ରି ସକାଳ ମାଗେ

ଶାୟିତ ସେ କେଉଁ ଅନାଗତ ପାଇଁ

କଅଁଳ ଚେତନା ଜାଗେ॥

 

ଏ ଗାଆଁର ବିଲ

ସେଇ ଚେତନାର ଶ୍ୟାମଳ ସ୍ୱପ୍ନ ଦେଖେ

ଏ ଗାଆଁର ଫୁଲ

ସେଇ ଚେତନାର ଲୋହିତ ସ୍ୱପ୍ନ ଲେଖେ !

ସେଇ ଚେତନାର ସ୍ୱପ୍ନ ଭିତରେ

ଭାଂଗେ ଗାଆଁର ନିଦ

ସେଇ ସ୍ୱପ୍ନର ଜଣାଣ ଭିତରେ

ମଣିଷ ବି ତାର

ନୂଆ ସକାଳକୁ ଡାକେ॥

 

ଗ୍ରାମାୟଣ

। ୧।

ଶଂଖାବତୀର ସଖାଳ ଓଳାଏ

ସୁନାଖଡ଼ିକାରେ ଖରା

ଉଷୁମ୍‌ ଆଲୁଏ ହେବାକୁ ହିଁ ହୁଏ

ଏଇଠି ଆତ୍ମହରା !

ଭଲଲାଗେ ତମ ଭାନୁମତୀ ବେଶ

ପରଦେଶିଆକୁ ପଥନିର୍ଦେଶ

କେଇପଟ ପାଣିକାଚର କବିତା

କେତେ କଲ୍ଲୋଳଭରା !

। ୨।

ଫଟାକାଂଥର କପାଳରେ କେତେ

ପିଠଉର ପାଣିମରା

ଲକ୍ଷ୍ମୀପାଦର ଚିତଉଚିହ୍ନ

ଚଟାଣକୁ ଚୁମେ ପରା !

ହସ ତମ ବନହରିଣୀ ମନର

ଖୁସି ପୁଣି ପୋଷା ପୁଷିଟେ ତମର

ହେଲେ କେବେକେବେ କାଂଦ କାହିଁକି

ଚାଂଦରାତିର ଚରା ?

। ୩।

ଛାଟିପିଟି ହୁଏ ଛାଇଅଂଧାର

ଛଣବଣବାଟସାରା

ତମ ବୈଶାଖୀ ବର୍ଷାରେ ହୁଏ

ବାଟୋଇ ମୁଁ ବେସାହାରା ।

କେମିତି ନିଜକୁ ପାଏ ମୁଁ କେଜାଣି

ଓଦା କରେ ତମ ଓଳିତଳ ପାଣି

ମତେ ଲାଗେ ମୋର ଚାରିପଟେ ତମେ

କୁହୁକର କେଉଁ କାରା !

। ୪।

ପଣତରେ ପୁଣି ପଣ ତ ପୂର୍ଣ

ପତା ପାରେ ପତିଆରା

ଭୟାଳୁ ମୁଁ ଭାଳେ ଭାଂଗିବ କାଳେ

ଭଲପାଉପାଉ ଭାରା !

ପାନବରଜରୁ ଧାନବିଲଯାଏଁ

ଦିପହରଦୁହାଁ ଦିନସବୁ ଧାଏଁ

ମୁଁ ଦେଖେ ଦୂରରୁ ଦ୍ରୁତ ଦୁର୍ବାର

ଗୈରିକ ଗତିଧାରା !

। ୫।

ଡାଳରେ ଡାଳରେ ଡେଣାର ଡାକରା

ଚାଳର ଚିତ୍ର ଚିରା

ବାଉଁଶରାଣୀର ବାଆଁଡାହାଣକୁ

ବତାରୁଅଟିଏ ଢିରା !

ଢଳିପଡୁଥିଲେ ଢୁଳୋଉ ଢୁଳୋଉ

ସଂଠଣା ଶିଖେ ସବାସାନବୋହୂ

ଏ ଘରେ ଛୁଟିଲେ ବଘରା ବାସ୍ନା

ସେ ଘରେ ଫୁଟଇ ଜିରା !

। ୬।

ଦୂବବରକୋଳି ପତ୍ର ପରଶେ

ହଳଦୀ ହାତର ଶିରା

ଲାଜୋଈ ଲଖୀଁର ଲାଲିମାରେ ଲଘୁ

ଲାଗଇ ଲକ୍ଷହୀରା !

ଭଂଗାଭିଟାର ଭୂଗୋଳ ଭିତରେ

ଭେଟିଛି ତମକୁ ଭେଟିଛି ବି ଥରେ

ତମେ କେଉଁ କଳା ପଥର ପାଖରେ

ପ୍ରାର୍ଥନାମୟୀ ମୀରା !

 

। ୭।

ଗଣିପାରିନି ମୁଁ ନାଲିଗୋହିରିରେ

ଘରବାହୁଡ଼ାର ଘୂରା

ନୋଳାଦାଗ ପରି ନିଶାଣ ଆଂକେ

ନାଲବଂଧେଇ ଖୁରା !

ସ୍ମୃତି ଜଳିଉଠେ ସଂଜବତିରେ

କୁଣିଆଁ କାଶିଲେ କବାଟ କତିରେ

ଆଡ଼ଚାହାଣିକୁ ଆଢ଼ୁଆଳ କରେ

ଓଢ଼ଣାଟେ ଆଗତୁରା !

। ୮।

ଚପଳଛଂଦା ଛଇଛଟକରେ

ଛପଇ ଛପନ ଛୁରା

କଳକଂଠର କାଉଁରି କାହାର

ସୁରକୁ କରଇ ସୁରା !

ଗାଉଁଲି ଗୀତର ଗୋପପୁର ଗୋଟେ

ଓଲଟପାଲଟ ଓଡ଼ିଆଣୀ ଓଠେ

ଚହଲାପାଣିର ଚଉତରାଟିଏ

ପଦ୍ମପୋଖରୀ ପୂରା !

 

। ୯।

ଗହଳ ଗଛରେ ଗ୍ରାମଦେବତୀର

ଦେଉଳଗୋଟିକ ଘେରା

ସେଇଠି ସକାଳ ସଂଜରେ କେତେ

ଘରଣୀର ଘୂରାଫେରା !

ବନଦେବତୀକୁ ମନାସି ମନାସି

କିଏ ସୁଖୀ ହୁଏ କିଏ ସନ୍ନ୍ୟାସୀ

ମାଟିଘୋଡ଼ାହାତୀ ସାମ୍ନାରେ ଘାସ

କଅଁଳିଛି କେଇ କେରା !

। ୧୦।

ମିରିଗର କାନମାର୍କା ପାଦରେ

ମାଛଆଖିମାନ ଟେରା

ଡାକେ ବାଟ ପରେ ଡଅଁର ପାଖରେ

ଡିହ ଡାହୁକର ଡେରା !

କୋଇଲିର କୋଠି କାଉବସାକଡ଼େ

କୋଳିବଣରେ ମୁଁ ଖୋଜିଛି କୋରଡ଼େ

ଆଉ ବି ଦେଖିଛି ଅଧା ଆକାଶରେ

ଏକ୍‌ଲା ଏକଇ ଏରା !

 

। ୧୧।

ଏଣିକି ଅନାଅ ଏଣୀନୟନା ଗୋ

ଶେଣିକି ଲାଗିଛି ଓରା

କେଉଁଠି ବି କାହା କଲିଜାଟି ଆହା

ବେଣୀକଂଟାରେ କୋରା !

ଅଟକିବା ଆସ ଏଇଠି ଅଳପ

ଶୁଣିବା ଗୋଟିଏ ଶୁଆଶାରୀ ଗପ

ଘର ଚାରିପଟେ ବାରିହୁଏ ଗୋଟେ

ସଂସାର ଅପାସୋରା !

। ୧୨।

ରଇତ ‘ରାମ ଯେ ଲଇଖଣ’ ଭଜେ

କଳା ସଂଗତେ ଗୋରା

ଶାବନା ମୋ ସବୁ ସ୍ୱପ୍ନ ସତରେ

ଘନଭାବନାରେ ଘୋରା !

ସୋରିଷଫୁଲର ପାଖୁଡ଼ା ଉପରେ

ରହିଛ ଶିଶିରବିଂଦୁ ରୂପରେ

ଚଂପାଫୁଲଠୁ ଚହଟ ତମେ ଓ

ତଗରଫୁଲଠୁ ତୋରା !

 

ପ୍ରତିବଦଳ

 

ପ୍ରିୟ କେବେ ଯଦି

ଦିଏ ସୁନାମୁଦି

ନଈପାଣିରେ ତା

ୟହଜାନି

ପ୍ରେମୀ କେବେ ଯଦି

ଦେଲା ହୀରାମୁଦି

ଓଠରେ ଚୁମନି

ନଜାଣି !

 

ସୁନାମୁଦି ଯଦି

ହଜିଗଲା ହଜୁ

ଖତଗଦାକଡ଼େ

ଖୋଜନି

ସେଇ ପ୍ରିୟ ଦିନେ

ପାଇପାରେ ତାକୁ

ମାଛର ପେଟରୁ

ସଜନି !

 

ପ୍ରିୟ କେ ତୁମର ?

ପ୍ରେମୀ କେ ତୁମର ?

ହୀରାମୁଦି ହାୟ

ଗୁଣେ କି ଗୁମର ?

ଜମା କାଇଁ ମତେ

ଲାଗୁନି

ଜାଣେ ସେ କେବଳ

ଏ ପ୍ରତିବଦଳ :

ଚୁଂବନ ପାଇଁ

ଚିରନିଦ୍ରା ହିଁ -

ମନମୁତାବକ

ମାଗୁଣି !

 

ନାନାବାୟାଣୀ

 

। ୧।

କାଇପଦର, କାଇପଦର

କୃଷ୍ଣକେଶୀ      କଥା ହିଁ ବେଶି

ସାଇତିଚି ଏ ସାଇସଦର !

 

ଭିଜି ଭିଜାଏ ଭରାଭାଦର

ଚେତି ଚତୁରୀ      ସେଠି ବତୁରି

ଏଠି ପାଉଁଜି ଖୋଲେ ପାଦର !

 

ଖାଲଖମାକୁ କାଇଁ ଖାତର ?

ଚାହିଁଚାହିଁକା      ଚାଲେ ନାୟିକା

ମୁହଁ ମୁଡୁକେ - ମତେ ମାତର !

 

। ୨।

ପାନପତର, ପାନପତର

ସରେ ସହଳ      ସଜ ଷୋହଳ

ଉଡ଼େ ଉତୁରି, ଇଡ଼େ ଅତର !

 

ସତର ସିଏ ସାଢ଼େ ସତର

କଢ଼ି କୁସୁମ      କେତେ କିସମ ?

ପଢ଼ି ମୁଁ ନାଇଁ ପୋଥିପତର !

 

ତୁଠପଥର, ତୁଠପଥର

ଅଳପଧାର      ଅଳତାଗାର

ଚାରୁଚରଣ ଚୁମେ ଛଥର !

 

। ୩।

ଫୁଟିଉଠୁଚି ଫୁଲଫଜର

ଅଠା ଅଠର      କେଡ଼େ କଠୋର

ନୁଆଉଁନାଇଁ ନିଆଁନଜର !

 

କଥାଟେ କର : ନଥା ନଧର

ସତ ଟିକିଏ       ସ୍ୱପ୍ନ ସିଏ

ବିତି ନ ଥିବା ରାତିଅଧର !

 

କାଲି ତ କେଡ଼େ ନାଲିଅଧର

ଆଜି କଜଳ       ଆଖି ସଜଳ

କେଶବାସର କାଇଁ କଦର ?

 

। ୪।

କଳାଘୁମର, କଳାଘୁମର

କେ ଦେଲା ଚିରି      କଳାଝିମିରୀ

ନିଘା କି ତେଣେ ନାଇଁ ତୁମର ?

 

କାଇଁ କରାଟ କୁଂକୁମର ?

ଏଇ କୁଆଁରୀ      ନଈକୁ ନାରୀ

କରିପାରିବ କେଉଁ କୁମର ?

 

ଆରିଶି ଆଗେ ଉଭା ଉମର

ଏଇଠି ଇସ୍‌      ଊଣିଶ୍‌ବିଶ୍‌

ଗୁଣୁଗୁଣାଏ - ଗୁଡ଼େ ଗୁମର !

 

ଅସ୍ତବନସ୍ତ

 

ବୟସର

ବନସ୍ତ

ବନସ୍ପତି ବାସ୍ନା...

ମୁଁ କରିଚି

ମନସ୍ଥ

ହେନାଟି ହେବ ହାସ୍ନା !

 

କୁଆଡ଼େ

କାଇଁ

କେଉଁଠି

କୁଆକୋଇଲି ରାବ ?

ଆସିବି ଯଦି

ଲେଉଟି

ସାଉଁଟିଥିବ ଭାବ !

 

ଗହଳ ଗଜା

ଗଛେ

କେଳିର ନେଳି

ନଅର

 

ପ୍ରଜାପତିଟି

ପଛେ

ଭୁଆଁ ବୁଲୁଚି

ଭଅଁର !

 

ପୁଷ୍ପହାସ

ପଲ୍ଲୀ

ନାଆଁ ଦେଲା କେ ବାଛି

ମାଗେ ମାଳତୀ

ମଲ୍ଲୀ

ମାତାଲ୍‌ ମହୁମାଛି !

 

ବିଚାରୀ ବନହରିଣୀ

ହେଉ ନ ହେଉ

ହେମ

ମାଗିବି : ମନୋହାରିଣୀ,

ମନ ତୁ ମତେ

ଦେ ମ !

 

କୁଆଁରୀ

କାଠଚଂପା

କଳିଟି କମନୀୟ

ଅଳପ

ଅନୁକଂପା

ଏତେ ଅଧିକ ପ୍ରିୟ !

 

ଚଅଁର-ଚଲା

ଚରାରେ

ଚଢ଼େଇର

ଚଉଠି

ଖୋଜେ ମୁଁ ଖରା

ତରାରେ

ମନ ମୋର

ମହୁଠି !

 

ପାତିବା ପରେ

ପତରେ

ଫୁଲରି ଫୁଲଶଯ୍ୟା

ଆସିବ ସେ କି

ସତରେ

ବଧୂ ବାସକସଜ୍ଜା ?

 

ବୟସର

ବନସ୍ତ

କୁହୁଡ଼ି କେତେ କାନିରେ

କୁଆଡ଼େ କୁହ

ଗସ୍ତ

ରାତିର ରାଜଧାନୀରେ !

 

ବୟସର

ବନସ୍ତ

ଭରିବା ଆଗୁଁ

ବାସନା

ସରିଆସେ

ସମସ୍ତ

ମଦିରମଧୁ

ମାସ ନା ?

 

ବୟସର ବନସ୍ତ

ବିରହ : ବଣପୋଡ଼ି

କାଇଁ ମିଳନମସ୍ତ

ଶୁଆଶାରୀର

ଯୋଡ଼ି ?

 

ମାୟାଧର ମାନସିଂହ

 

ଓଦା-ସକାଳର ଶୀର୍ଣ ଏ ତରୁଶାଖେ

ଭାଂଗିବ କେବେ ଭୀରୁକପୋତୀର ମୋହ ?

ବସଂତରେ କି କୋଇଲିର ‘କୁହୁ’ ଡାକେ

ଏଇ ସୁକୁମାରୀ ସଂଧ୍ୟା ଭୁଲିବ କୋହ ??

 

ଏକ ଆତ୍ମାର ଅଶ୍ରୁଳ ଅବଦାନେ

ବନ୍ୟା ଆସିବ କେତେ ହୃଦୟର ହ୍ରଦୁଁ

ବାଲି ଓ ବେଳାର ବ୍ୟଂଜିତ ବ୍ୟବଧାନେ

ଫୁଟାଇବ ପାଦ-ପଦ୍ମ ପ୍ରିୟା ନା ବଧୂ ?

 

ଶୋକର ବାର୍ତା ହୋଇଲାଣି କେତେ ଲେଖା

କେତେ ଲୁହ ଢେଉ ଭାଂଗୁଛି କେତେ ଡୋଳେ

ଜୀବନ ତ ଜିଇ ଉଠିବନି କେବେ ଏକା

କେଇଦିନର ଏ କୃତ୍ରିମ କଳରୋଳେ !

 

ଯାବଜ୍ଜୀବନ ଯେତିକ ଯାଜ୍ଞସେନୀ

କାଂଦୁଥିବେ କି ଛିନ୍ନକମଳାୟନେ ?

ରକ୍ତ-ଶପଥେ ବାଂଧିବେ ନିଜ ବେଣୀ

ଫୁଲ ତ ଫୁଟିବ ... ଫୁଲ ତ ଫୁଟିବ ମନେ !

ବିଦାୟୀ ଆଜି ଏ ବତାସୀ ବଂଶୀସ୍ୱନେ

ଏକ ଆତ୍ମାର ମୂର୍ଛନା ଉଠେ ମାତି

ଝରାପତ୍ରର ଉଜୁଡ଼ା ଏ ଉପବନେ

ସେ ଜୀବନ କେବେ ଝାଉଁଳିବ ନାଇଁ ସାଥି !

ସେ ଜୀବନ ଯେତେ କ୍ରୁଶ-କଂଟକାଘାତ

ବରଣ କରିବ ପରମ ଆଶିଷ ସମ

ଯାତ୍ରାପଥରେ ଯେତେ ଯା କରକାପାତ

ମୃଦୁଛଂଦର ମର୍ମ ତ ମନୋରମ !

ଗୀତି-ଉଚ୍ଛଳ ପ୍ରୀତିର ଦେଉଳ ଦ୍ୱାରେ

ସେ ଜୀବନ ସେଇ ଚିର-ନିବେଦିତ ଧୂପ

ଆର୍ଦ୍ର ଅଶେଷ ଆଷାଢ଼ର ଅଭିସାରେ

ଧରାବତରଣେ ନିତ୍ୟ ବହିବ ରୂପ !

ସେ ପୁଣି ଆସିବ...ସେ ପୁଣି ମେଲାଣି ନେବ -

ସ୍ଥାନ-କାଳମୋଡ଼େ ସ୍ଥାବରେ ଓ ଜଂଗମେ

ପ୍ରେମଟିଏ ପୁଣି ହେମପୁଷ୍ପଟେ ହେବ

ସ୍ମୃତି ସହ ସଦା ସମୟର ସଂଗମେ !

***

ଏବେ ଏଇସବୁ ଅବତରଣିକା ଥାଉ

ଏ ବିଦାୟ ଚାହେ - ସେ ବଧୂର ବାହୁପାଶ

ଆତ୍ମାର ଆଶା କିଏ ସେ ବୁଝୁଛି ଆଉ

କିଏ ସେ ହେଜୁଛି ହୃଦୟର ହାହୁତାଶ ??

 

ଯାହାଲାଗି କବି, ବିରହ ବହିଲ ପ୍ରାଣେ

ସେ କି ବୁଝିଥିଲା ତୁମରି ନୀରବ-ବ୍ୟଥା ?

ଶିବ ସମ ତୁମ ପ୍ରଣୟ-ସାଧନା ଗାନେ -

ଫୁଟି ହେ କିଂତୁ କହିଲା କ୍ଷତର କଥା !

 

ଜୀବନକୁ ସେଇ କ୍ଷତଚିହ୍ନର ତଳେ -

ତୁମେ ତ ମଣିଛ ସ୍ୱପ୍ନ ମଧୁରତମ...

ଏ ମଧୁ-ସ୍ୱପ୍ନ ମଶାଣିର ଚିତାନଳେ

ନିଭିଯାଇପାରେ କେବେ କିବା, ହେ ପରମ ?

 

ଅଥଚ ଅନେକ ଆହତ ଊର୍ମି ନାଚେ

ବିଜନ-ବେଳା ତ ଯାଏ ଖାଲି ଗୀତ ଗାଇ

କାହା ହାତ ଆସି - ଏ ଜଗତୁ ଫୁଲ ବାଛେ

ମରଣ-କଂଠେ ମାଳା ଝୁଲାଇବା ପାଇଁ ?

 

 

ବିଜଡ଼ିତ ଏଇ ବିଜନବେଳାର ତୀରେ

ଜାଣିପାରୁନାଇଁ...ସେ କେଉଁ ସାଧବଝିଅ

ଛାଇଆଲୁଅରେ ଛିଡ଼ା ହୁଏ ଆସି ଧୀରେ

କାଂଦି ସେ ଡାକେ : କାହିଁ ହଜିଗଲ, ପ୍ରିୟ !

 

ବୈରାଗୀ ବହୁ ବୟସର ବୈଶାଖେ

ଜୀବନର ଜେମା ତୁମକୁ ତ ଆଜି ଝୁରେ

ଝୁରେ ବି ତୁମକୁ ଏଇ ସହକାର ଶାଖେ

ସଂଧ୍ୟାର ବନ-ବିହଗ ଅନତିଦୂରେ !

 

ଝରା-ପୂର୍ଣମୀ ଭରା-ଯାମିନୀର କୋଳେ

ଇରାନୀ କିଶୋରୀ-ସ୍ୱପ୍ନ ଭିତରେ ଆସି

ଜ୍ୟୋତ୍ସ୍ନା-ବିହାରେ ଲଳିତ-ଲାସ୍ୟ-ଲୋଳେ

ପ୍ରାଣ କି ତୁମର ଯିବ ତେଣୁ ପରକାଶି ?

 

ସଂଧ୍ୟାର କୂଳେ ସ୍ଥଗିତ ଯୌଥଗାନ

ସକାଳ-କଂଠୁ ଅକାଳ-ଏଲିଜି ଝରେ

ସବୁ ବେଦନାର ହେବ କି ହେ ଅବସାନ

ଆଜିଠାରୁ କବି, ଶତେକ ବର୍ଷ ପରେ ?

 

 

ଆଜିଠାରୁ କବି, ଶତେକ ବର୍ଷ ପରେ

ପ୍ରତ୍ୟେକ ପୁରେ ଆସିବ କି ନଇଁ ନଇଁ

ନବବଧୂ ସମ ଛଂଦବିଳାସଭରେ

ମଧୁମାସଟିଏ ତୁମ କଥା ପୁଣି କହି !

 

ତୁମେ ତ ନଥିବ ତୁମେ ତ ନଥିବ କାହିଁ

ଚରିଥିବ ଚାରୁ ଚଂପକବନେ ଚିତା

ଘନାଇ ଆସିବ ସଂଧ୍ୟାଶେଷର ଛାଇ

ଘର ଛାଡ଼ିଥିବ ପର ପାଇଁ ପୁଷ୍ପିତା !

 

ଶତବର୍ଷର ଅବଗତ ଅବକାଶେ

ତଥାପି ଦେଶର ତରୁଣତରୁଣୀ କବି,

ଛିଡ଼ାହେବେ ତୁମ ସମାଧିଶଯ୍ୟାପାଶେ

ଶହେଗୋଟି ଦୀପ ଜଳାଇବେ ସେଦିନ ବି !

 

ସେମାନେ କହିବେ - ସମୟକୁ ହାତ ଠାରି

ଶେଷଅଂକର ଏ ତ ନୁହେଁ ଯବନିକା

ହାରିବ ଝଂଜା ସରିବ ବର୍ଷାବାରି

ନିଭିବ ନାହିଁ ଏ ସଂଧ୍ୟା-ଦୀପର ଶିଖା !

ଉତ୍ସ :‘ଉତ୍କଳ ସାହିତ୍ୟ’ – ୧୯୭୩,- ସଂ : ଜ୍ଞାନୀନ୍ଦ୍ର ବର୍ମା

 

କବିତା : ଏକ ସଂବୋଧନ

 

ସରିଆସିଲାଣି

ବିବର-ବାସର କାଳ...

ହେ ମୋର କବିତା !

ଆଉ ନୁହେଁ ପରିହାସ

କେବେ ଦିନେ ଯଦି

ଥିଲ ମେଘ-ମଲ୍ଲାର,

ଏବେ ଗୋ ହୃଦୟ

ଓଦା କରିବାକୁ ଆସ॥

ଅୟୁତ ଆହତ

ଜୀବନର ଯତିପାତେ

ହେ ମୋର କବିତା !

ଦରଦୀ ଅଶ୍ରୁ ଢାଳ

ଅନାଦି ଯୁଗର

ମୌନତା ତମ ହାତେ

ପରଶିତ ହୋଇ

କଥା କହୁ ଚିରକାଳ॥

ମଥା ଟେକି କହୁ

ତମରି ଭିତରେ ଆଜି

ମହାକାଳ ଏଠି

କାଳାଂତରର କଥା

ସନାତନ ସେଇ

ସଂଗୀତେ ଉଠୁ ବାଜି

ନିହତ-ସ୍ୱପ୍ନ

କେତେ ଫସିଲ୍‌ର ବ୍ୟଥା॥

 

୨।

ହେ ମୋର କବିତା !

ନୀରବ କାଇଁକି ରୁହ?

ଗୁଂଜିତ ହୁଅ

ଲକ୍ଷ ଅଜଣା ରାଗେ

ବହୁ ଅର୍ଥର

ତମେଇ ସମାସ ହୁଅ...

ମହାକାଳ ଆଜି

ତମରି ପ୍ରକାଶ ମାଗେ॥

 

ତମ ପାଇଁ ଜାଗେ

ଋତୁର ସଂବୋଧନ

ତମ ପାଇଁ ଆଜି

ସମୟ ବି ଠିଆହୁଏ

ଗାଇଯାଅ ଏବେ

ସୂର୍ଯର ବଂଦନ...

କହିଯାଅ ଏବେ

ଜହ୍ନ କେଉଁଠି ଉଏଁ॥

 

ମାୟାବିନୀ କେତେ

ରାତ୍ରିର ଅଭିସାରେ

ଚାହ ଯଦି, ବୁଝ

ତାରକାର ଅଭିମାନ

ଭୁଲନା କିଂତୁ

ସୂର୍ଯୋଦୟର କାଳେ

ଏ ମାଟିର ତମେ

ଆଦ୍ୟ ଶିଶିରସ୍ନାନ॥

 

୩।

ଆଦିମାନବର କବରେ ଉଠିଚି ଘାସ

ମନେ ଓ ଜୀବନେ

ବିବର୍ତନର ଧାରା

ତମେ ଏତେବେଳେ ତେଜ ଏ ବିବର-ବାସ

ହେ ମୋର କବିତା!

ହେ ମୋର ବର୍ଣମାଳା !!

 

ସରିଆସିଲାଣି ବିବର-ବାସର କାଳ

ହେ ମୋର କବିତା !

ମୃଦୁ ମଂଥରେ ଆସ

ଆକ୍ଷରୀ ହୋଇ ନାଚନା ଗୋ ବାରବାର

ତମେ ହୁଅ ଏକ

ଅଶରୀରୀ ଉଚ୍ଛ୍ୱାସ॥

 

ହେ ମୋର କବିତା ! ତମେ ହୁଅ ଏକ ସୁର..

ଶବ୍ଦ ସେପାରେ

ବାଜିଉଠୁ ତମ ଗାନ

ହୁଅ ଭାଷାତୀତ ବେଦନାରେ ଭାରାତୁର

ନୂଆ ତାରିଖର

ତମେ ଦିଅ ସଂଧାନ॥

 

ଶିକାରୀ

 

ଜୀବନଟା

ସତେ କି

ହଳଦୀର

କିଆରି

ରକତର

ରଂଗେ

ଫୁଲ ହସେ

ପିଆରୀ !

 

ଆଉ କ'ଣ

ଝାଳରେ

ପାଚିବନି

ଫସଲ ?

ପାଲଟିବ

ଅସୁର

ସେ ଦିନର

ଶିକାରୀ ??

 

ନିଆଁର ନକ୍‌ସା

 

ଚଉଦିଗଯାକ

ପାଚେରି ବୁଲାଇ

କେଉଁ ବଗିଚାରେ ବୁଲ ?

ବାଡ଼ବୁଜା ନିଜ

ହରେକ୍‌ ହତାକୁ

ଭୁଲିପାର ଯଦି ଭୁଲ !

 

ବଗିଚାସବୁ ତ

ଜଳେ ଗୋଟେଗୋଟେ

ନିଆଁର ନକ୍‌ସା ତୁଲ

ଟୁକୁଡ଼ାଟୁକୁଡ଼ା

ଫୁଲର ପାଖୁଡ଼ା

ପତ୍ର ଝାଡ଼ୁଛି ଝୁଲ !

 

ରଂଗର ଏଇ

ରୋଶଣି ଭିତରେ

ମହକର କାଇଁ ମୂଲ ?

ଆଜି ଏ ବଜାରେ

ମିଳୁଚି ହଜାରେ

କଟା କାଗଜର ଫୁଲ !

 

ଟେଷ୍ଟଟ୍ୟୁବ୍‌ର ଶିଶୁ

। ପ୍ରଥମ ପ୍ରତିଫଳନ।

ଟେଷ୍ଟଟ୍ୟୁବ୍‌ର ଶିଶୁ...

ପ୍ରଶ୍ନ କଲା ଯେତିକିବେଳେ ଠିକ୍‌ -

: ଅନ୍ନ ଦେବ ?

ବସ୍ତ୍ର ଦେବ ??

ଦେବ କି ମତେ ବାସ ???

ବିଷର ହସ ମୁଠାଏ ହସୁହସୁ

ମଣିଷମାନେ କହିଲେ ତାକୁ : କାଇଁକି ମାଗୁ ଭିକ ?

ଲଜ୍ଜା ନାହିଁ ? .....ଧିକ୍‌ -

କଅଣ ତୋର ଜନ୍‌ମ-ପରିଚୟ ?

କିଏ ତୋ ବାପା ? କିଏ ତୋ ମାଆ ?

ଫିଟାଇ ସବୁ କହ !

ଟେଷ୍ଟଟ୍ୟୁବ୍‌ର ଶିଶୁ

କହିଲା ତାର - ସୁରଟି ମେଲି ଖୁବ୍‌ -

: ସେସବୁ କଥା ପଛକୁ ରହିଥାଉ ।

ବତାଅ ଆଗେ ବଂଚିବାର ରାହା...

 

ମଣିଷମାନେ ତଥାପି ତାକୁ

କହିଲେ : ଆରେ !

ଫିଟାଇ କହ, ଅସଲ ପରିଚୟ

ଫିକର ଥାଉ॥

ବତା ତୁ ଆଗ କିଏ ସେ ତୋର ଅସଲ ବାପମାଆ ?

 

: ବାପ ଓ ମା’ ସବୁ ହଉଚି ଏଇ ମୋ ଟେଷ୍ଟଟ୍ୟୁବ୍‌ !!!

 

ଟେଷ୍ଟଟ୍ୟୁବ୍‌ର ଶିଶୁ...

କହିଲା ତାର - ସୁରଟି ମେଲି ଖୁବ୍‌ -

: ବାପା ହଉଚି - ଟେଷ୍ଟଟ୍ୟୁବ୍‌ !!

ମା’ ହଉଚି - ଟେଷ୍ଟଟ୍ୟୁବ୍‌ !!!

 

: କହିଲା ଏକା ଖାସ୍‌ସା କଥାଟିଏ !!

ଆରେଃ...ଯା...ମାଗିଖିଆ ତୁ... ଜାରଜଗୋଟା କିଏ !!

 

ଚାରିଟି ଦିଗୁ ନିଛକ ଉପହାସ

ଟେଷ୍ଟଟ୍ୟୁବ୍‌ ଯୋଗାଇ ଦେବ - ଅନ୍ନ ଆଉ ବାସ !

 

 

। ଦ୍ୱିତୀୟ ପ୍ରତିଫଳନ।

 

ଟେଷ୍ଟଟ୍ୟୁବ୍‌ର ଶିଶୁ

ଫେରିକି ଫେର୍‌ ଫେରାଦୀ ହେଲା - ସୂର୍ଯଆଡ଼େ ଚାହିଁ -

: ଆଲୋକ ଦେବ ?

ତେଜ କି ଦେବ ??

ଦେବ କି ତୁମ ତାପ ???

- ଆଲୋକର ସେ ରାଗିଣୀ ପରା କେବଠୁ ଗାଇନାହିଁ !!!

 

ବାଦଲେ ମୁହଁ ଘୋଡ଼ାଇଦେଇ

କହୁଛି, ହେଇ -

ସୂର୍ଯ୍ୟ ଲାଜଲାଜ -

ଆଲୋକେ ମୋର ଟିକିଏ ନାଇଁ ତେଜ ।

 

ମାଗୁଛୁ ସିନା ମିଛରେ ଉତ୍ତାପ...

ବୈଜ୍ଞାନିକ କହୁଚି - ଶୁଣ୍‌...

ସୂର୍ଯବୁକେ ଆଲୋକ ନାଇଁ...

ନଇଁଆସୁଛି ନିଅଁଶୀ ଛାଇ...

ସୂର୍ଯବୁକେ ଭରିଛି ଖାଲି ବିସ୍ଫୋରିତ ହା-ହା-କାର...

ହଜିଯାଉଚି ହେଜ

ଅଗ୍ନିମୟ ଅନେକ ଅଭିଶାପ...॥

...ଫେରିଯା ତେଣୁ ଆରେ !

ଟେଷ୍ଟଟ୍ୟୁବର ଶିଶୁ !

ବରଂ ଭଲ...ଶୋଇବୁ ଯା...ଟେଷ୍ଟଟ୍ୟୁବ୍‌ର ନିରୋଳା ଅଂଧାରେ॥

 

। ଅଂତିମ ପ୍ରତିଫଳନ।

 

ଟେଷ୍ଟଟ୍ୟୁବ୍‌ର ଶିଶୁ

ଏମିତି ଖାଲି

ସବୁଠି ବୁଲି

ଶେଷରେ ଯାଇ ପଚାରେ ପୃଥିବୀକୁ

: ମମତା ଦେବ ?

ପ୍ରେମ କି ଦେବ ??

ଦେବ କି ମତେ ତମର କୋଳେ ଥାନ ???

 

ପୃଥିବୀ କହେ : କିଏ ସେ ତୁଉ ?

କଅଣ ନାଁ ??

ଆସିଲୁ କାହୁଁ ???

କୋଉଠି ଗାଁ ????

ଏସବୁ କଥା ଫିଟାଇ କହ !

ଶୁଣୁଁ ଆଗେ ମୋ କାନ॥

 

ଟେଷ୍ଟଟ୍ୟୁବ୍‌ର ଶିଶୁ...

ହତାଶା ଆଉ ଗ୍ଳାନିର ନଈକୂଳେ...

ଆଶାରେ ଆହା ଚେନାଏ ହସୁ ହସୁ

କହିଲା ତେବେ : ଆସିଲି ମୁହିଁ

ଟେଷ୍ଟଟ୍ୟୁବ୍‌ର ପରିଧି ଡେଇଁ !!

ସ୍ନେହ-ମମତା ପାଇବି ବୋଲି ଶେଷରେ ତୁମ ପାଖୁ॥

 

ଶୁଣାଇଦେଲା ପୃଥିବୀ ଆହା ଘଡ଼ିକ ପରେ ଶେଷଘୋଷଣା ତାର

ଶୁଣାଇଦେଲା ବ୍ୟଥାରେ ଥରି ଆପଣା ଶେଷକଥା -

: କଅଣ ଚାହୁ ? କଅଣ କହୁ, ଆରେ

ଟେଷ୍ଟଟ୍ୟୁବ୍‌ର ଶିଶୁ !

ସ୍ନେହମମତା... କି ଶବ୍‌ଦ ? ସେ ସବୁ କିସ ?...

ସଂଜ୍ଞା ତାର ବତା।

 

ସଂଜ୍ଞାମାନ ବୁଝାଉଥିଲା ଯେତିକିବେଳେ ସ୍ନେହ ଓ ମମତାର...

ସେତିକିବେଳେ କାନ ଫଟାଇ ଶୁଭିଲା ଦଶଦିଶୁ -

ଭୀଷଣ ଏକ ଆକସ୍‌ମିକ ବିସ୍ଫୋରଣ ପରି

ମହାକାଳର ବିକଟ-ଫୁତ୍‌କାର॥

 

ପୃଥିବୀ ଅତି ଆତୁର ହୋଇ

କହିଲା : ଦେଖ୍‌, ପୁଅ !

ଧ୍ୱଂସବେଳା ପାଖେଇ ଏଇ ଆସେ...

ସ୍ନେହ-ମମତା ଶବ୍‌ଦସବୁ

ଶୁଣି ମୁଁ ଥିଲି ଅନେକ ଯୁଗ ତଳେ...

ଅଥଚ ଏବେ ହିଂସା ଆଉ ଅସୂୟାଭାରେ

ଉତ୍‌ପୀଡ଼ିତ ମୁହିଁ

ପାଲଟି ଅଛି ଶେଷେ

କରାଳ ଗୋଟେ କଳାଧୂଆଁର

କୁହୁଳା ନିଆଁ-କୂଅ !

ଦଂଡେ ଆଉ ରହନା ମତେ ଚାହିଁ...

ଫେରି ଯା ତୋର ନୂଆ ଆଶାର ଶ୍ରାବଣ ପରି

କଅଁଳ ଡେଣା ବାହି॥

 

ଫେରି ଯା ଆରେ ବାଇଆଧନ !

କରିବୁ ଯାଆ - ଅନ୍ୱେଷଣ

ସ୍ନେହ-ମମତା-ପ୍ରେମର ମନ -

ସେଇ ତୋ ଗତ

ପରିତ୍ୟକ୍‌ତ

ଟେଷ୍ଟଟ୍ୟୁବ୍‌ ପାଖେ

 

 

 

ନୂତନ ଏକ ସୃଷ୍ଟି ପାଇଁ

ନୂତନ କଳା-କୃଷ୍ଟି ପାଇଁ

ନୂତନ ଧାରା ବୃଷ୍ଟି ପାଇଁ

ପ୍ରତୀକ୍ଷାର ପଥକୁ ଚାହିଁ -

ଟେଷ୍ଟଟ୍ୟୁବ୍‌ ଡାକେ...

ଟେଷ୍ଟଟ୍ୟୁବ୍‌ ଡାକେ॥

ଉତ୍ସ :୭୩ - ‘ସଂକଳନ’,ଦିବାଧ୍ୟାୟୀ ଛାତ୍ରସଂଘ ମୁଖପତ୍ର, ରେଭେନ୍‌ଶା କଲେଜ୍‌, କଟକ-୭୫୩୦୦୩

(ନିରୀକ୍ଷକ : ପ୍ରଫେସର ସର୍ବେଶ୍ୱର ଦାସ / ପ୍ରଫେସର ବୈଷ୍ଣବଚରଣ ପରିଡ଼ା)

ସଂପାଦକ : ପ୍ରଭାତ କୁମାର ନଂଦ,୧୯୭୩

 

ଭୟ

 

ସେଦିନ ସକାଳୁ      ସୂଚନା ମିଳିଲା :       ତିନୋଟି ଘଂଟା ପରେ

ଆସିବ ବର୍ଷା      ଆସିବ ବତାସ

ଝଡ଼ ଆଉ ଅଣଚାଶ

ହୁଏତ ଦୁନିଆ      ଥିର ହୋଇଯିବ      ଘୂରିଘୂରି ଅକ୍ଷରେ

ଶୁଭିବ ତିନୋଟି       ଘଂଟା ପରେ ତ

ପ୍ରଳୟର ପରିହାସ॥

 

ଝଡ଼ ନ ଆସୁଣୁ      ସେଦିନ ଆସିଲା      ତମ ମନ-କାଚଘରେ

ପାଦ ଚାପି ଚାପି      ପୁଂଜିତ ଭୟ...

କଳାବିଲେଇଟି ପରି

ତମେ ତ ଥରିଲ      ଝଡ଼କୁ ନ ଦେଖି      ଭୟର ପକ୍ଷ ତଳେ

ଘରେ ଶୋଇଗଲ       ସବୁ ଝର୍କା ଓ

କବାଟ ରୁଦ୍ଧ କରି॥

 

ଝଡ଼ ତ ଆସିଲା      ପାଦ ଛାଟି ଛାଟି      ସମୟର ପାହାଚରେ

ଆମେ ଭାବୁଥିଲୁ       ସହିପାରିବୁନି

ହୁଏତ ସେ ପାଦଭାରା

କିଂତୁ ସେଦିନ      ଝଡ଼ ଚାଲିଗଲା      ଜେହାଦ୍‌ ଘୋଷଣା ପରେ

ବିଦା ହେବା ବେଳେ      ଝଡ଼ ଗାଇଗଲା

ମାର୍ମିକ ସାୟୋନାରା॥

 

ଝଡ଼ ଶେଷ ହେଲା      କବାଟ ଭାଂଗି,

ପଶି ଦେଖୁ ତମ ଘରେ

ତମ ଦେହେ କାହିଁ      “ଜୀବନ’’? କେବଳ

“ଭୟ” ଥୁଆ ଆଖି ତଳେ॥

 

ଭିନ୍ନ ଭୟ

 

। ୧।

ଭୟ କରିନି ମୁଁ କାହାକୁ କେବଳ

ନିଜକୁ କରିଛି ଭୟ

ଭୟ କାଳେ ତମ ଦାନପତ୍ର ହିଁ

କରିବ ମୋ ମାନ କ୍ଷୟ !

ହେବାକୁ ଚାହେ ମୁଁ

ଦେବାଳିଆ ଗୋଟେ

ଦୁନିଆର ଦାବିଦାର୍‌ -

ତମ ସେ ହଜାର ନିଲାମୀବଜାର

ନ ତୋଳୁ ମୋ ଜୟଜୟ॥

 

ଭୟ କରିନି ମୁଁ କାହାକୁ କେବଳ

ନିଜକୁ କରିଛି ଭୟ

ଭୟ କାଳେ ତମ ମାନପତ୍ର ହିଁ

ପଢ଼ିବ ମୋ ପରିଚୟ !

ହେବାକୁ ଚାହେ ମୁଁ

ବେସାଲିସ୍‌ ଗୋଟେ

ଭାଗ୍ୟର ଭାଗୀଦାର୍‌ -

ତମ ସେ ପଦକ ତାମ୍ରଫଳକ

ନ ଲୁଟୁ ମୋ ଲବେ ଲୟ॥

 

। ୨।

ଭୟ କରିନି ମୁଁ କାହାକୁ କେବଳ

ନିଜକୁ କରୁଛି ଭୟ

ଭୟ କାଳେ ତମ ବରମାଲ୍ୟ ହିଁ

ଭିଡ଼ିବ ଏ କରଦ୍ୱୟ !

ବରଂ ହେବି ମୁଁ

ନାଦାନ୍‌ ସେ କେଉଁ

କଢ଼ିର କର୍ଜଦାର୍‌ -

ବକେୟା ଥାଉ ମୋ ବୟସର ବହୁ

ବିରଳ ବିନର୍ବ୍ୟୟ॥

 

ଭୟ କରିନି ମୁଁ କାହାକୁ କେବଳ

ନିଜକୁ କରୁଛି ଭୟ

ଭୟ କାଳେ ତମ ଜୟମାଲ୍ୟ ହିଁ

ଦେବ ମତେ ପରାଜୟ !

ବରଂ ହେବି ମୁଁ

ଖାଂଦାନ୍‌ କେଉଁ

କ୍ଷତିର ଖରିଦ୍‌ଦାର୍‌ -

ବିପଣି ତମର ବିକୁ ମତେ ମୋର

ବରାଦୀ ବିପର୍ଯୟ॥

 

ଝଡ଼

 

ଉଡ଼ିଶିଖୁଥିବା ଶିଶୁଈଗଲ୍‌ଟେ ପରି

ଝଡ଼ ଆସେ ବୋଧେ

ଡେଣାର କ୍ଳାଂତି ଭୁଲି

କେଇଟି ମାତ୍ର କୁହୁଡ଼ିଆ ପର ଝାଡ଼ି

ଆକାଶେ ବତାସେ

ଝଡ଼ ପୁଣି ଉଠେ ଫୁଲି॥

 

ଝଡ଼ ମାନେନାଇଁ ଆମେ ମାନୁଥିବା ତିଥି

ଝଡ଼ ଆସେ ଆଉ

ଆମରି ଜୀବନେ ଖେଳେ

ଆସିବା ଆଗରୁ ଲେଖେନାଇଁ କେବେ ଚିଠି

ଠିକଣା ବି ତାର

ଦିଏନାଇଁ ଗଲାବେଳେ॥

 

ତେର ନଈ ଆଉ ସାତ ସମୁଦ୍ର ଡେଇଁ

ସେ ଖାଲି ମାତେନା

ଆମ ଗାଆଁ ବିଲବନେ

ଘୂର୍ଣିବାୟୁର ଊର୍ମି-ଆଘାତ ନେଇ

ସେ ବି ମାତେ ଆମ

ବିବେକରେ ଆଉ ମନେ॥

 

କ୍ରୁଶ

 

ଭଲ ଲାଗେ ବୋଧେ

ଠିକ୍‌ଠାରୁ ଭୁଲ୍‌

ସତୀଠାରୁ ସେଇ

ଅସତୀ

ଭଲ ଲାଗେ ବୋଧେ

ବସାଘରଠାରୁ

ବଦନାମୀ ଗୋଟେ

ବସତି

ଲକ୍ଷେ ଅଭଲ ଲାଗେ ଯେତେ ଭଲ - ଭଲ ସେତେ ଭଲଲାଗେନି

ଭଲ କି ମଂଦ ବୁଝିବିଚାରି ବି ଭଲପାଇବାଟେ ଜାଗେନି

ମଧୁଭାଷିଣୀଠୁ ଭଲ ଲାଗେ ବୋଧେ ମଉନୀ ମଂଦହାସିନୀ

ଭଲ ଲାଗେ ବୋଲି ଭଲଠୁ ମଂଦ - ଫୋନ୍‌ ପରେ ଚିଠି ଆସିନି

 

ହେଲେ ପଡ଼ୋଶିନୀ

ଭଲମଂଦ ତ

ନ ପଚାରି ନିଏ

ମେଲାଣି

ଚୋଟ ହାଣିହାଣି

ବିବେକର ବାଣୀ

ହୃଦକୁ ଦରଜ

ଦେଲାଣି

***

ପ୍ରତିଟି ବିବେକ

କ୍ରୁଶର ପ୍ରତୀକ

ସତ୍ୟ ଏ ସ୍ୱତଃସିଦ୍ଧ

ପ୍ରତିଟି ହୃଦୟ

ଯୀଶୁ ପରି ହାୟ

ବିବେକର କ୍ରୁଶେ

ବିଦ୍ଧ !

 

ସକାଳ ପାଇଁ ଏବେବି ଅପେକ୍ଷା

 

୧।

ଆଜି ରାତ୍ରି ସରିଗଲେ କାଲି କ’ଣ୍‌ ରଥ ଚଢ଼ି ଆସିବ ସକାଳ?

କାଲି କ’ଣ୍‌ ଦେଖାଦେବ

ସ୍ୱପ୍ନ ଅବା ଦୁଃସ୍ୱପ୍ନର

ସ୍ମୃତି ଅବା ବିସ୍ମୃତିର

ଘୁମଂତ ପୂର୍ବାଶା ?

ଯଂତ୍ରଣାରେ ଚକ୍ଷୁ ଥିବ ଲାଲ୍‌ ହୋଇ?

ଅନିଦ୍ରାରେ ମୁହଁ କି ପାଂଡୁର?

ସେ ମୁହଁ ଯେ ସୂଚାଇବ ରାତ୍ରିର ଗୋପନ କଥା;

ଆଶା ନା ହତାଶା ??

 

ସଂଦେହୀ ସମୟ ଆସେ॥

ତଥାପି ସକାଳ ପାଇଁ ସତେ କେତେ ସଜଳ ପ୍ରତୀକ୍ଷା !

ଯେହେତୁ ଉତ୍ସୁକ ସର୍ବେ ଜାଣିବାକୁ : ଏ ସକାଳ

କାହା ପାଇଁ କେଉଁ ଉପହାର

ଆଣିବ ସତେ ବା କାଲି ?

ଅଥଚ ମୁଁ ଏକା

କ୍ଷୁଦ୍ର ଜଣେ ଯାଯାବର, ମୁକ୍ତ ନିର୍ବିକାର

ଘୂରି ଘୂରି ବୁଲି ବୁଲି

ସକାଳକୁ ଖୋଜୁଅଛି

କଟକରୁ ବାଜପୁର - ବାଜପୁରୁ କଟକ ନଗର॥

 

କାଠଯୋଡୀ କୂଳେକୂଳେ ସକାଳର ସୂର୍ଯ ଖୋଜେ

ମହାନଦୀ ପଠା ପାଖେ ଖୋଜିଯାଏ ଆଷାଢ଼ଶ୍ରାବଣ

ଏଇ ରାତ୍ରି - ଅଂଧକାରେ

ପଥରବଂଧରେ ବସି କରୁଛି ତପସ୍ୟା...

ତପସ୍ୟା ମୋ ଭାଂଗେ କିଏ ?

କିଏ ମତେ ଡାକିଯାଏ

କଟକ ନା

ବାଜପୁର

ସକାଳ ନା

ବର୍ଷା ???

 

କଟକର ଆକାଶରେ ବର୍ଷା ଆଉ ବଜାଏନା ନୂପୁର ତ ବାରେ

ବାଜପୁର ଆକାଶରେ ସକାଳର ସତ୍ତା ହଜେ କୁୟାସା କିନାରେ !

ରାତ୍ରି କ’ଣ୍‌ ସରେନାହିଁ?

ଅଂଧକାର ମନେହୁଏ ଯେପରି ପଣତ !!

ସେ ପଣତେ ମୁହଁ ଢାଂକି

କି ସ୍ୱପ୍ନ ପୃଥିବୀ ଦେଖେ ?

ସେ ସ୍ୱପ୍ନ କି

ଅନାଦି / ଅନଂତ???

 

୨।

ଏବେ ମଧ୍ୟ ଆସିନାହିଁ ଘୁମଂତ ପୂର୍ବାଶା କୂଳେ ସୂର୍ଯର ସକାଳ

ଶୋଇରହି ଏ ପୃଥିବୀ ଏବେ ମଧ୍ୟ ସ୍ୱପ୍ନ ଦେଖେ ନିବିଡ଼ ନିଦ୍ରାରେ

ସକାଳ ଅଚିହ୍ନା ବୋଲି ଇତିହାସ କହେ ବି ତ ଲେଉଟାଇ କଡ଼

ଅଜସ୍ର ଶତାବ୍ଦୀ ତଳେ ସକାଳ କି ହସିଥିଲା କୁୟାସା କିନାରେ?

 

ଅଜସ୍ର ଶତାବ୍ଦୀ ତଳେ ହୁଏତ ବା ଆସିଥିଲା ସୂର୍ଯର ସକାଳ

ଅଜସ୍ର ଶତାବ୍ଦୀ ପରେ....

ସୂର୍ଯ ନାହିଁ॥

ସକାଳର ସାମାନ୍ୟ ଆଭାସ

ଆମେ ଆଉ ଦେଖୁନାହୁଁ॥

ଆମ ଆକ୍ଷି ଆଗେ ଆଜି

ସମୟର ବୁଢ଼ିଆଣୀ

ବୁଣିଯାଏ....

ବୁଣିଯାଏ ଜାଲ....

ଆମ ମନ / ବିବେକ ଓ ହୃଦୟର ଚାରିପଟେ ଘେରିଚି ଉଆଁସ॥

 

ଆଉ ଥରେ ଇତିହାସ କହେ ତେଣୁ

ଲେଉଟାଇ ଡାହାଣ ତା କଡ଼ :

ତମେ କେହି ଦେଖିନାହଁ ଏବେ ମଧ୍ୟ ସୂର୍ଯର ସକାଳ

ହେ ମଣିଷ, ତମେ ସବୁ ମାଂକଡ଼, ମାଂକଡ଼ !!

ତମେ ଧ୍ୱସ୍ତ କରିଅଛ

ଚେତନାର ଅରଣ୍ୟକୁ

ନିଜକୁ ଭୁଲିଛ ନିଜେ ଦେଖି ଦେଖି ମହାକାଳ ଫଳ॥

 

ଇତିହାସ ନିଜେ ମଧ୍ୟ ଚିହ୍ନେନାହିଁ ସୂର୍ଯ ଓ ସକାଳ

ସକାଳର ଚିହ୍ନ କ’ଣ୍‌

ମାଟି ତଳୁ ମିଳିଥିବା ହାଡ଼ ଓ କଂକାଳ ?

କ୍ଷମା କର

ଭାରତବର୍ଷ !

 

ତୁମ ଘଂଟାରେ

ସବୁବେଳେ ସେମିତି

ବାରଟା !

ଦିନ ନା ରାତି ?

 

ଏକା କଥା ।

 

କାରଣ

ଦିନକୁ ରାତି

ରାତିକୁ ଦିନ

ଧଳାକୁ କଳା

କଳାକୁ ଧଳା

ଯାହାକୁ ଯେବଣପ୍ରକାରେ

କଲେ ବି ଉତ୍‌ଥାପନ

ଏଠି

ମିଳିପାରେ

ସକରତାଳି

ସଂଖ୍ୟାଗରିଷ୍ଠ ସମର୍ଥନ !

ତେଣୁ

ତୁମ ଘଂଟାରେ

ବରାବର

ସେଇ ବାରଟା ।

 

 

ରାତି ବାରଟା ।

*

କେଜାଏ ବର୍ଷ ?

ନା,

ଏମିତି ବେଜାଏ ବର୍ଷ ତ ନୁହେଁ ?

୧୯୪୭ ସାଲର

ଗୋଟାଏ ପାଂପରା, ପିଂପିମରା,

ତରଳା ତାରିଖ...

ରାତି ବାରଟା ।

 

ସେଇଦିନୁ

ବଂଦ ହେଇଯାଇଚି

ଦମ୍‌

ତୁମ ଘଂଟାର ।

ଚାବି ଦବାର ୱକ୍‌ତ୍‌

ଇତିହାସ

ଭୁଲିଯାଇଚି । ତୁମର

ସେଇ

ଘଷରା ଘଂଟାରେ ।

ଏବଂ ସତ କହିବାକୁ ଗଲେ

ଆଜି

ତୁମର ଇତିହାସକୁ ମଧ୍ୟ

ଆମେ ଭୁଲିଯାଇଚୁ ବେଶ୍‌ ।

ଦି’ ଚାରିଟା ଆକ୍ତାମାକ୍ତା ଆଂବଡାଳ,

ଫିକା ଫୁଲମାଳ,

କିଛି ଧୂଳିଧୂମାଳ,

କିଛି କିଛି ଚଢ଼େଇଂକ

ମଳବିଂଡା

ଆଉକିଛି ସଂପର୍କ ସୋଦରଛିଂଡା...

ଏସବୁ ଭିତରେ

ତୁମ ଇତିହାସର ଚିରାଚେହେରା

ଭାରି ନିର୍ଜନ,

ଭାରି ବିଷଣ୍ଣ,

ଭାରି ବେଖାପ୍‌ ସତରେ ।

 

ତମେ ତେଣୁ କୁହ,

ତୁମର ସେଇ ୧୯୪୭ ସାଲର

ଦମ୍‌ହଜା

ପୁରୁଣା ମଡେଲ୍‌ ଘଡ଼ିଟାରେ

ଆମେ ଯଦି

ଆଜି

ସମୟ ମିଳେଇ ନ ପାରୁ

ଦମ୍‌ ମିଳେଇ ନ ପାରୁ

କଦମ୍‌ ମିଳେଇ ନ ପାରୁ

ଆମର ଭୁଲ୍‌ ତେବେ

କେଉଁଠି ?

 

ଆମ ମିନି ମିଉଜିଅମ୍‌ର ସୌଖୀନ୍‌ କାଂଥରେ

ସେଟାକୁ ହୁଏତ

ସଂଗିନ୍‌ବିଦ୍ଧ ସମୟର

ସୁଗୋଲାକାର ଗୋଟେ ସ୍ମୃତି ରୂପେ

ଟାଂଗିଦିଆଯାଇପାରେ;

ଫିଂଗି ନ ଦେଇ ଭଂଗାରୁଜା ଭୂତକୋଠିକଡ଼ର

କଚରାଖାନାରେ !

 

ମାତ୍ର ଆମ ସମୟର ଚଳଂତି ଧାରାରୁ

ତା ଚିହ୍ନ, ତା ଛାପ

କେବଠୁ ନିଶ୍ଚିହ୍ନ ।

 

କେବଠୁ ଅପ୍ରାସଂଗିକ

ତା ନିସ୍ତବ୍ଧତା ।

 

 

କେବଠୁ ଅହେତୁକ

ତା ନୀରବତା ।

 

କେବଠୁ ଅବାଂତର

ତା ଧ୍ୟାନସ୍ଥ ମୌନତା ।

*

ଏକ

ମୁକ୍ତ ମଧ୍ୟରାତ୍ରିର

ସେଇ ସନାତନୀ ସଂକେତ ତୁମର

ଆଜି ତେଣୁ

ଆମପାଇଁ ଅର୍ଥରହିତ ଏକ

ସୁଶୀତଳ ସ୍ମୃତିଚାରଣ

ନୁହେଁ ତ ଆଉ କ’ଣ ?

 

ଅତୀତର ସେଇ ବାଧ୍ୟତାମୂଳକ

ବେହୋସ୍‌ ବେତାଳଟାକୁ

କାଂଧରେ,

ପିଠିରେ,

ବୋହି ବୋହି

ଏ ଅମୁହାଁ, ଅପଂତରା

ରାସ୍ତାଟାରେ

ଆମେ କେତେଦିନ ଏମିତି

ଚାଲିଥିବୁ ?

କେତେଦିନ ??

 

କ୍ଷମା କର,

ଅଚଳକଂଟାରେ ଅଟକବଂଦୀ

ତୁମର ସେଇ ରାତି ବାରଟାର

ଓଜନିଆ,

ମାଂଧାତାକାଳିଆ

ମଡେଲ୍‌ଟାକୁ

ଧଳାଚାଦରରେ

ଆପାଦମସ୍ତକ ଗୁଡ଼େଇତୁଡ଼େଇ

ବେଶ୍‌ ମୁଂଡେଇ ଆସିଚୁ

ଆମେସବୁ

ଏତେ ବାଟ

ଆଜିଯାଏଁ !

 

କିଂତୁ ଆଉ ନୁହେଁ ।

ଆଉ ନୁହେଁ ।

ବେଶ୍‌ ହେଲାଣି ଅତିକାୟ ଅତୀତର

ଏଇ ଉପର୍ଯୁପରି ଉପିାତ !

 

ଏ ଜଂଗଲି ଜଂଜାଳର ଜମାଖାତାରୁ

ଆମକୁ

ମୁକ୍ତି ଦିଅ, ମୁକ୍ତି !

 

ଏ ଅଧୁଲି ଅଧରାତିର ଅଳଂଧୁରୁ

ଆମକୁ

ଦିଅ ଏଥର ରିହାତି...

ନିହାତି !

 

ଆମ ରକ୍ତର

ଋଣଚୁକ୍ତି !

 

ଆମ ରେରେକାରର

ରଣପୂର୍ତି !

 

ତା’ହିଁ

ଆମପାଇଁ

ସ୍ୱାୟତ୍ତ ସ୍ୱାଧିକାର ।

 

ତା’ହିଁ

ଆମପାଇଁ

ଉଦାତ୍ତ ଉତ୍ତରାଧିକାର ।

 

ତା’ହିଁ ଆମ ସ୍ୱାଧୀନତା ।

ଆମ ପାହାଂତା ।

 

କ୍ଷମା କର,

 

କ୍ଷମା କର ଭାରତବର୍ଷ !

କ୍ଷମା କର !

 

ଭୀମ ଭୋଇ

 

ଅଗନାଗ୍ନି ଅରଣ୍ୟର ଦୁଃଖୀ ଦୂବଗଛଟିଏ

ତୁମେ :

ଭୀମ ଭୋଇ !

 

ଉପିୀଡ଼ିତ ଆର୍ତମାନଂକର ଅପ୍ରମିତ ଅଶ୍ରୁରେ ହିଁ

ବତୁରିଯାଇଚି ତୁମ ବର୍ଣମାଳା ।

ବଦଳିଯାଇଚି ତୁମ

ବଂଚିବାର ବ୍ୟାକରଣ ।

 

ତୁମେ ତେଣୁ ନିର୍ବାଣ ଚାହିନ ମୋଟେ । ହାତ ପତେଇନ

ବୈକୁଂଠର ବିଭୂତି ସକାଶେ ।

ବେତଭୋଗେଇର ଖୁଦଭଜା ଛାଡ଼ି,

ଆଁ ମେଲେଇନ ସୁବର୍ଣଥାଳୀର

କୈବଲ୍ୟ ଆଡ଼ିକି !

 

ନା, ପିଠି ଦେଖେଇନ ଜୀବନକୁ !

 

ଦୀର୍ଘଶ୍ୱାସଦଗ୍ଧ ବସୁଧା ବୁକୁରେ,

ତୁମେ ବରଂ

ଝରାଇଯାଇଚ ସୁବାସିତ ଶବ୍ଦର ଶିଶିର

ବାଟେଘାଟେ

ବିଂଚିଯାଇଚ କବିତାର କନିଅର...

ପଦର ପାଖୁଡ଼ାତକ

ଅଧାବୁଜା ଆଖିପତା ଉପରେ

ସିଂଚିଯାଇଚ ମୃଦୁ ମଂତ୍ରୋଦକ !

 

ବୈରାଗ୍ୟର ବୀଜମଂତ୍ର ବଦଳରେ,

କାନେ କାନେ ଶୁଣାଇଯାଇଚ ଅଣାକାର ଆତ୍ମାର ଆବୃତ୍ତି :

ପ୍ପମୋ ଜୀବନ ପଛେ

ନର୍କେ ପଡ଼ିଥାଉ,

ଜଗତ ଉଦ୍ଧାର ହେଉ...ଡ୍ଗ

 

କବି,

କିଏ ତୁମ ଛାତି ତଳେ ଚାପିଦେଇଥିଲା

ଏତେ ପରିଚ୍ଛନ୍ନ ପ୍ରଗାଢ଼ତା ?

ଏତେ ଅତଳ ଅଂତର୍ବେଦନା ?

ଭଲ ପାଇବାର ଏତେ ଭୟଂକର ବ୍ୟଥା ?

ବୀଜପତ୍ରୀ ବନସ୍ତେ ବ୍ୟଂଜନା ?

ଦୁର୍ଗମ ପଥର ଏତେ ଦୁର୍ବାର ଶପଥ ?

 

କିଏ ସିଏ ?

ତୁମର ସେଇ କଂଧ ଆଦିବାସୀବାପ ଦନେଇ ଭୋଇ ?

ଗୋବରଗୋଟେଈ ବୋଉ ଗୁରୁବାରୀ ?

ମଂତ୍ରଦାତା ଗୁରୁ ମହିମା ଗୋସେଇଁ ?

ନା - ଅଂତରର ଆରାଧ୍ୟ ଈଶ୍ୱର ଅଲେଖ ନିରଂଜନ ?

 

ତୁମ ମହାପ୍ରୟାଣର ଶହେବର୍ଷ ପରେ,

ଆଜି ଆମେ

ଅଂଡାଳିବୁଲୁଚୁ ତୁମକୁ -

ଆମ ଅଚଳାୟତନର ଅଂଧ-ଅୟନରେ :

କେଉଁଠି ତୁମେ,

ସୁଡ଼ଂଗରେ

ନା

ସଡ଼କରେ ?

ଚୁଡଂଗରେ

ନା

ଚଡ଼କରେ ?

ବର୍ଗରେ

ନା ବନମୁଲକରେ ?

ସପ୍ତସ୍ୱର୍ଗରେ

ନା

ସପ୍ତବିଂଶତି ନରକରେ ?

 

ଖଂଡଖଂଡ ଖେଦର ଖଂଜଣି

ବଜଉଚୁ ଖାଲି ।

ଜାଦୁଘରେ ଥୋଇଦେଇଚୁ ତୁମର ସେ

ଦରଭଂଗା ତାଳପତ୍ର ଛତା ।

 

ଅଥଚ,

ଶତାବ୍ଦୀର ଶିଶିରସିଂଚିତ ସବୁଜିମା ନେଇ -

କେଉଁ ଚାରଣଚିତ୍ରୀର

ପରିତ୍ୟକ୍ତ ପଟଚିତ୍ରଟିରୁ

ଆଜି ବି ତୁମେ ସେମିତି ଚାହିଁରହିଚ

ନିରବିତ ନିଃସର୍ତ ଦୃଷ୍ଟିରେ,

ଆମକୁ ଇ !

 

ହେ ଦୂର୍ବାଦଳ, ହେ ଘାସଫୁଲ, ହେ କବି : ଭୀମ ଭୋଇ !

 

ଭୁବନେଶ୍ୱର

 

ଯେକୌଣସି ମଂଦିର ମାର୍ଗରେ

ତମେ ହୁଏତ

ଅତ୍ୟାଚାରିତା କେଉଁ ଦେବକୁମାରୀର

କ୍ଷୀଣ କ୍ରଂଦନଟିଏ;

 

ନୁହେଁ ତ

ଯେକୌଣସି ଦପ୍ତରର ଫିତାବଂଧା ଫାଇଲ୍‌ ଭିତରେ

ତମେ ତଥାପି

ଧୂସର ଦୀର୍ଘନିଃଶ୍ୱାସଟିଏ !

 

ଭୁବନେଶ୍ୱର !

କିଂବଦଂତୀ ଆଉ ଇତିହାସ - ଏ ଦୁଇ ନିବୁଜ ନିବିଡ଼

ଓଷ୍ଠାଧର ଉପରେ

ତମେ ସତରେ

ଆଶ୍ଚର୍ଯ ଗୋଟାଏ

ଥୁରୁଥୁରୁ ଥଂଡାରାତିର ଥୁକୁଲ୍‌ ଯେମିତି !

 

ତୁମର ଏ ଚାକଚକ୍ୟ, ତୁମର ଏ ଚମକଚାମକ୍ୟ -

ତନୁରୁ ତନ୍ମାତ୍ର

କେବଳ ପ୍ରଲେପ । ଉପଜୀବ୍ୟ ଉପଲକ୍ଷ୍ୟ ।

ପ୍ରସାଧନୀ ମାତ୍ର ।

 

ତୁମର ଏ ଆଧୁନିକୀ, ପୋଷାକୀ ପିଂଡଟା ଭିତରେ,

ନୋହିଲେ ଆଜି ମଧ୍ୟ ଛଟପଟ ହୁଏ -

ସେଇ

ବୁଢ଼ୀମାଲ୍ୟାଣୀର ଆତ୍ମା...

ନିତି ସଂଜ ନଇଁଲେ ମାଳୀସାହି ମଥାନ ଉପରେ,

ଝିମେଇ ପଡ଼ୁଥିବା

କସରା କଟାଜହ୍ନଟାକୁ ସଂପିକାଟି ହେଇ,

ଯିଏ ଆଜି ମଧ୍ୟ ଡାକି ଡାକି ଯାଏ :

ଫୁଲ ନବ, ଫୁଲ ?

 

ପୁଲିଶ୍‌ର ଲଂବା ହୁଇସିଲ୍‌ ଆଉ ଜଗୁଆଳିର

ଘମାଘୋଟ ଘୁ ଘୁ ଘୁଂଗୁଡ଼ି ଭିତରେ

ବେଶ୍‌ ସୁଂଦର ଗୋଟାଏ ସାନି ସୁରୁୱାତ୍‌ର ସାଲିସ୍‌

...ତୁମର ଏ ନଖଉଷୁମ୍‌ ରାତି !

 

ତା’ପରେ

ସୂର୍ଯ ନୁହେଁ ତ,

ଯେମିତି ଗୋଟାଏ ଜରିଖୋଳ ପିଂଧି,

ଚା’ ଟେବଲ୍‌ ଉପରେ ଛିଡ଼ାହୁଏ ଆସି

ତୁମର ସକାମ ସକାଳ ।

ସାଦା ଆଉ ଶେତା ।

ପାଣିଚିଆ ।

 

ତଥାପି

ତୁମର ଏ ଗଳିକଂଦିର ଗୋଲାମମାନେ,

ସାଇବସ୍ତିର ସାଇବ ଓ ବିବିମାନେ,

ତୁମର ଏ ପ୍ରଜନନପ୍ରେମୀ ପ୍ରଜା ଓ ପାଟକମାନେ,

ତୁମର ଏ ନତଜାନୁ ନାଗରିକମାନେ

ଖବରକାଗଜର ଖତଗଦା ଖୋଳିତାଡ଼ି

ବଡ଼ବଡ଼ ହରଫ୍‌ ଭିତରୁ

ସାଉଁଟି ନିଅଂତି

ବାସିରାତିଟାର ବରଫଦିଆ ବିବରଣୀ :

ନାୟିକା ନିଖୋଜ୍‌ ...

ରୋଗଣା ରାସ୍ତାକଡ଼ର ଡଷ୍ଟ୍‌ବିନ୍‌ରେ

ନଷ୍ଟଭ୍ରୂଣ ।

 

ଭୁବନେଶ୍ୱର !

ପ୍ରେମ ଆଉ ବ୍ୟଭିଚାର - ଏ ଦୁଇ ଅସମାହିତ ଅସମାପିକାର

ଦି’ ପଟେ

ତୁମେ ସତରେ

କୁଟିଳ ଗୋଟାଏ ବଂଧନୀ ଯେମିତି !

 

ତୁମର ଏ ରାଜପଥ

ବେଳେବେଳେ ଉଚ୍ଚାଟିତ ହୁଏ । ଚାଲେ ହରତାଳ ।

ଚାଲେ ଧର୍ମଘଟ । ଚାଲେ ଅନଶନ ।

ଦପ୍ତରରେ ସାମୂହିକ ଛୁଟି ।

ବଜାରରେ କଳାପତାକା ପ୍ରଦର୍ଶନ ।

ହାଟରେ କୁହାଟ ।

କଂପାନୀରେ ଛଟେଇର ଛାଟ ।

ଚାବିହଜା ଉପରମହଲାରେ

ତାଲାବଂଦ ।

ଧ୍ୱନି ଓ ଧାରଣା । ପଛମୁହାଁ ପଟୁଆର ସବୁ ।

କେବଳ କବଂଧ ।

ଅନିର୍ଦିଷ୍ଟ କାଳ...

 

ଅଥଚ

ଏସବୁର ଆରପଟେ, ଭାରି ଶାଂତ ଆଉ

ପ୍ରତିକ୍ରିୟାହୀନ,

ଭାରି ନିର୍ଲିପ୍ତ ଓ ନିରାଲଂବ -

ତୁମର ସେ ଛୋଟ ଛୋଟ ଝାଟିର ଝୁପୁଡ଼ି...

ବକଟେ ନାଆଁକୁ ବସ୍ତି...

ସହିଷ୍ଣୁ ସହରତଳି...

 

ଭୁବନେଶ୍ୱର !

ତାଳିପକା ଧର୍ମ ଆଉ ରଫୁକରା ରାଜନୀତି

- ଏ ଦୁଇ ପାଚେରିର ଫଟାଯୋଡ଼େଇ

ଗର୍ଭରୁ

ତୁମେ ସତରେ

ଶିଶୁ-ଉଦ୍‌ଭିଦର ଅତୃପ୍ତ ଗୋଟାଏ

ଉଦ୍‌ଭ୍ରାଂତ ଇସ୍ତାହାର ଯେମିତି !

 

ପଚାବିଅର୍‌ର ବାସ୍ନା ଭିତରେ,

ଶଢ଼ାଅଂଡାର ସରହଦ୍‌ରେ

ଆସ୍ତେ କିଂତୁ ଢୁଳେଇପଡ଼େ, ଅତି ଆସ୍ତେ

- ତୁମର ବେକାରି, ତୁମର ବେରୋଜଗାରି,

ତୁମର ରକମାରୀ ଝକମାରି

ତୁମର ବଜାରଦର, ତୁମର ଏ ପାଣିପାଗ...

ତୁମର ଛୋଟଛୋଟ ପରିବାର,

ଏ ସାନସାନ ସୁଖୀସଂସାର,

ତୁମର ନିଲାମ ଇସ୍ତାହାର, ତୁମର ଏ ସିଂହଭାଗ...

ସବୁକିଛି ।

 

ଆଉ

କାକରରେ କୁଳୁକୁଂଚା କରି,

ତୁମର ଏ ମେଦବଂତୀ ରାତି ପୁଣି ଯେତେବେଳେ ଛାଟିଦିଏ

ଅରାଏ ଅଂଧାର -

ତା ଭିତରେ ଆକ୍ଷି ମଳେ

ତୁମର ସେ ତାରକା-ସଂସ୍କୃତି !

ଆଖି ଫିଟାଇବା ପରେ

ମନେହୁଏ :

କରୀଂଦ୍ରଗମନା କେଉଁ କଲ୍‌ଗାର୍ଲ‌୍‍ଟିର

କ୍ଳାଂତ ଅଭ୍ୟସ୍ତତା ଭିତରେ,

ତୁମେ ଯେମିତି ଆଉ କିଛି ନୁହଁ...

ଖାଲି ମାଂସଳ ଗୋଟାଏ ମରୀଚିକା !

 

ଭୁବନେଶ୍ୱର !

ଘୁଣଖିଆ ପ୍ରାଚୀନ ସ୍ଥାପତ୍ୟ

ଆଉ

ଚୂନଦିଆ ନୂଆ ଇମାରତ -

ଏ ଦୁଇ ସମାଂତରାଳ ସଂସ୍କୃତିର

ଅଜବ ଅପମିଶ୍ରଣ ଉପରେ

ତୁମେ ସତରେ

ଚିରୁଡ଼ାଏ ଚହଟଚିକଣ ପଲସ୍ତରା ଯେମିତି !

 

ବିଦାୟ, ଭୁବନେଶ୍ୱର,

ବିଦାୟ !

 

ପାଟଳୀ ପାପର ପାଲିସ୍‌ ପାପୁଲି ଉପରେ

ତୁମେ ହୁଏତ

ଅବିଚାରିତ କାମନାର ଅନୁତପ୍ତ ସ୍ପର୍ଶ ଟିକିଏ;

ନୁହେଁ ତ

ନିଷିଦ୍ଧ ସ୍ୱପ୍ନର ନିଟୋଳ ଗଂଡଦେଶରେ

ତୁମେ ତଥାପି

ପ୍ରତାରିତ ଯୌବନର ଦୀର୍ଘଶ୍ୱାସଦଗ୍ଧ

ଛୋଟ ଚୁଂବନଟିଏ ।

 

ସ୍ୱରଭଂଗ

 

ଦିନେ ବି କେବେ ସେଇ ସମୁଦ୍ରକୂଳକୁ ଯାଇଚ ? ଯାଅ,

ଦେଖିବ ଯେ, ବର୍ଷ ବର୍ଷ ଧରି

ଲୁଣିହାୱା ସହିସହି, ବତାସ

ଓ ବାତ୍ୟା ବରଦାସ୍ତ କରି,

ସେଇସବୁ ଧାଡ଼ି ଧାଡ଼ି

ଝାଉଁଗଛମାନେ

ଠିକ୍‌ ସବୁଦିନ ପରି

ନୀରବ ଶ୍ରୋତା॥

କାରଣ ସେମାନେ

ସମୁଦ୍ରର ଗୀତ ଶୁଣଂତି ।

ସେ ଗୀତର ସ୍ୱରକୁ

ନିଜ ଦେହରେ ମର୍ମରାୟିତ

କରଂତି॥

 

ଆମେ ସବୁ କ’ଣ ସେଇ

ଝାଉଁଗଛ ? ସମୟ-ସମୁଦ୍ରର

ଗୀତ ଶୁଣିବାକୁ

ସାରା ଜୀବନ ଖାଲି

ସହିଆସୁଚୁ ଲୁଣିହାୱା,

ମଥାପାତି ମାନିନେଉଚୁ

ବାତ୍ୟା ଆଉ

ବତାସ ?

ଏ ପ୍ରଶ୍ନର

ଉତ୍ତର ନାହିଁ । କାରଣ

ପ୍ରତ୍ୟେକ ପ୍ରଶ୍ନ ପ୍ରକାରାଂତରେ ପ୍ରତିଧ୍ୱନି

ପ୍ରତ୍ୟେକ ପ୍ରତିଧ୍ୱନି ପ୍ରକୃତପକ୍ଷରେ

କରୁଣ କଟାଳ

କାଳକାଳ॥

 

***

ମଣିଷ ବି ସମୟର ସାରେଗାମା ଶିଖେ !

ଜୀବନ ହୁଏତ

ସେଇ ସମୟ-ସ୍ପଂଦିତ ମହାତାଳମୟ

ମୂର୍ଛନାର ଏକ ଲୟଭ୍ରଷ୍ଟ ସ୍ୱରଭଂଗ॥

 

***

 

 

ମୃତ୍ୟୁ

ଏକ ମୃଦୁସଂଗୀତର ସକରୁଣ କ୍ଷତ !

ଭଲପାଇବା ବି

ଏ ଆତ୍ମାର ଅଜାଗା ଘା’... !

 

ଯୌବନ

ବୋଧେ ସେଇ ଘାଆର ଯଂତ୍ରଣାରେ ଜୁଡ଼ୁବୁଡ଼ୁ

ଯୌଥଗାନ॥

 

ନୀଳତୃଣ

 

ଆଜିର ଏ ସୂର୍ଯ ପାଇଁ ଆଉ

କାଂଦନା ତମେ ! ଦେଖିଲଣି,

ରାତି ତମ ପାଇଁ କ’ଣ ଆଣିଚି ?

...ଜହ୍ନ !!

ଜହ୍ନ ଦେଖି ହସ॥

 

ଅଂତତଃ ଗୋଟିଏ ରାତିର ଦରଦକୁ

ସମ୍ମାନ ଦିଅ ! ଶିଶିରରେ ବରଂ

ଭିଜିଭିଜି ଶୋଇପଡ଼॥

କେବେ କେଉଁ

ଆସଂତାକାଲିର ସ୍ୱପ୍ନ ପାଇଁ ଦିନ ଗଣ !

ଶିଶିର ଶୁଖିଯିବା ପୂର୍ବରୁ

ଶୋଇପଡ଼, ଶୋଇପଡ଼॥

ଓଃ

ଅଝଟ କାହିଁକି ? ଆସଂତାକାଲିର

ଉଡଂତା ପକ୍ଷୀ ନିଶ୍ଚୟ ତାର ଗୀତ

ଗାଇ ତୁମକୁ ଶେଯରୁ ଉଠେଇବ !

ହେ ନୀଳତୃଣ !

ତମେ ଏବେ ଶୋଇପଡ଼...

ଶୋଇପଡ଼...

ଶୋଇପଡ଼...॥

 

ହଁ, ଦିନ ଥିଲା

ଯେତେବେଳେ କି

ତମେମାନେ ସବୁ

ସକାଳକୁ ଦେଖି

ହସୁଥିଲ ଏବଂ

ପବନ ଓଠର

ସୁସୁରି ଶୁଣୁଥିଲ॥

 

ଦିନମାନେ କ’ଣ

ଲେଉଟି ଆସିବେ ?

କାଇଁ,

ଜଣା ତ ପଡ଼େନା !

କାଇଁକି ତେବେ

ତମେସବୁ ଆଜି

ଉଦାସ, ଉଦାସ ?

 

ଶୋଇପଡ଼ ତମେ

ହଁ, ଶୋଇପଡ଼॥

 

କବିତାର ଦାବୀ

 

ଶିଶୁର ଚାହିଦା - ଖେଳନା, ପୁଂଜେ ପ୍ରଜାପତି

କବିତାର ଦାବୀ - ପ୍ରଚୁର ଜୀବନ, ପ୍ରଚୁର ଆଲୋକ ।

 

ବୃଦ୍ଧର ଚାହିଦା - ଚଷମା, ଗୋଟେ ଆଶାବାଡ଼ି

କବିତାର ଦାବୀ - ପ୍ରଚୁର ଯୌବନ, ପ୍ରଚୁର ଉତ୍ତାପ ।

 

ବ୍ୟକ୍ତିର ଚାହିଦା - ମତାଧିକାର, କିଛି ନିରାପତ୍ତା

କବିତାର ଦାବୀ - ପ୍ରଚୁର ପ୍ରାଣ, ପ୍ରଚୁର ଅଭିବ୍ୟକ୍ତି॥

 

ଭୋକୀର ଚିତ୍କାର - ଗଂଡେ ଭାତ, ଖଂଡେ ରୁଟି

କବିତାର ଦାବୀ - ପ୍ରଚୁର ପୃଥିବୀ, ପ୍ରଚୁର ପରମାୟୁ ।

 

ଶୋଷୀର ଚିତ୍କାର - ଟୋପେ ପାଣି, ଟିକେ ଶୀତଳତା

କବିତାର ଦାବୀ - ପ୍ରଚୁର ପାରାବାର, ପ୍ରଚୁର ପ୍ରେମ ।

 

ବଂଦୀର ଚିତ୍କାର - ପାଦେ ମଇଦାନ୍‌, ମୁଂଦେ ମଳୟ

କବିତାର ଦାବୀ - ପ୍ରଚୁର ଆକାଶ, ପ୍ରଚୁର ମୁକ୍ତି॥

 

 

ଚାଷୀ ମାଗେ - ଫସଲର ଦାମ୍‌

କବିତାର ଦାବୀ - ବଂଚିବାର ହକ୍‌॥

 

କୁଲି ମାଗେ - ମଜୁରି ଓ ବୋନସ୍‌

କବିତାର ଦାବୀ - ଲଢ଼ିବାର ଅଧିକାର ।

 

ସରକାର ମାଗେ - ଭୋଟ୍‌ ଓ ଖଜଣା

କବିତାର ଦାବୀ - ଭାଂଗିଚୂରି ଗଢ଼ିବାର ଶକ୍ତି॥

 

ଛୋଟଛୋଟ ନିଃଶ୍ୱାସ

 

ଛୋଟଛୋଟ ନିଃଶ୍ୱାସ ପରି କବିତା ।

ମୃଦୁ,

ଉଷ୍ଣ,

ଓ ସ୍ୱତଃସ୍ଫୂର୍ତ ।

*

କଥା ଯେଉଁଠି

ଅଧା

ଅଧୁରା,

ଗୀତ ସେଠି

ଓଦା,

ବତୁରା ।

*

ଭଂଗାସ୍ୱପ୍ନର ସକାଳ

ଯେଉଁଠି

ଦେଇଯାଏ

କେଇବୁଂଦା କାକର,

କବିତା

ସେଠି କାକସ୍ନାନ ସାରି

ଦିଶୁଥାଏ

ସଫା

ସୁତୁରା॥

 

ଖରାତରା

 

ଯଦି

ଆସିବାର ଅଛି,

ଆସନାଇଁ

ଅଳସଗତିରେ ।

 

ଏମିତ ତ

ଉଛୁର ହେଲାଣି ।

ଖରା ପଡ଼ିଲାଣି॥

 

ଯଦି

ବିଦାୟ ନେବାର କଥା,

ନେଇଯାଅ,

ବିନାନୁମତିରେ ।

 

ଦୁଇଆଖି

ଦୁଆର ଦେଲାଣି ।

 

ତରା ପଡ଼ିଲାଣି॥

 

ଘର

 

ଦିନେ

ଗଢ଼ାସରିଯାଏ

ମିଶର୍‌ର ପିରାମିଡ଼୍‌ ।

ଚାଇନାର ପ୍ରାଚୀର ।

 

ଏ ଦେଶରେ

ସେ ଦେଶରେ

ଚୈତ୍ୟ,

ଚୂଡ଼ା,

ମଂଦିର,

ପାଗୋଡ଼ା ।

 

ଏ ମୁଲକରେ

ସେ ମୁଲକରେ

ଗିରିଦୁର୍ଗ,

ଗଂବୁଜ,

ମିନାର୍‌,

ମେହରାବି ।

 

ଦିନେ

ତୋଳାସରିଥାଏ ବି

ଏଠି

କୋଣାର୍କ,

କଳାପଥରରେ ।

ସେଠି

ତାଜମହଲ,

ଧଳାପଥରରେ ।

 

ମାତ୍ର

ପୂର୍ବପଶ୍ଚିମଉତ୍ତରଦକ୍ଷିଣ

ମାନଚିତ୍ରାଧୀନ

କୌଣସି

ଭୂଖଂଡେ

କେବେହେଲେ

ସରିପାରେନାଇଁ

ଘରଖଂଡେ ।

 

 

ଛୋଟଘର ।

ଅତି ଛୋଟଘର ।

ମଣିଷର ଘର ।

 

ଯାବତ୍‌ଚଂଦ୍ରାର୍କ

 

***

ତୁମର ତୃଷିତ ଅଧର ପାଇଁ

ଏ ପୃଥିବୀ

ପରିପୂର୍ଣ ପାନପାତ୍ର ।

ପିଇଦିଅ,

ପିଇଦିଅ ପ୍ରିୟକବି,

ଏବେ

ଏଇମାତ୍ର ।

***

ଅଧାବୁଜା ଆଖିଦି’ଟି କିଂତୁ

ଏଯାଏଁ ବି

ଅସରା ଅସରା

ଅଶ୍ରୁଭରା

ସେଇ ପରିତ୍ୟକ୍ତ ପାନପାତ୍ର,

ଯାହା ପାଇଁ ହୋଇଉଠେନା ଅଧୀର

କୌଣସି ଅଧର,

ଏବଂ

ତୋଳେନା ବି ସ୍ୱର

ପଥରରେ ପଥଚ୍ୟୁତ କୌଣସି ଈଶ୍ୱର ।

 

ସେଥିପାଇଁ

ଶେଷ ହୁଏ ନାଇଁ

ଶୋଷର ପିଆଲା ।

 

ସେଥିପାଇଁ

ଛିନ୍ନ ହୁଏ ନାଇଁ

ଜ୍ୱାଳାର ମାଳା ।

 

ସେଥିପାଇଁ

ଭାଂଗିପଡ଼ିଥିବା

କୌଣସି କୋଣାର୍କ

ଭୁଲ୍‌ରେ ବି ବାଛିନିଏନାଇଁ

ଛାତିରେ ଚାପିଧରିବାକୁ

ଆଉଥରେ

ଶୋକାପ୍ଳୁତ ଶିଳା॥

 

ମଲାମେଘର ମଲାଟରେ

ଧାଡ଼ିଏ ଧୂଳିର ନାଁ :

ନାନାବାୟା ଗୀତର ଶୀର୍ଷକ

ଛଡ଼ାଫୁଲଟିର ଛିଡ଼ାପାଖୁଡ଼ାରେ

ଚୁପ୍‌ଚାପ୍‌ - ହଁ ନୁହେଁ କି ନା :

ସଦ୍ୟଶିଶିରର ଶ୍ଳୋକ

 

ଲେଖୁଥାଅ,

ଲେଖୁଥାଅ ଲୋକକବି,

 

ଯାବତ୍‌ଚଂଦ୍ରାର୍କ॥

 

ବଗିଚା

 

ଏ ବଗିଚା ମୋ ନିଜର ॥ ତଥାପି ମୁଁ ନିରେଖି ତ ପାରେ

ରାତି ହେଲେ ଗୋଡ଼ ତାର ଲଂବାଏ କେ ଏଡାଳୁ ସେଡାଳେ !

ଭାରି ମତେ ଭୟ ଲାଗେ ! ପାଟିକରେ : ‘କିଏ କାହିଁ ଅଛ ?’

କେଉଁଠି କିଏସେ ହସି ଫାଟିପଡ଼େ ବଗିଚା ଉଢ଼ାଳେ ??

 

ଯେଉଁସବୁ ଚାରାଗଛ ରୋଇଥିଲି କେଇବର୍ଷ ତଳେ

ସେମାନେ ଅସୁର ପରି ଠିଆ ଆଜି ବଗିଚା ଭିତରେ !

ସେମାନେ ଦିଶଂତି ଭାରି ଝଂକାଳିଆ, କଳାମଚମଚ

ମୁଁ ଚାହେ ଧସାଇପଶୁ ଛାଇ ତାଂକ ଅନ୍ୟବନସ୍ତରେ॥

 

କେତେ ଗଛ ! କେତେ ବୃଚ୍ଛ ! ମନେହୁଏ ସବୁ ଦେଖିସାରି

ମୁଁ ଏଇଠି ଶୁଅଂତି କି ଟାଣିଦେଇ ମୃତ୍ୟୁର ମଶାରି !

ଏଇ ଇଚ୍ଛା ହେଲାଦିନୁ ବଗିଚାରେ ବୁଲୁଚି, ଅଥଚ

ମୁଁ ଖୋଦ୍‌ ମଶାରି ହୁଏ - ମୋ ମୃତ୍ୟୁର ! ଶୁଣେ ତା ଘୁଂଗୁଡ଼ି॥

 

ହେ ମୋର ଦ୍ୱିବିଧ ସ୍ଥିତି ! ହେ ମୋ ଦୂବଘାସର ଗାଲିଚା !

ମୋ ମୃତ୍ୟୁ ବି ବାଛିନିଏ ନିଜପାଇଁ ନିଜର ବଗିଚା ???

ଉତ୍ସ :‘ନବରବି’,ମଇ ୧୯୭୫

 

ପଡ଼ୋଶୀ

 

ଏ ଯେଉଁ କବରଖାନା ଡାକେ ଆଜି ବର୍ଷବର୍ଷ ଧରି

ଏଠି ଦିନେ ହସୁଥିଲା ଦ୍ରାକ୍ଷାବନ । ପ୍ରେମର ପ୍ରହରୀ ।

ଜୀବନର ଶେଯ ଏଠି ଥିଲା ବୋଧେ ସାକୀର କବରୀ

ସମୟ ଶୁଣାଉଥିଲା ହୁଏତ ବା ସୁରାର ଶାୟରୀ॥

 

ସମୟ ହଜିଲା କିଂତୁ ସେଦିନର ଦ୍ରାକ୍ଷାବନ ଛାଡ଼ି

ମଣିଷର ଲାଲ୍‌ରକ୍ତ ଚାଟିଗଲା ହଳଦୀ କିଆରି।

ଦୁଇଖଂଡ ହାଡ଼ ପାଖେ ଥୁଆଗଲା କାହାର ଖପୁରି ?

ଆଜି ଏ କବରଖାନା ଇତିହାସ କହିବ ଆହୁରି॥

 

ସୂର୍ଯର ଆୟୁଷ କମେ ! ତଥାପି ତ ତମେ କୁହ ନାରୀ,

ଆଜିର ଏ ରାତିଟା ବି କାଲି ପରି ଭଲ ଲାଗେ ଭାରି !

ଅଥଚ ତମେ କି କେବେ ସ୍ୱାତୀର ସେ ସତୀଦାହ ସାରି

କାଲିର ସ୍ୱପ୍ନକୁ ଆଜି - ଏ ସକାଳେ ପାରୁଛ ଉଖାରି ?

 

ରାତି ଠିକ୍‌ ଶୋଇପଡ଼େ ତମ ପରି ତରାଫୁଲ ଖୋଷି

ସକାଳ ଚେତାଏ ସିନା - ଏ ଜୀବନ : ମୃତ୍ୟୁର ପଡ଼ୋଶୀ॥

ଉତ୍ସ :‘ନବରବି’,୬ଷ୍ଠ ବର୍ଷ ୨ୟ ସଂଖ୍ୟା,ଅଗଷ୍ଟ ୧୯୭୫

 

Unknown

ବତିଘର

 

ମୃତ୍ୟୁର ଶାଗୁଣାମାନେ ଯଦି ଆସି ମୋ କବର ପରେ

ବସିବେ ମେଲାଇ ଡେଣା, ଘୋଡ଼ାଇବେ ଫଳକ-ଅକ୍ଷରେ

ହେ ମୋର ବିଧବା ନାରୀ, ହେ ମୋ ପ୍ରିୟ ମାଲଭାଇମାନେ

ତମେସବୁ ପଢ଼ିବ ମୋ ନାଆ ନିଶ୍ଚେଁ ଉଡଂତା-ପତ୍ରରେ॥

 

ଉଡଂତା-ପତର କେତେ ଛୁଇଁଛୁଇଁ ଯାଉଚି ଜଣେଇ

ଜୁଡ଼ୁବୁଡ଼ୁ ଜୀବନଟା ଛୁଆଁ କେତେ ସାରିଚି ନିଭେଇ !

ସେଥିପାଇଁ ଛୁଆଁ ଆଉ ନିଆଁ କଥା ଶବ କ’ଣ ଜାଣେ ?

ମୁଁ କିଂତୁ ପାରୁଚି ବାରି କାଂଧେ ମୋର ନିଆଁର କୋକେଇ॥

 

ୟା’ପରେ ଆଉ ମୁଁ କିଛି ଜାଣେ ନାଇଁ । ବହୁ ଦୂରୁ ଥାଇ

କେତେ ମୃତ୍ୟୁ ଦେଖୁଥିଲି, ଝୁଲିଝୁଲି, ଧୂଆଁ ବି ଛୁଟାଇ !

ଦୂରରୁ ଆଲୋକ ଦେଖି, ସୁସୁରି ବି ଶୁଣିପାରି କାନେ

ମୁଁ କଅଣ ଭାବୁଚି ତା କହିବି କି ହେ ମୋ ମାଲଭାଇ ?

 

ଭଂଗା ଏ ଦେହର ନାଆ ଜୀବନକୁ ନିଏ ବୋଧେ ବୋହି

ଶେଷ ଯେଉଁ ସୀମାଂତରେ ମୃତ୍ୟୁ ଡାକେ ବତିଘର ହୋଇ॥

ଉତ୍ସ ‘ନବରବି’,୬ଷ୍ଠ ବର୍ଷ, ୨ୟ ସଂଖ୍ୟା,ଅଗଷ୍ଟ ୧୯୭୫

 

ଆକାଶଟା ଭାଂଗି ଯଦି ପଡ଼େ

 

ହେ ମୋର ଧୂସର ମାଟି, ତମେ ଅଛ ଦୁଇପାଦ ତଳେ

ଆଉ ତେବେ କି ଦୁଃଖ ମୋ ପକ୍ଷୀମାନେ ଉଡ଼ିଚାଲିଗଲେ ?

ମୁଁ ଦିନେ ତୁମର ଘାସ ଘୋଡ଼ିହୋଇ ଶୋଇବି କବରେ

ମୁଁ ମଧ୍ୟ ହୋଇବି ତୁମ ଲଂକାଗଛ ଆରଜନମରେ॥

 

ଆଜିର ଏ ଗଛଟିକୁ କାଠହଣା ଖୁଂପିଚାଲିଥିବ

ଡାହୁକ ବି ଡାକୁଥିବ...ସମୟ ବି ଚାଟୁଥିବ ଜିଭ !

ବାଟୋଇ, ଏ ବାଟେ କାଲି ଖରାବେଳେ ତମେ ଯଦି ଯିବ

କବର-ପ୍ରାଂଗଣେ ଥିବା ଝରାପତ୍ରେ ବୁଝିବ, ବୁଝିବ॥

 

ଆଜିର ଏ ଛାଇ ମୋର ହଜିଯିବ ଖରା ସରିଗଲେ,

ଉଡଂତା-ଧୂଆଁରେ ମଧ୍ୟ ଗାର ଟାଣି ନିଜର ନଖରେ

ମୃତ୍ୟୁର ଶାଗୁଣାମାନେ ଉଡ଼ିବେ ମୋ ଆକାଶ ଉପରେ

ମୋ ଛାଇ ଠକିବ ମତେ ! ହେଲେ କିଂତୁ, ମୋର ଏ ଜନ୍ମରେ -

 

ହେ ମୋର ଧୂସର ମାଟି! ତମେ ଅଛ ଦୁଇପାଦ ତଳେ

ଦୁଇ ହାତ ଟେକିଦେବି, ଆକାଶଟା ଭାଂଗି ଯଦି ପଡ଼େ॥

ଉତ୍ସ :‘ନବରବି’,୬ଷ୍ଠ ବର୍ଷ ୨ୟ ସଂଖ୍ୟା,ଅଗଷ୍ଟ ୧୯୭୫

 

କଟକ : ୧

 

ବାଟ ମୁଁ ଚାଲୁଚି ଆଜି ରହିରହି ଅଟକି ଅଟକି

ଶବଯାତ୍ରା...ଶୋଭାଯାତ୍ରା...ରଥଯାତ୍ରା...ପଥଯାତ୍ରା ପୁଣି

ବାଟ ମୁଁ ଚାଲୁଚି ଆଜି ଦେଖିଦେଖି ପରଖିପରଖି

ରାମ୍‌ନାମ୍‌ - ହରେ ରାମ୍‌...ବଂ ବଂ...ହରହର ଶୁଣି !

 

ବାଟ ମୁଁ ଚାଲୁଚି ଆଜି ଛାଡ଼ିଛୁଡ଼ି ଗଳି ଆଉ ମୋଡ଼

କିଏ ଆସେ କିଏ ଯାଏ ପତାକା ଓ ପଟୁଆର ଗଢ଼ି ?

ବାଟ ମୁଁ ଚାଲୁଚି ଆଜି ଦେଖି ପାଟ-ଶିରିପାର ଯୋଡ଼

ଦଳ ଚାଲେ, ଧର୍ମ ଚାଲେ କଳାଘୋଡ଼ା, ଧଳାଘୋଡ଼ା ଚଢ଼ି !

 

ବାଟ ମୁଁ ଚାଲୁଚି ଆଜି ଧକ୍‌କା ଖାଇ ଛୋଟେଇଛୋଟେଇ

ଗାଡ଼ି ଦେଖି...ବାଡ଼ି ଦେଖି...ଧାଡ଼ି ଦେଖି ଶାଢ଼ିଦୋକାନରେ

ବାଟ ମୁଁ ଚାଲୁଚି ଆଜି ନିଜକୁଇ ଗୋଟେଇପୋଟେଇ

ଟୁପ୍‌ଟାପ୍‌... ଫୁସ୍‌ଫାସ୍‌...ଚୁପ୍‌ଚାପ୍‌ ଶୁଣି ମୋ କାନରେ !

 

ବାଟ ମୁଁ ଚାଲୁଚି ଆଜି ଶୁଣିଶୁଣି : କଟକ ! କଟକ !

ବାଟ କାଇଁ କଟକରେ, ବଂଦ୍‌ ତୋର ଅଖ ଆଉ ଚକ॥

 

କଟକ : ୨

 

ବାଟ ମୁଁ ଚାଲୁଚି ଆଜି ଗିରିଷମେ ଏକଲା ରଇତ

ଛତା କାଇଁ ? ଜୋତା କାଇଁ ? କାଇଁ ସତେ କୋଉଠି ବା ଠେକା ?

କୋଉଠି ତୋ ତାଳଦଂଡା ଶୁଣଉଚି ନାନାବାୟା ଗୀତ ?

ଝାଇଁମରା ଖରାଟାରେ ବାଟ ତୋର ଚାଲୁଚି ମୁଁ ଏକା !

 

ବାଟ ମୁଁ ଚାଲୁଚି ଆଜି ଅପଂତରା, ଅଜଂତରା ବାଟେ

ପଛରେ ମୋ ରହିଲାଣି ବହୁ ବାଂକ, ବହୁତ ବୁଲାଣି

ତଥାପି ତ ଅନେଇଚି ଅର୍କ୍ଷିତ ମୁଁ ଅବୋଲକରାଟେ

ବାକି ଅଛି ବହୁ କଥା ... ବାକି ଅଛି ବହୁତ କାହାଣୀ ।

 

ବାଟ ମୁଁ ଚାଲୁଚି ଆଜି ଦୋଦୋଚିହ୍ନା ଆଖିର ଉହାଡ଼େ

ସଚିତ୍ର ତୋ କାଂଥବାଡ଼େ ବଂକାତେଢ଼ା ହରେକ୍‌ ଇସାରା

ବୋଉର ଆକଟ ଆଜି ରହିଲାଣି କେଉଁଠି କୁଆଡ଼େ ?

ଭୋକ ନେଇ, ଶୋଷ ନେଇ - ବୁଲୁଚି ମୁଁ ଖରାବେଳସାରା ।

 

ବୁଲୁଚି ମୁଁ ଚାଲିଚାଲି - ପାଗ ନାଇଁ, ପଗଡ଼ି ବି ନାଇଁ...

ଦେଏ ତୁ ଚଟେଇଖଂଡେ, କଟକରେ ! ଦେଏ ଟିକେ ଛାଇ ।

 

କଟକ : ୩

 

ବାଟ ମୁଁ ଚାଲୁଚି ଆଜି - ଛାଇଛାଇ ମାଈସଂଜବେଳେ

କେଉଁଠି ତୋ ଚିହ୍ନାଗାଲେ ଥଂଟ ଘଷେ ବେନାମୀ ଚଢ଼େଇ

ଅଚିହ୍ନା ଅଚିହ୍ନା ସବୁ ଲାଗୁଚି ଏ ଚିହ୍ନାମୁହଁ ମେଳେ

ଚାଲୁଚି ମୁଁ ବାଇମୁଂଡି - ଥିରିଥିରି - କଡ଼େଇକଡ଼େଇ ।

 

ବାଟ ମୁଁ ଚାଲୁଚି ତୋର ଭଂଗାରୁଜା ଅତୀତକୁ ଝୁଂଟି

କେଉଁଠି ପଥରବଂଧ ? କେଉଁଠି ତୋ କଂସାର କବାଟ ?

ଖାଲ ଡେଇଁ, ଢିପ ଡେଇଁ ଚାଲୁଚି ମୁଁ ପଡ଼ି ପୁଣି ଉଠି -

ଚାଲୁଚି ମୁଁ ପାଦ ଗଣି - ଛୁଇଁ ଅଣଓସାରିଆ ବାଟ ।

 

ବାଟ ମୁଁ ଚାଲୁଚି ଆଜି - ଚାଖଂଡକ - ହାତେ ସିନା ମାପି

କେଉଁଠି ତୋ ଚିହ୍ନାଡାକ ? କେଉଁଠି ତୋ ଚିହ୍ନା ଦରହାସ

ଧବଳ ଯଦିଓ ତୋର ଟଗରଟା ଦିଶୁଚି, ତଥାପି

କେଉଁଠି କେରାଏ ଘାସ ? କେଉଁଠି ତୋ ଅରାଏ ଆକାଶ ?

 

ଚାଲିଚି ମୁଁ ଚୁପ୍‌ଚାପ୍‌ ଶାବନା ତୋ ସଂଜକୁ ଅନେଇ

ମୁଁ କଣ ଜାଣୁନି ଜମା କଟକରେ, ଶୋଇଚୁ ତୁ ଚେଇଁ ?

 

ସକାଳର ସହର

 

ସହସ୍ର ଗାୟତ୍ରୀ ସିନା ଗୁଂଜରିତ ମାଂଧାତା ମଠରେ,

ସକାଳଟା ଆସେ ଏଠି - ହଲିହଲି ଦୋହଲିଦୋହଲି

ଆଖିରେ ଭୋକର ଭାଷା...କାମନାର କାକୁତି ଓଠରେ

ଗୋରାଗାଲ ଭଉଁରିରେ କଳାଜାଇ ନକଲି ନକଲି !

 

ସରକାରୀ ସରହଦ : ସକାଳର ସଫେଦ୍‌ ସହର

ଦିନକୁ ଦେଖାଏ ଟର୍ଚ୍‌... ଛକଛକ ଛଟକର ଛକ

ଜନପଥେ ଜବାହାର - ମନରେ ତ ମେଂଚାଏ ଜହର

ମପାଚୁପା ମୁରୁକିରେ ମତଲବୀ ମୁନାଫାର ଅଂକ !

 

ଉଁଚାଉଁଚା ଇମାରତ୍‌ - ଇଟାଠୁ ବି ଇଚ୍ଛାମାନ ସାନ

ପାଖେପାଖେ ପଥରର ଦରଭଂଗା ଦେଉଳ ଆଉରି

ଚୂନଟା ଚଂଦନ ଏଠି । ଜୀବନଟା ଜରିମୋଡ଼ା ପାନ

କେଦାର ଯାଇଚି କ୍ଲବ୍‌ - ଓହଳିଚି ଛାତରୁ ଗଉରୀ !

 

ନଖରୀ ଏ ନଗରୀଟା ନିଜେ ଗୋଟେ ନେଳିଆ ନାଗୁଣୀ

ଖବରକାଗଜ ଖାଲି ଖୋଜୁଅଛି : ଖୁଣୀ କାଇଁ, ଖୁଣୀ ?

 

ଘଟଣା ଚରିତ୍ର ପରିବେଶ

 

ଘଟଣା ନହେଉ ଛୋଟ ବଡ଼ବଡ଼ ଦୁର୍ଘଟଣାଠାରୁ

ଚରିତ୍ରକୁ ଛାଡ଼ିଦିଅ ନ ବତାଇ ପଥ ହିଁ ପ୍ରଥମୁଁ

ପରିବେଶ : ପରିଶେଷ ? ସବୁ ସଂଜ୍ଞା ଶେଷ ହୋଇସାରୁ

ପ୍ରତି କ୍ଷତ ପ୍ରତ୍ୟକ୍ଷିବି - ପ୍ରେମଠାରୁ ଯୁଦ୍ଧପର୍ଯଂତ ମୁଁ ॥

 

ଯେତେସବୁ ଯୁଦ୍ଧଭୂମି ଅମାୟିକ ଅମ୍ଳଜାନ ଲୋଡ଼େ

ସେସବୁଠି ଶୁଣାଯାଏ ପ୍ରେମକଥା ପ୍ରାଚୀନକାଳୀନ

ସେ ଯୁଦ୍ଧଫେରଂତାଟିକୁ ଯାଚିପାର ଯୂଇଫୁଲ ଯୋଡ଼େ

ସେ ପ୍ରେମ ହିଁ ପ୍ରୟୋଜନ, ଯେ ପ୍ରେମଟା ପ୍ରାୟଶ୍ଚିତ୍ତହୀନ॥

 

ଆଜିର ଏ ରାତିରେ ବି ଜହ୍ନ ଉଏଁ କପିଳବାସ୍ତୁର

ତମେ କିଂତୁ ଚର୍ଚା କର ରାତିସାରା ଚାଂଦ୍ରାୟଣବ୍ରତ

ଘଟନାଚକ୍ରଠୁ ମଧ୍ୟ ଚରିତ୍ରକୁ ରଖିବାକୁ ଦୂର

ନ କରିଛ କହ କେତେ ତିଥି ଖୋଜି ତ୍ରିବାରଶପଥ ?

 

ତ୍ରିବାରଶପଥ ନୁହେଁ - ଗୋଟେଦିଟା ପାପ ବରଂ କର

ମୁଁ ଚାହେ ଚରିତ୍ରହାନି ଚାରିପାଂଚଥର କି ଛଥର॥

 

ବୁଢ଼ା ହେଲେ

 

ବୁଢ଼ା ହେଲେ ଭୁଲିହୁଏ ବିତର୍କିତ ପାପ ଓ ପ୍ରଣୟ

ବୁଢ଼ା ହେଲେ ଭୁଲିହୁଏ : ସଂଗୋପିତ ସମୟର ଭୟ ।

ହାୱାରେ ଉଡ଼ାଏ ଶବ୍ଦ ହୃଦୟର ଅଳିଂଦନିଳୟ

ବୁଢ଼ା ହେଲେ ବିସ୍ମରଣ । ଲକ୍ଷେ ଲୟ : ବିଲୟ ବିଲୟ॥

 

ଯୁବାକାଳେ ଯେ’ଆକାଶ ଚାଂଦିମାଛକାତିର କିସମ

ବୁଢ଼ା ହେଲେ ସେ ଆକାଶ : ଶ୍ରୀଜିଉଂକ ଶୂନ୍ୟବେଶ ସମ ।

ଆଇଁଷ ଇଚ୍ଛାଂକୁ ଏଣୁ ଆଡ଼ାଏ ତ ଉଷୁଁଆ ଉଆଁସ...

ତମ ସ୍ମୃତି ସ୍ୱପ୍ନ କି ସେ ଉଆଁସରେ ଦେବେ ଦିନେ ଝାସ ?

 

ଅନେକ କାମନା ଏଠି ଅନେଶୋତ ଅନୁଭୂତି ହୋଇ

ଏକ ଏ ମନକୁ କେତେ ଚାଲିଥିବେ ଜଳାଇପୋଡ଼ାଇ ?

କେତେଦୂରେ ବୃଂଦାବନ ? କେତେ ଢେଉ ଗଂଗାରେ ବା ଖେଳେ ?

ଏ ଜ୍ୱଳନୁ ନିସ୍ତାର କି ମିଳିପାରେ : ବୁଢ଼ାଟିଏ ହେଲେ ?

 

ଆକାଶର ତାରା ଲିଭେ । ଶୁଖିଆସେ ତଳମାଳ ନଈ...

ତମ ଛାଇ ଛପିବ କି - ହେ ମାନସୀ, ଆଗୋ ମାନମୟୀ ?

ଉତ୍ସ :‘ଝଂକାର’,ସଂପାଦକ : ସରୋଜରଂଜନ ମହାଂତି,ଜୁଲାଇ ୧୯୭୨

 

୧୯୭୭ ତା ରି ଖ ଥି ବା ଦି ନ

 

In secret we met -

In silence I grieve,

That thy heart could forget,

Thy spirit deceive,

If I should meet thee

After long years,

How should I greet thee ? –

With silence and tears.”

 

– BYRON

 

ଏଇସବୁ ଧାଡ଼ି

 

। ୧।

ଏଇସବୁ ଧାଡ଼ି ଧୂଳିପଟଳରେ

ଘୂର୍ଣିର ଘନଘଟା

ଦୁଃଖସୁଖର ଦୋସମାଳିଆରେ

ଦୋଫସଲି ଧାନକଟା !

 

ଏଇସବୁ ଧାଡ଼ି ହରାଇସାରିଛି

ଉଡ଼ାପତ୍ରର ଅମାନତ କିଛି

ନିଦକୁ କରିଛି ନୀଳସ୍ୱପ୍ନିଳ

ଶେଯକୁ ଶିଆଳିଲଟା !

 

। ୨।

ଏଇସବୁ ଧାଡ଼ି ଅଧା ଉଇଁଥିବା

ତରାର ତଂବାପଟା

ବିଜୁଳିଗାରରେ ବର୍ଷାରାତିର

ବିରହ ତ ବୁକୁଫଟା !

 

 

ଏଇସବୁ ଧାଡ଼ି ଧରାଇଦେଇଛି

ପତ୍ରଝଡ଼ାର ପରୁଆନା କିଛି

ଧାଡ଼ିରେ ଧାଡ଼ିରେ ଛାଡ଼ିଯାଉଛି ମୁଁ

ଛାଇଆଲୁଅର ଛଟା !

 

ତୀର୍ଥନଦୀ

 

। ୧।

ଅନେକ ଆତ୍ମବିସ୍ମୃତି ପରେ

ସେ ଏକ ଇଚ୍ଛାମତୀ

ଜମିରେ ଜମିରେ ଜଳଛବି ଯାର

ଆକାଶୀ ଆକାଶୀ ଅତି !

 

ପବନ ପଢ଼େ ତା ପାଣିର ପୁରାଣ

ଜାତିସ୍ମରା ସେ ଜାହ୍ନବୀ ଜାଣ

କୂଳରେ କୂଳରେ କାଳିକା-କନ୍ୟା

ଅକୂଳରେ କୁଳବତୀ !

 

। ୨।

ଅବତରିଆସେ ଅଳକନଂଦା

ଅନଳରେ ଅନହୁତି

କେତେ ଜନ୍ମର ଜୁଆର ଜପୁଚି

କେତେ ଯେ ଜନଶ୍ରୁତି !

 

 

କଳହଂସୀ ସେ କେଦାରକାମିନୀ

ତୀର୍ଥନଦୀ ତ ତ୍ରିପଥଗାମିନୀ

ବେଳାରେ ବେଳାରେ ବାଳିକା-ବନ୍ୟା

ଅବେଳାରେ ଅବଧୂତୀ !

 

ପଥପୂର୍ବାଶା

 

। ୧।

ହିଂସାର ହସ ହସିଶିଖିବାକୁ

ହୁକୁମ୍‌ ହେଇନି ମତେ

ହାୟ ହଜରତ୍‌, ହାଜର୍‌ ମୁଁ ତମ

ହାଜତର ହେପାଜତେ !

 

କଡ଼ିରେ କଡ଼ିରେ କଢ଼ିର କଟାଳ

ବେଡ଼ିସବୁ ବନପୁଷ୍ପର ମାଳ...

ପ୍ରତିଟି ପ୍ରହାର ପ୍ରତ୍ୟୁପହାର

ପ୍ରାପ୍ତି ପ୍ରାୟେକ ପ୍ରତେ !

 

। ୨।

ହିଂସାର ହସ ହସିଶିଖିବାକୁ

ହେଉ ବି ହୁକୁମ୍‌ ଶତେ

ଏ ନୁହେଁ ହଜୁର୍‌, ମତେ ମଂଜୁର୍‌...

ଥାଏଁ ମୁଇଁ ମୃତାହତେ !

 

 

ରଥଚକ୍ରରେ ଦିଅ ପଛେ ଦଳି

ପଥ ମୋ ରକ୍ତପୂର୍ବାଶା ଭଳି...

ପୋଷାହତିଆର ହେବିନି କାହାର

କେବେ କୌଣସିମତେ !

 

ଦିଗଦିଗଂତ

 

। ୧।

ଦିଗରୁ ଦିଗ ତ ଦୂରଦିଂଗତ

ଦାଗ ତୁ କି ଦେଉ କିଛି ?

ପ୍ରାଚୀ-ପ୍ରତୀଚୀର ପ୍ରତୀପକୋଣରେ

ଏ ଅବାଚୀ - ଏ ଉଦୀଚୀ !

 

ଚଉଦିଗରେ ତୋ ଚଉଠେ ଚଉଠେ

ଚିରାଆକାଶର ଚିତା କିଏ କୁଟେ ?

ଲୁଣିହାଉଆରେ ଲୋଟଣିପାରା ତ

ଲଟିବଣ ଲେଉଟିଚି !

 

। ୨।

ଏଇ ବତିଘର, ଏଇ ବାଲିଘର,

ଏଇ ବେଳା, ଏଇ ବୀଚି

ତୁ ଆସିନୁ ବୋଲି ଅସୁମାର ଓଳି

ଉଷେଇଁଚି, ଉଯେଇଁଚି !

 

 

କୁଆଡ଼େ କୁଆଁରୀ କଢ଼ି କୁଆଁତରା

ଖରିବଣ ଖୋଜେ ଖଡ଼ିଛୁଆଁ ଖରା

ଏଠି ଯଦି ରାହୀ, ରହିବାର ନାହିଁ

କହିବାର ଅଛି କିଛି !

 

ଝରାପତ୍ର

 

। ୧।

ହେ ଝରାପତ୍ର, ଝୁରିମରିବାକୁ

ଯାଉଛ କୁଆଡ଼େ ଉଡ଼ି ?

ଥୟ ଧରି ଥରେ ଅନାଅ ଆଗରେ

ଥୁଆ ତମ ପାଇଁ ଝୁଡ଼ି !

 

ବାହୁଡ଼ାବେଳରେ ବାଟୋଇ ବହୁତ

ଠିକ୍‌ କିଏ ତମ ଠିକଣା କହୁ ତ ?

ହଜାଇ ଦିଅନି ନିଜକୁ ଏମିତି

ବତାସରେ ବାଟ ହୁଡ଼ି !

 

। ୨।

ସାଜୁଥାଉ ମାଥେ ସିଂଦୂରଟୋପା

ବାଜୁଥାଉ ହାତେ ଚୁଡ଼ି

ଛାଇକୁ ଛଇଳୀ ଚାଂଦମୁହୀଁଟି

ଚାଲିଯାଉ ଛାଡ଼ିଛୁଡ଼ି !

 

 

ଝୁରନି ଝୁରନି - ହେ ଝରାପତର,

ଅଶ୍ରୁଠୁ ଦାମୀ ଦିଟୋପା ଅତର

ଆଉ ଟିକେ ପରେ ଉଇଁବ ଜହ୍ନ

ବେଳ ପଛେ ଯାଉ ବୁଡ଼ି !

 

କଚୁଆନ୍‌

 

। ୧।

କୁଆଡ଼େ ଗଲେଣି କଚୁଆନ୍‌ ତୋର

କଳାଘୋଡ଼ା ଧଳାଘୋଡ଼ା ?

କୁହୁଳାନିଆଁର କୁଂଡଳୀ ପରି

କେସରମାନ ତ ମୋଡ଼ା !

 

କଚାରାସ୍ତାରେ କଦମ୍‌କଦମ୍‌

ଟାଂକ ଟଣକା ଟାଣେ ଟମ୍‌ଟମ୍‌

ଘୋଡ଼ା ଛଟଂକା ଦାନା ନଟଂକା

ମାହାଳିଆ ମଥାକୋଡ଼ା !

 

। ୨।

ଶେଷରାତ୍ରିର ଏକ୍‌ସ୍‌ପ୍ରେସ୍‌ ପାଇଁ

କେଜାଏ କୋଇଲାପୋଡ଼ା ?

ନାଲ ଖସିଲେ କି ଖୁରାରୁ ଖଂଡେ

ଲାଲ୍‌ଚାବୁକ୍‌ଟା ଲୋଡ଼ା ?

 

 

ଲାଂଜ ଲୁହାଣ ଲଗାମ୍‌ରେ ଲାଖି

କାବୁଲୀବାଲାର କିସ୍ତି କି ବାକି ?

ଘରେ ନାଇଁ ସିନା ଘୋଡ଼ାପାଇଁ ଘାସ

କା ପାଇଁ ଗୋଲାପତୋଡ଼ା ?

 

ତରାବୋଈ

 

। ୧।

ଆଉଟା ସୁନାର ଚାଂଦକୁ ଚାହିଁ

ତରକୁ ତୋ ତଅପୋଈ

ତୋଳା ତରାଟର ତୋଡ଼ାଏ ତରାରେ

ତିଆରି ତୁ ତରାବୋଈ !

 

ତିର୍ଲା ତୁଠର ତିରିମଲ ତୀରୁ

କାଳିଅଂଧାର କଜଳ କତିରୁ

ଉଜଳେ ଉପରେ କୁଂକୁମକଢ଼ି

କୁନି କୁଆଁତରା ହୋଇ !

 

। ୨।

ତୋ ଭୋର୍‌ ଭାଂଗେ ଭରାକଳସକୁ

ଚୌରାଶି ଚରା ଧୋଇ

ବେଣାପଂଜୁରି ପକ୍ଷୀ ତୋ ପାଖେ

ଡେଣା ପିଟେ ଖରା ପୋଇଁ !

 

 

ଅଟକାଏ ଟ୍ରେନ୍‌ ଅରୁଗୁଳ ଅବା

ପୂର୍ବତଟକୁ ଫେରେ ପୁରୁରବା

ଉର୍ବଶୀହରା ଉଦାସ ଦିନକୁ

ବନପଥେ ପରା ବୋହି !

 

ଚାରାଗଛ

 

। ୧।

ଛୋଟଛୋଟ ଆମ ଦୁଃଖସୁଖର

ଚାରାଗଛମାନ ବଢ଼େ

ଚାଇଁମରା ଖରା ଚାହିଁଚାହିଁ ଚାଲେ

ଚା’ ବଗିଚାର କଡ଼େ !

 

ଛାୟା ନାହିଁ ଏଠି । ନାହିଁ ବି ଛତ୍ର

କଇଁଚିରେ କଟେ କଅଁଳପତ୍ର

ଆମ ଦିନମାନ କେଡ଼େ ହୀନିମାନ

ଗୁଂଡଧୂଳିରେ ଗଡ଼େ !

 

। ୨।

ରତିଏ ରଇର ରଂଗରେ ଏଠି

ରାତି ହଜେ ନିଆଁରଡ଼େ

ଜୀବନକୁ ଆମେ ଯାପୁଛୁ ଯେମିତି

ଜଳୁଥିବା ଜଉଗଡ଼େ !

 

 

ଘରପୋଡ଼ିରେ ବି ଗାଆଁମାନ ଜଳେ

ଅଂଧାର ଆମେ ଦେଖୁ ଦୀପ ତଳେ

ଅଥଚ ଆମର ଚାରାଗଛ ପାଇଁ

ଆକାଶରୁ ପାଣି ପଡ଼େ !

 

ଫୁଲଉଡ଼ା ଦିନ

 

। ୧।

ବଢ଼ିଲା ନଈର ବାଡ଼ୁଅପାଣିରେ

ଭଉଁରୀ କି ଭୁଆସୁଣୀ ?

ବାଲିବଂତରୁ ଚାଲି ମୁଁ ଆସିଛି

ଧୂଳିରେ ଗୋଧୂଳି ଗୁଣି !

 

ରଜା ହେବା ପାଇଁ ରାଣୀଗଂଜରେ

ଫୁର୍‌ହୋଇନି ମୁଁ ଫୁଲସଂଜରେ

ତମ ଶାଳବଣ ପତ୍ରଶେଯ ମୋ

ପ୍ରିୟ ସ୍ମୃତି ଶବରୁଣୀ !

 

। ୨।

ମିତାଲୀ ମେଘର ମାଳାଂଚଳରେ

ବଳାକାର ବୀଜ ବୁଣି

ବାହୁଡ଼ି ଯାଇଛି ବାତୁଳୀ ବର୍ଷା

ବହୁତ ଦିନରୁ ପୁଣି !

 

 

ହେ ମୋର ଫେରାର୍‌ ଫୁଲଉଡ଼ା ଦିନ,

ମାଟିକୁଂଡରେ ମାର୍କା ମାରିନ

ତମ ଲାଜକୁଳୀ ରଂଗ ପାଖରେ

ରହି ମୁଁ ଯାଇଛି ଋଣୀ !

 

ନିର୍ଜଳ

 

। ୧।

ଯେ ଯାହାର କ୍ଷେତେ ଏଯାବତ ଯେତେ

ମଡ଼ାଇସାରିଛ ପାଣି

କେଉଁ ଟୋପାକ ବି ଲୁହଟୋପା ନୁହେଁ

ନିଜେ କି ନଥିବ ଜାଣି ?

 

ଲୁଣିପାଣି ନେଇ ଲୁହ କି ତିଆରି ?

କିଆଗୋହିରିକୁ କହୁଛି କିଆରି :

ଏ ମାଘମାସରେ ମନର ମେଘଟା

ମେଲାଣି ତ ମାଗିଲାଣି !

 

। ୨।

କେଉଁଠି ବାହୁନେ ବାଲିର ବାଗାନେ

ଫୁଲସବୁ ବାଇଗେଣୀ ?

ମରୁଗୋଲାପକୁ ମୂର୍ଛିଦେଇଛି

ମେଘବର୍ଷାର ବେଣୀ !

 

 

ଏଠି ପାଣି ଶୁଖେ ପାଟବିଲ ପଟେ

ସେଠି ଶୋଷ ହୁଏ ସୁନାହରିଣଟେ

କେତେ ନିର୍ଜଳା ଉପବାସ ପାଳେ

ନିର୍ଜନ ନାଗଫେଣୀ !

 

ଜୀବନଯାପନ

 

। ୧।

ଯେଉଁଠି ଆମର ଅଂଧାର ଆଉ

ଆସେନାହିଁ ରାତି ଭଳି

ସେଇଠି ଆମର ଦିଗ୍‌ବଳୟରେ

ଦିନସବୁ ଯାଏ ଢଳି !

 

ଥାଏ ତାରାହଜା ତାରିଖ ତାପରେ

ମାସ ମସିହାର ମାମୁଲି ମାପରେ

ସିଉଁଥାଉ ଆମେ ସମୟ ନା ଯାଉ

ଛଦ୍ମବେଶରେ ଚଳି ?

 

। ୨।

ଯେଉଁଠି ଆମର ମହାଦୀପ ତଳେ

ଅଂଧାର ଉଠେ ଜଳି

ସେଇଠି ଆମର ଚଲାପଥ ହୁଏ

ଅରାଏ ଅଂଧଗଳି !

 

 

ପାଦଚିହ୍ନ ବି ପୋତିହୋଇପଡ଼େ

ତାରବଂଧା ଏ ତାଲୁକାର କଡ଼େ

ଜିଉଁଥାଉ ଆମେ ଜୀବନ ନା ଦେଉ

ଆତ୍ମାକୁ ଆହା ବଳି ?

 

ଦିନରାତି

 

। ୧।

ଜହ୍ନରାତିର ଯେଉଁ ଦିନ କେବେ

ଜନ୍ମ ନେବାର ନାହିଁ

ତମେ ବା କାହିଁକି ତପିର ତାର

ଜୁଇ ଜଳାଇବା ପାଇଁ ?

 

ଦୁଆର ବାହାରେ ଯେଉଁ ତିଥି/ବାର

ନୁହେଁ କେବେ ତମ ଅତିଥି ହେବାର

ଆଜିଠୁ କାହିଁକି ତଡ଼ିବାକୁ ତାକୁ

ଘର ଭାଂଗୁଛ ଯାଇ ?

 

। ୨।

ବର୍ଷାଦିନର ଯେଉଁ ରାତି କେବେ

ସଂଗ ଦେବାର ନାହିଁ

ତମେ ବା ତୋଳୁଛ ସ୍ୱପ୍ନରେ ତାର

ସମାଧିସୌଧ କାହିଁ ?

 

 

ଝର୍କା ବାହାରେ ଯେଉଁ ତରା ଥରେ

ଉଇଁବାର ନାହିଁ ତମ ଆକାଶରେ

ଆଜି କାହିଁକି ତା ଅସ୍ତ ଖୋଜୁଛ

ଅଂଧକାରକୁ ଚାହିଁ ?

 

ଚରିତ୍ର

 

। ୧।

ଯେ ଝିଅଟି ପାଇଁ ଜିଦ୍‌କୁ ବଢ଼ାଅ

ଜିରାଫ୍‌ର ବେକ ପରି

ସେ ଝିଅ ହେଇନି ଛିଡ଼ା ତମ ପାଇଁ

ଅଲିଭ୍‌ଡାଳଟେ ଧରି !

 

ଅନାଇଲେ ତମେ ଆଉଟିକେ ପରେ

ଟନ୍‌ଛନେଈ ସେ ଟାଉନ୍‌ବସ୍‌ରେ

ଟାଇଭିଡ଼ା କେଉଁ ଟମ୍‌ବୟ ସାଥେ

ଯିବ ଟା’ - ଟା’ କରି !

 

। ୨।

ଯେ ଝିଅକୁ ତମେ ସ୍ୱପ୍ନରେ ଦିନେ

ସଂଦେହ ନାହଁ କରି

ସେ ଝିଅ ତମକୁ ବିଶ୍ୱାସ କରେ

ଭଲପାଏ ବୁକୁଭରି !

 

 

ଜିଗର୍‌ ତା ଜମା ଯାଏ କି ଜଣେଇ ?

ଖାଲି ଟିକେ ଚାହେଁ କଣେଇକଣେଇ

କିଛି ମନେ ନାଇଁ ? କେବେ କଣ୍‌ ପାଇଁ

କହିଥିଲ ତାକୁ ‘ସରି’ !

 

ଅନ୍ୟନାୟିକା

 

। ୧।

ସେ କେଉଁ ବିଦେଶୀ ବିଜ୍ଞାପନୀର

ଦେଶୀୟ ସଂସ୍ମରଣ

ଅଥବା ଗ୍ରୀସୀୟ ମୂର୍ତିର ଏକ

ଏସୀୟ ସଂସ୍କରଣ !

 

ଆଳାପ/ଆସର - ଉଭୟରେ ଉଭା

ଅତିଥି କି ଏକ ଇତାଲୀୟ ଯୁବା ?

ସେ କେଉଁ ପ୍ରାଚୀନ ପାନୀୟର ପାନେ

ସ୍ଥାନୀୟ ସଂକ୍ରମଣ !

 

। ୨।

କେବେ ସିଏ କେଉଁ ଚୀନା ଚିତ୍ରୀର

ନମୁନା ନିର୍ଧାରଣ

ଆଉ କେବେ ତାର ଇରାଣୀ ଆଖିରେ

ନିରାଣୀ ନିଦ୍ରାପଣ !

 

 

ଜଳେ ସେ ଜାପାନୀ କ୍ୟାମେରାରେ ଅବା

ଜମେ ତାକୁ ନେଇ ଜୋର୍‌ ଜନସଭା

ଅଥଚ ଏଯାଏଁ ଅଜଣା ତାକୁ ତା

ଅସଲ ତୀର୍ଥାୟଣ !

 

ନିରୁତା ଗୋଟିଏ ନାରୀ

 

। ୧।

ଚିତ୍ରତୂଳୀର ଚୋରାଚେହେରାକୁ

ଚୁମନି ଚଂପାକଳି,

ଛବିଠୁ ବି ତମ ଛାଇର ଛାପଟା

କରେ ବେଶି କୁତୂହଳୀ !

 

ଛାଇରୁ ତମକୁ ନେଲାବେଳେ ଛାଣି

ମୁଁ ଜାଣିଚି ଆଉ ତମେ ଥିବ ଜାଣି

ନିରୁତା ଗୋଟିଏ ନାରୀର ନକ୍‌ସା

ନୁହେଁ ନକଲ୍‌ଟେ ଭଳି !

 

। ୨।

ଉଦାସ ପବନ ଧୂଳିରେ ଉଡ଼ାଏ

ଚହଲା ଚିତ୍ରାବଳୀ...

କଫିହାଉସ୍‌ର କାଚଝର୍କାରେ

କୋଇଲାଧୂଆଁର ମଳି !

 

 

ମନେନାହିଁ କିଛି ତମ ମୁହଁ ଛଡ଼ା

ହେ ମୋ ଖଇଫୁଟା ଖରାର ଖସଡ଼ା,

ଏଇ ହୃଦୟର ହକ୍‌ଦାର୍‌ ଆଉ

ଅଛି କେ ତମଠୁ ବଳି ?

 

ବାର୍ତାଳାପ

 

। ୧।

ଏତେ ବର୍ଷର ଏଇସବୁ ସ୍ୱର

ଶବ୍ଦ ବା ଯାହା ଆମ

ତା ଭିତରେ ନାହିଁ ଭୁଲି ନ ଥିବା ସେ

ଭୁଲ୍‌ ଠିକଣାର ନାମ !

 

ବାରବୁଲାଣିଆ ବାର୍ତାଳାପରେ

ସେଇ ନାମ ତମେ ନେଇନାହଁ ଥରେ

ଦଂଶିଛି ଯାର ବଂଶୀ ତମର

ଅନେକ ଅର୍ଧଯାମ !

 

। ୨।

ସ୍ୱପ୍ନର ସବୁ ସ୍ୱଗତ ସେପାରେ

ଶବ୍ଦର ସ୍ୱରଗ୍ରାମ

ଦେଖେ ଦକ୍ଷିଣ ଦୁଆରୀ ଏ ଦେହ

ହୃଦୟଟା ହାୟ ବାମ !

 

 

କେତେ ଛାଇ କେତେ ଛାଇକୁ ଛୁଏଁ ତ

ହୃଦୟର ନାହିଁ ହାଜିରା ହୁଏତ

ମୁଁ ଆକାଶ ତମେ ବତାସ କିଂତୁ

କଥା ହେଉ ଅବିରାମ !

 

ଅଧାଅଧୁରା

 

। ୧।

ଅଧା ରହେ ଏଠି ଅନେକ ସ୍ୱପ୍ନ

ରାତି ଯାଏ ସେଠି ପାହି

ଅଧୁରା ଗୋଟିଏ ଆଭାସଚିତ୍ର

ଆଂକେ ଆମର ଛାଇ !

 

ଆଶା ଆମ ଅଧା ରଂଗିନ୍‌ ସୁରା

ଇଚ୍ଛା ବି ଏକ ଇଲାକା ଅଧୁରା

ଅଧାକୁ ଅନାଏ ଅଧୁରା ଏଇନେ

ବାଟ ବାଂଟିବା ପାଇଁ !

 

। ୨।

ଅଧବାଟଯାଏଁ ଚଲା ତ ଆମର

ଅଂଧର ଛଳନା ହିଁ

ବାକି ଅଧକରେ ମୂକ ଓ ବଧିର

ହେବା ଛଡ଼ା ଚାରା କାହିଁ ?

 

 

ମନେପଡ଼ିବାର ମାୟାଦର୍ପଣ

ଅଦିନରେ କିଏ କରେ ଅର୍ପଣ ?

ଜିଦ୍‌ଖୋରୀ ଜଣେ ଜିପ୍‌ସୀ ଝିଅକୁ

ଜବାବ ତ ଜଣାନାହିଁ !

 

ବୃଥାରେ ବୟସ

 

। ୧।

ସରିବାର ନାହିଁ ସରଣୀ ସେ କେଉଁ

ସରହଦୀ ସୀମାନାରେ

ଅନେକ ସ୍ମୃତିର ଶରଣାର୍ଥୀ ମୁଁ

ସମୟର ସାମନାରେ !

 

ନିଶାଣଖୁଂଟ ନଥିଲେ ନଥାଉ

ବୟସକୁ ବାଟ ବତାଉ ବତାଉ

କି କୁହୁଳିନି ମୁଁ କେତେ ଯେ ରକ୍ତ-

କରବୀର କାମନାରେ !

 

। ୨।

ରଂଗର ରାତିଦିନ ମୁଁ ଦେଖିଛି

ଋତୁଋତୁ ରମାନାରେ

ଜଣେ ଜମା ନୁହଁ ଆଉଜଣକର

ଜରୁରୀ ଏ ଜମାନାରେ !

 

 

କହେ କି କାହାକୁ କେଇଟି ବର୍ଷ

ଅଂଗେନିଭା ସେ ଅନେକ ସ୍ପର୍ଶ ?

କଳା କରି କେଶ ବୃଥାରେ ବୟସ

କମାନାରେ କମାନାରେ !

 

ଅଂଗୁଳି : ତୂଳୀ

 

। ୧।

ବହୁଦିନୁ ଏଇ ବେହେଲା ଉପରେ

ବହୁତ ବହଳ ଧୂଳି

ବାଜିନି ଯେହେତୁ ବାଜିକର ସେଇ

ବାଦକର ଅଂଗୁଳି !

 

ପାପୁଲିରେ ତାକୁ ପୋଛିଦିଅ ଥରେ

ସୁର ନଥିଲେ ବି ଘେନିଯାଅ ଘରେ

ଶୁଣିବ କିଭଳି ଶୁଭୁଛି ଦୁଆରୁ

ଶଂଖ କି ହୁଳହୁଳି !

 

। ୨।

ଅନେକ ଦିନରୁ ଅଂଧୁଣୀପ୍ରାୟ

ଏକାକିନୀ - ଏ ପିତୁଳୀ

ଚକ୍ଷୁଦାନର ଦିବସ ଯେହେତୁ

ଯାଇଛି ଶିଳ୍ପୀ ଭୁଲି !

 

 

ଦୟା କରି ତାକୁ ଦିଅନି ଦୂରାଇ

ଦିଅ କଜ୍ଜ୍ୱଳ, ସିଂଦୂର ନାଇ

ଦେଖିବ କିଭଳି ଅଂଗୁଳିଟିଏ

ପାଲଟେ ରଂଗତୂଳୀ !

 

ଇଚ୍ଛାର ଇଦ୍‌

 

। ୧।

ଏଇନେ ଉଜାଲା ଅଂଧକାର ନା

ଅନେକ ତାରାର ତିଥି ?

ଚୁମୁଛି ଚେନାଏ ଚଂଦ୍ରକିରଣ

ଚଂଦନବନବୀଥି !

 

ସରିଥିବା ସରା ସାଉଁଟେ ସରାଇ

ସରାବୀ ସେ ସୁଧୁ ସର୍ବହରା ହିଁ

ପାନପାତ୍ରର ପରିଧି ପରଷେ

ଫେନପୁଂଜର ସ୍ଫୀତି !

 

। ୨।

ଆହା ସେ ଉଆଁସୀ ଉସମାନ୍‌ ତାରା

ଅଧା ଉଇଁବାର ଇତି

ଅନେକ ଅଛୁଆଁ ଇଚ୍ଛାର ଇଦ୍‌

ଉଯେଇଁଛି ଏଇମିତି !

 

 

ଆରବୀ ରାତ୍ରି ଆସିନି ଏଇଠି

କାକରକଣା ତ କାଂଦେ କେଇଟି

ବଣା ବାଟୋଇର ବୟାନ ବିନା ଏ

ବୟସ ନଯାଉ ବିତି !

 

ଫୁଲଦାନି ପାଇଁ ନୁହେଁ

 

। ୧।

ରକ୍ତଜବାର ରଂଗରେ ତମ

ସକାଳ ତ ନିଆଁ ପୁଏଁ

ଶିଉଳିଫୁଲର ପାଖୁଡ଼ା ପାଖରେ

ସଂଜ ସାଉଁଳିହୁଏ !

 

ରାତି ତମ ତୋଳେ ରଜନୀଗଂଧା

ବହଳ ବେଣୀରେ ବଉଳ ବଂଧା

ଗତଗୋଧୂଳିର ଘାସଫୁଲ ତମ

ପାଦଚିହ୍ନକୁ ଛୁଏଁ !

 

। ୨।

ଆଜି ବି ତମର ଆକାଶୀ ଆଖିରେ

ଦୁଇ ତରାଫୁଲ ଉଏଁ

ଅଥଚ ଆମର ଅଂଧକାରକୁ

ଅନାଇଛୁ ଆମେ ଦୁହେଁ !

 

 

ତମେ ପୋଡ଼ ସେଠି ପତ୍ର ଫଗୁଣେ

ମୁଁ ଏଠି ଅପୋଡ଼ା ଅକ୍ଷର ବୁଣେ

ଶବ୍ଦର କିଛି ଶଣଫୁଲ ଫୁଟେ -

ଫୁଲଦାନି ପାଇଁ ନୁହେଁ !

 

ବରଫର ଫୁଲ

 

। ୧।

ଦୁଃଖକୁ ଦିନେ ଦେଖିଛି ଯେଉଁଠି

ଦୂରପର୍ବତ ଡାକେ

ଆଉଦିନେ ତାକୁ ଦେଖିଲାବେଳେ ସେ

ହାଜର୍‌ ଝର୍କାପାଖେ !

 

ଦିନେ ଦିନେ ଦୂରୁ ଦୈବାତ୍‌ ଦେଖା

ଅନାଇଥାଏ ସେ ଅଇନାକୁ ଏକା

ସରୁ ସୁର୍ମାର ସରମୀ ସଂଜେ

ମରମୀ ମାର୍କା ମାଖେ !

 

। ୨।

ସେଦିନ ଦେଖିଚି ସୁଖର ସ୍ୱପ୍ନ

ଦୁଃଖର ଦୁଇ ଆଖେ

ଦୁଃଖର ଦେବୀ ଦର୍ଶନ ଦିଏ

ଧରା ନପଡ଼ିବାଯାକେ !

 

 

ସେ ଆସିନି ଆଉ । ମୁଁ ଅଛି ଏକଲା

କର୍ଜଦାର୍‌ ତା କିଏ ମତେ କଲା ?

ଦରଫୁଟା କେଉଁ ବରଫର ଫୁଲ

ବରଷେ ମୋ ବୈଶାଖେ !

 

ପାଉଁଶର ଫୁଲ

 

। ୧।

ସମୟ ସୀମିତ ସହରର ସବୁ

ସଦର ଦର୍ଜାଧାରେ

ପଉଷ ଫୁଟାଏ ପାଉଁଶର ଫୁଲ

ପତାର ପର୍ଦାପାରେ !

 

ଜଲ୍‌ସା ଜବାନୀ ଜଳାଇଅଛି ତା

ଚୋରାଚାହାଣିର ଚଂଦନଚିତା

ଉପାସୀ ଅନେକ ଉପଦର୍ଶକ

ଅଧୁନା ଅର୍ଧାହାରେ !

 

। ୨।

ହୁଏତ ହୃଦୟ ହଜିଛି ହଜାରେ

ହଂସୀର ହାହାକାରେ

ଆଉ ଅଶ୍ରୁର ଅଂଧକୂପକୁ

ଉଝାଳନା ଅଯଥାରେ !

 

 

ଶହେ ସୌଖୀନ୍‌ ଶୋକର ସାକ୍ଷୀ

ହାୟ ମୋ ହଜିଲାଦିନର ଆକ୍ଷି

କେତେ କଟାକ୍ଷ କବରଲିପି ତ

କୁଂଠିତ କଳାଗାରେ !

 

ଦୁଇମୁହୂର୍ତର ଏକ ବିଂଦୁ

 

। ୧।

ଏ ମଧୁଯାମିନୀ ମରାଳଗାମିନୀ,

ମେଲାଣି ନେଲାଣି ନେଉ

ଅଳ୍ପ ଆଉଟା ଅଂଧକାରର

ଆମେଦୁହେଁ ଦୁଇ ଢେଉ !

 

ଛୁଆଁଛୁଇଁ ହୁଏ ଛାଇଛାଇ ଛିଟା

କୁଆଁପତ୍ରରେ କାକର କିଛିଟା

ଭାସିଆସେ ଭିଜା ଘାସର ବାସ୍ନା

କଂଚାଦୂବର ଦେହୁ !

 

। ୨।

ଅଧା ଆଲୁଅର ଅଳତାରେ ଓଦା

ଇଲାକାଟେ ଇଏ କେଉଁ ?

ଆକାଶକୁ ଏଠି ଏକଇ ଅର୍ଧ-

ବୃତ୍ତ କରିଛି କେହୁ ?

 

 

ଆସ ତମକୁ ମୁଁ ଆଶ୍ଳେଷ କରେଁ

ନିଃସୀମତାର ନୀଳକେଂଦ୍ରରେ

ଦୁଇଟି ଢେଉର ଦୁଇ ମୁହୂର୍ତ

ଗୋଟିଏ ବିଂଦୁ ହେଉ !

 

ଦିପଦ : ବିପଦ

 

। ୧।

ଦିପଦରେ ଅଛି ବିପଦ ବହୁତ

ପଦେ ବି ନ କୁହ ବେଶି

ତିନିପଦକରେ ତର୍କ ତୟାରେ

ରାଗରୋଷ ରେସାରେସି !

 

ଚାରିପଦୁ ହେଲେ ଛଅପଦ ଆମେ

ଉଠିବ ପାଂଚ କଥା ଆମ ନାମେ

ସାତ କଥାରେ ବି ସତୀ ଟଳେ ବୋଲି

ଶୁଣିଥିବ - ହେ ସୁକେଶୀ !

 

। ୨।

କଟାକ୍ଷରେ କି କଟାଳ କରୁଚ

ଗାରେ କଜ୍ଜ୍ୱଳ ନେସି

କଥା ନ କହିଲେ - ‘କଥା କିଛି ନାଇଁ ?’

କହୁଚ କହୁଣି ଠେସି !

 

 

ଚୁପିଚୁପି କଥା କହନା କହନା

ମାପିଚୁପ କହ ! ହେ ମୀନନୟନା,

ପ୍ରେମରେ ତମେ ବି ପଡ଼ିଯାଇପାର

ପଦେ ମୁଁ କହିଲେ ବେଶି !

 

ଭାବ ବିନିମୟ

 

। ୧।

ଆଖିର ଆଳାପ : ବିଜୁଳିଛଟାରେ

ବର୍ଷାର ବ୍ୟାକରଣ

ଓଠରେ କରନା ଆଖିର କଥାକୁ

ଅନୁବାଦ ଅକାରଣ !

 

ବରଂ ନହେଲେ କର କାମ ଗୋଟେ

ଆଖି ମୁଦିଦେଇ ଦିମିନିଟ୍‌ ମୋଟେ

କ୍ୟାମେରାଆଡ଼କୁ କରିଦିଅ କର-

ପଦ୍ମକୁ ପ୍ରସାରଣ !

 

। ୨।

ଆଉଜିଆସ ମୋ ଆଇଭିଲତା ଗୋ,

ଅଳ୍ପ କେଇଟି କ୍ଷଣ

ଗଳ୍ପଟେ ଗଢୁ ଗୁଣୁଗୁଣୁ ଗୋଟେ

ଗୀତର ଗୁଂଜରଣ !

 

 

ଭଲ ନଲାଗିଲେ ଭାଷା ବିନିମୟ

ବୃଥାରେ ବାକ୍ୟ କରନାହିଁ ବ୍ୟୟ

ଦିଚାରିଟା ଚୁମା ଶବ୍ଦରେ ସରୁ

ବିଦାୟ-ସଂଭାଷଣ !

 

ବିବରଣୀ

 

। ୧।

ହାତରେ ମୋ ହାତ ଛଂଦି ଚାଲନା

ପାଦ ପରେ ପାଦ ଗଣି

ବହୁଥାଉ ବେନି ବଉଳ ବୁକୁରେ

ବେଣୀର ବୈତରଣୀ !

 

ଭୋଦୁଅର ଭୋର୍‌ ଭାଂଗିବାବେଳେ

ମିଳ ମତେ ମିଠା ମହକର ମେଳେ

ଉତ୍ତରୀ ତମ ଅଶିଣସଂଜେ

ହେଉ ଗୋ ଉତ୍ତରଣୀ !

 

। ୨।

ଅବାରିତ ଏଇ ଆବେଗ ଉପରେ

ଆବରନି ଆବରଣୀ

ବନପଥେ ହୁଅ ବାତ୍ୟାୟନୀ ଗୋ

ଜନପଥେ ଜାଗରଣୀ !

 

 

କାଲିସକାଳର କଫି କପ୍‌ରେ ବି

ଝଡ଼ ଉଠୁ । ଆସ, ବର୍ଷା ପରେ ବି

ଭରୁ ବଷୁର୍କୀ ଭଲପାଇବାରେ

ବନ୍ୟାର ବିବରଣୀ !

 

ଦୁଃଖସୁଖ

 

। ୧।

ଦୁଃଖ ଓ ସୁଖ ପ୍ରତିଜନ୍ମର

ପ୍ରିୟତମ ପ୍ରତିବେଶୀ

ସେଥିପାଇଁ ବୋଧେ ଦୁଃଖ ଦେବାରେ

ସୁଖ ତମ ଅତି ବେଶି !

 

କିଂତୁ କାହିଁକି ଦୁଃଖ ପାଅ ଗୋ -

ମୁଁ ଯଦି ଜଣାଏ : ‘ସୁଖରେ ଥାଅ ଗୋ’ ?

ଦୁଃଖସୁଖର ଦୁର୍ଘଟଣାରେ

ସୁଖର କି ଗତି ବେଶି !

 

। ୨।

ସୁଖଶଯ୍ୟାରେ ଦୁଃଖ କି କେଉଁ

କୁମାରୀ କୃଷ୍ଣକେଶୀ

ଦୀପଶିଖାଠୁ ତା ଦିଧାର ଅଶ୍ରୁ

ଅଥଚ ଉଷ୍ଣ ବେଶି !

 

 

ସତ କଥା ପଦେ କହିଦିଅ ଥରେ :

ଏତେ ସୁଖ ତମେ ଚାହନି ସତରେ ?

ଦୁଃଖର ମୁଖ ଚୁମିବାରେ ସୁଖ

ତଥାପି ତୃଷ୍ଣ ବେଶି !

 

ଅକଥିତ

 

। ୧।

ହଜାରେ କବିତା ହଜାଇଦେଇଚି

ସଂବୋଧନର ସ୍ୱର

ଦିହଜାର ଗୀତ ଗଢ଼ିପାରିନି ତ

ଦୁଆର ବାହାରେ ଘର !

 

ମଝିରାସ୍ତାରୁ ମେଲାଣିଟେ ନେଇ

ଚାଲୁଥାଉ ଆମେ ଚୋରାବାଲିରେହିଁ

ସୁରସବୁ ହୁଏ ସୁନାର ହରିଣୀ

ଶବ୍ଦସବୁ ତ ଶର !

 

। ୨।

ହଜାରେ କବିତା ଜଳିଚି ରାତିର

ପ୍ରଦୀପରେ ପ୍ରତିଥର

ଦିହଜାର ଗୀତ ଦେଇପାରିନି ତ

ଦିନକୁ ତା ଦିପହର !

 

 

ମୁହଁସଂଜର ମିଛକାଂଦ ବି

ପତା ପଖାଳୁଚି ପ୍ରିୟବାଂଧବୀ,

କଥାପଦେ କାହିଁ କୁହାଯାଉନାଇଁ

ହୃଦୟକୁ ହୃଦୟର !

 

ତମେହିଁ ତମେହିଁ ତମେ

 

। ୧।

ଦୁଇଟି ଆଖିର ଗୋଟିଏ ନିଦ ମୁଁ

ପତାର ପାତାଳେ ଜମେ

ଦୁଇଟି ଟୋପାର ଗୋଟିଏ ଲୁହ ତ

ତମେହିଁ ତମେହିଁ ତମେ !

 

ମୋ ନିଦରେ ତମେ ସ୍ୱପ୍ନରେ ଆସ

ନଥାଏ ଦୁଆରୀ, ନଥାଏ କେ ଦାସ

ଶୁଖିଯାଏ ତମ ଲୁହ ମୋ ନିଦକୁ

ଭିଜାଇଥିବାର ଭ୍ରମେ !

 

। ୨।

ଦୁଇଟି ଓଠର ଗୋଟିଏ ‘ଓଁ’ ମୁଁ

ଉଦାସୀନ ଆଶ୍ରମେ

ଦୁଇଟି ହାତର ଗୋଟିଏ ହାର ତ

ତମେହିଁ ତମେହିଁ ତମେ !

 

 

ଆସି ଫେରିଯାଅ ଫୁଲଗୋଟେ ରଖି

ନଥାଏ ସାକ୍ଷୀ, ନଥାଏ କେ ସଖୀ

ଦୂରରୁ ମୁଁ ଦେଖେ ଦେବୀରୂପ ତମ

ପଥର ପାଲଟେ କ୍ରମେ !

 

ଚାହେ ମୁଁ

 

। ୧।

ଉଆଁସ ଉହାଡ଼ୁ ଉଷୁମ୍‌ ଉକିଆ

ଉଇଁ ନଆସିବାଯାଏଁ

ଚାରି ଚିରାଗର ଚୋରାଚଉଠିରେ

ଚାହେ ମୁଁ ତମକୁ ଚାହେ !

 

ଚାହେ ମୁଁ ତମକୁ ଚିତ୍ରପଟରେ

ତୀର୍ଥନଦୀର ତଟରେ ତଟରେ

ଦୁଇ ଶୃଂଗର ଦୁଃଖ ଯେଉଁଠି

ଦିଗ ଦର୍ଶାଉଥାଏ !

 

। ୨।

ନରମ ତମର ନିଃଶ୍ୱାସ ଆସି

ପବନକୁ ପଖଳାଏ

ଦୀର୍ଘକେଶର କୁହୁଡ଼ି ପାଲଟେ

ଛାୟାପଥ ଛାଏଁ ଛାଏଁ !

 

 

ଅନାଏ ତମକୁ ଏଇ ଅଦିନରେ

ଅଂଧରାତିର ଅମା ଅଧୀନରେ

ହଜାଇ ନିଜକୁ ପାଇବାକୁ ଫେର୍‌

ଚାହେ ମୁଁ ତମକୁ ଚାହେ !

 

ଆଜି ରାତିସାରା

 

। ୧।

ଆଜି ରାତିସାରା ତମ ତୁଲେ ତାରା,

କଥା ହେବି ନିଶ୍ଚୟ

ନିରୀହ ଗୋଟିଏ ନିରୁପାୟତା ହିଁ

କି ନିଠୁର, ନିରିଦୟ !

 

ଅମାନିଆ ଏଇ ଆଖି ତ ଅବୁଜା

ଅଂଧାର ଲାଗେ ଅବୁଝା ଅବୁଝା

ପଡ଼ୁ ନ ଥିବା ଏ ପଲକରେ ନାଇଁ

ନିଦ ନ ଭାଜିବା ଭୟ !

 

। ୨।

ଯାହା ଇଚ୍ଛା ତା କହିବି ତମକୁ

ଯେତେ ପଛେ ଯାହା କହ

ନହେଲେ ନାଇଁ ମୋ ନୀଳସ୍ୱପ୍ନର

ଆରପଟେ ଆହା ରହ !

 

 

ମୁଁ ଏଠି ଜଳୁଛି । ତମେ ସେଠି ଜଳ

ଅଥଚ କେଉଁଠି କାହିଁ ବା ଅନଳ ?

ଆଜି ରାତିସାରା ତମ ଛଡ଼ା ତାରା,

କଥା ହେବି କାହା ସହ ?

 

ଛାଇଆଲୁଅରେ

 

। ୧।

ସବୁରି ବ୍ୟଥାରେ ବୋଳିଦିଅ କିଛି

ସ୍ୱପ୍ନର ସବୁଜିମା...

ଏଠି ସବୁ ରେଖା ଏକା ଆଉ ଏକା

ଶୂନ୍ୟ ହିଁ ସବୁ ସୀମା !

 

କିଛିଗୋଟେ ପାଇଁ କଷ୍ଟ ପାଉ କି ?

ଦୁଃଖ ପାଇଚୁ ... ଦେଇ ବି ନାହୁଁ କି ?

ଅଥଚ ଅନେକ ଆଶା ଆଣେ ଏଠି

ଆଜି ବି ଆରକ୍ତିମା !

 

। ୨।

ପ୍ରିୟ ନର୍ତକୀ ପାସୋରିନି ପାଦ-

ପ୍ରଦୀପର ପରିସୀମା

ହେ ଦରଦୀ ମୋର ହୃଦୟ, ତମକୁ

ଦେଇଯିବି କାହାଜିମା ?

 

 

ଛାଇଆଲୁଅରେ ଛିଡ଼ାହୁଅ ତମେ

ଶେଷସ୍ପଂଦନ ଶୁଣିବି ପ୍ରଥମେ

କହିବିନି କେଉଁ ନାଗାସାକି ଆଗେ

ହଜିଛି ମୋ ହିରୋସିମା !

 

ତରବାରି

 

। ୧।

ହେ ମୋର ତୁମୂଳ ତରବାରି ତମେ

ଆମୂଳଚୂଳ ହିଁ ସତ

ତମରି ମୁନେ ମୋ ମୃତ୍ୟୁ ଖୋଦେ ତା

ଜନ୍ମର ତାରିଖ ତ !

 

ତମ ବିନା ଯଦି ତିଳେ ମୁଁ ମରୁନି

ତୋଳିନିଏଁ, ଆସ - ତମକୁ ତରୁଣୀ,

ଏ ହାତମୁଠାରେ ହାଜିରା ତମର

ପଡ଼ୁ ଶତ ପ୍ରତିଶତ !

 

। ୨।

ହୁଅନା ତୁଫାନୀ ତରବାରି ତମେ

ଆଉ କା ହସ୍ତଗତ

ରମଣୀୟ ଶେଷରାତ୍ରିରେ ମୋର

କ୍ଷମଣୀୟ ତମ କ୍ଷତ !

 

 

ସେଇ ମୋ ସୁଖଦ ଶୋକଦିବସରେ

ପଠିତ ଇଚ୍ଛାପତ୍ର ଶେଷରେ -

ଥାଉ, ଦିଶୁଥାଉ - ତମ ଦାଉଦାଉ

ଦାରୁଣ ଦସ୍ତଖତ !

 

ବିଦାୟ ଦେବାର ଦିନ

 

। ୧।

ହେ ଫୁଲ ତମର ପତ୍ତା ପଚାରେ

ପାଦପ ମୁଁ ପରାଧୀନ

ତମରି ନାମରେ ନାମିତ ନ ହେଲେ

ମୁଁ ଯେ ପରିଚୟହୀନ !

 

ସରୁ ନ ସରୁଣୁ ସ୍ୱପ୍ନ ଟିକିଏ

ଆସି ତୋଳିନିଏ ତମକୁ ବା କିଏ ?

ଅନହୁତି ତମ ଅନୁପସ୍ଥିତି

ଆହା କି ଅସମୀଚୀନ !

 

। ୨।

ଲୟବିଲୟର ଲଗ୍ନସବୁ ତ

ଲୋଧ୍ରରେଣୁରେ ଲୀନ

ଏଇ ବନଭାଗେ ତମ ବିନା ଲାଗେ

ଏତେ ବେଶୀ ଉଦାସୀନ !

 

 

ଏବେ ଏକବାରେ ଏଠି ମୁଁ ଏକାକୀ

ପାଂଡୁର ପଡ଼େ ପତ୍ରଲେଖା କି ?

ବିଦାୟ ନେବାର ରାତିଠୁ ଦୁଃଖୀ

ବିଦାୟ ଦେବାର ଦିନ !

 

ଗଳିରାସ୍ତା

 

। ୧।

ଏଇଠି ଗୋଟିଏ ରାସ୍ତାମୋଡ଼ରେ

ସେଇଠି ଗୋଟିଏ ଗଳି

ରାସ୍ତାର ବତି ଗଣେନା ଗଳିର

ଦୀପ କେତେ ଉଠେ ଜଳି !

 

ଦୀପର ସଂଜ... ବତିର ରାତ୍ରି

ଜାଣେନା ଜାଣେନା ଜଣେ ବି ଯାତ୍ରୀ

ଆରୋହେ ମୁଁ ଅବା ଅଂଧକାରର

ଆଉ ଏକ ଆରାବଳୀ !

 

। ୨।

ସେ ଗଳିରୁ ଆସି ଏଇ ରାସ୍ତାକୁ

ଅନା କି ଅନାରକଳି ?

ମ୍ୟାଟିନୀମାର୍କା ମୁଲାୟମ୍‌ ମୁହଁ

ଦେଖିନି ତମରି ଭଳି !

 

 

ଦେଖା ହେଲେ ଆଉ ମାତ୍ର ଦିଥର

ହେବାନି ହୁଏତ ଦିଜଣ ନିଥର

ଗଳିରାସ୍ତାରୁ ଗଡ଼ିଗଲେ ଗୋଟେ

ସହଜ ସହରତଳି !

 

କୂଳକିନାରା

 

। ୧।

କୂଳ କହେ କିଛି କୁଳୁକୁଳୁ କଥା

କିନାରା କାଂଦେ କାହିଁ

ମଝିନଈପାଣି ମଥା ପିଟିଲାଣି

ପଥରବଂଧେ ଯାଇ !

 

ଡହଳବିକଳ ଢେଉ ପରେ ଢେଉ

ଭୋର୍‌ବତାସର ବୟାନରେ କେଉଁ

ବାହୁଡ଼ି ନ ଥିବା ବନପକ୍ଷୀର

ବାଟବଣା ବାହୁନା ହିଁ !

 

। ୨।

କୋଶକୋଶ କୋହ କହୁନି କାହାକୁ

ଲୁହଟୋପେ ହେବା ପାଇଁ

ଅଗଣ ଉଦାସ ଉପତ୍ୟକାରେ

ଅଣଲେଉଟାଣି ଛାଇ !

 

 

ମାନୁନି ମାତ୍ର ମରୁମେଘମାଳା

ଜଳକଣାହୀନ ଜର୍ଜର ଜ୍ୱାଳା

ଥରଟେ ବି ଥଳ - କୂଳ କି କିନାରା

ଛାଡ଼ିବାକୁ ଚାହୁନାହିଁ !

 

ନିଦବାଉଳାର ନଦୀ

 

। ୧।

ଚାପିଚାପି ଚାଲ, ଚାରିପଟେ ତମ

ଚମେଲିର ଚୌହଦୀ

ଛାପିଛାପି ଛାଇ ଛାଡ଼ିଛାଡ଼ିଯାଏ

ଚିରାଚିରା ଚୌପଦୀ !

 

ଚାରିପହରର ଚୋରାଚଉତିଶା

ମାରିଦେଇଯାଏ ମହୁମହୁନିଶା

ଦୂରୁ ଦୋହରାଏ ଦୁରୂହ ଦିନର

ଦିନଲିପି ଦ୍ରୌପଦୀ !

 

ଝିପିଝିପି ଝଡ଼ିବର୍ଷାରେ ତମେ

ଝୁରିମରୁଥିବ ଯଦି

ଲୁଚାଇବ ନାଇଁ ଲୁହବୁଂଦାକୁ

ଲାଲ୍‌ଗୋଲାପଟେ ଲଦି !

 

 

ମେଜାଜୀ ମେଘର ମୈଫିଲ୍‌ ମୋଡ଼େ

ଲବେ ମାତ୍ର ମୁଁ ଲଘୁଚାପ ଲୋଡ଼େ

ନିରୋଳା ମୋ ସବୁ ସ୍ୱପ୍ନରେ ତମେ

ନିଦବାଉଳାର ନଦୀ !

 

ମୂକ ଉବାଚ

 

। ୧।

ରାତି ଦିଏ ତିନି ପହର ତମକୁ

ଦିନ ଦିଏ ଦିପହର

ତମେ ଦେଇଯାଅ ମାୟାସଂଜର

ଚିତ୍ରମୟୂରୀ ପର !

 

ଏଡ଼ିଗଲା ବେଳେ ଆଗର ଉଠାଣି

ଲାଗ ଛାଏଁ ଗୋଟେ ଛାଇଲେଉଟାଣି

ବାଟବୁଲାଣିରେ ବସା ନା ତମର

ଘାଟଘୂରାଣିରେ ଘର ?

 

ତମକୁ ନ ପାଇ କୋଜାଗର କାହିଁ

ଉଆଁସରେ ଉଜାଗର

ଉଜାଣିନଈର ଅତଡ଼ା ଉପରେ

ଉଦାସ କାହାକୁ କର !

 

 

ହୁଲି ନୁହଁ ତମେ ନହୁଲି ନାହା କି

ହଜାଅ ହାତରୁ ଆହୁଲା ଆହା କି

ଯୌବନ ଯଦି ତମପାଇଁ ଯୋଗୀ

ଜୀବନଟା ଯାଯାବର !

 

ପାଦଚିହ୍ନ

 

। ୧।

ଲୁହ ଓ ଲହୁର ଲୁଣାନଈପାଖ

ଲେଭଲ୍‌କ୍ରସିଂକଡ଼େ

ଶୁନ୍‌ଶାନ୍‌ ସେଇ ସାନକିଆରିରେ

ଶୀତରାତି ଶୋଇପଡ଼େ !

 

ଚାଲୁ ଚର୍ଚାର ଚାଲୁଛି ଚାଲାଣ

ଜଳେ ଜାଫ୍ରାନୀ ଜହ୍ନଟା ଜାଣ

ଗୁମ୍‌ସୁମ୍‌ ମନଗହନରେ ଗିରି-

ଦୁର୍ଗ ମୁଁ ଗୋଟେ ଗଢେଁ !

 

। ୨।

ବୟସୀ ବନର ବତାସୀ ବନ୍ୟା

ବେନାମୀ ପତ୍ର ପଢ଼େ

କାମଳ କାମନା କୁଦିବୁଲେ କେତେ

କେଳିକୁସୁମର କଢ଼େ !

 

 

ଅପରାହ୍‌ଣର ଅପରାଜିତା ଗୋ

ଆଉ ନୁହଁ ତମେ ଅପରିଚିତା ମୋ

ପାଇଛି ତମର ପାଦଚିହ୍ନ ମୁଁ

ଝରାପାଖୁଡ଼ାର ଝଡ଼େ !

 

ପୃଷ୍ଠବଂଧ

***

କବିତା ଏକପ୍ରକାର ଅନୁପ୍ରବେଶ ।

କେଉଁଠି ବି ସଜାହୋଇ ରହିନଥାଏ ତା ପାଇଁ କୌଣସି ନିର୍ଦିଷ୍ଟ ତୋରଣଦ୍ୱାର । ସେ ଯଦି ଆସିବାର ଥାଏ କେବେ, ତା’ହେଲେ ଆସିଥାଏ ବିନା ଖବରରେ - ନିଜର ନାନାପ୍ରକାର ନିଭୃତପଥରେ ।

 

ବିଂଦୁ ଆକାରରେ ହିଁ ଆସୁଥାଏ ଆଭାସଟିଏ ପ୍ରଥମେ - ପରିଣତିକାମୀ ଭାବକଳ୍ପର ଯାହା ଏକପ୍ରକାର ଦୈର୍ଘ୍ୟପ୍ରସ୍ଥହୀନ ଅସ୍ତିତ୍ୱ । ଗହନସ୍ତରର ଗଭୀରତାରୁ ଉଠି ଇଚ୍ଛଣୀୟ ଉଚ୍ଚତାକୁ ଛୁଇଁବାକୁ ଯାଉଯାଉ କ୍ରମେକ୍ରମେ ଏହା ଧାରଣ କରୁଥାଏ ନିଜର ଏକ ସଂପ୍ରସାରଣଶୀଳ ସୂକ୍ଷ୍ମସତ୍ତା-। ଏହି ସୂକ୍ଷ୍ମସତ୍ତା ଲୋଡ଼ୁଥାଏ କାୟାପ୍ରବେଶ ପାଇଁ ସମୁଚିତ ମାଧ୍ୟମ । ତାହା ବ୍ୟକ୍ତୀଭୂତ ଏକ ବ୍ୟବସ୍ଥିତ ବ୍ୟଂଜନାକ୍ରମ ।

 

ପଂଚେଂଦ୍ରିୟରୁ ଷଷ୍ଠେଂଦ୍ରିୟବ୍ୟାପୀ ଏକ ଅଂତଃସ୍ଫୁରିତ ଉପଲବ୍‌ଧିର ଉତ୍ତରଣ ଏବଂ ବୈକେଂଦ୍ରିକ ଭାବାନୁଷଂଗରୁ ଐକକେଂଦ୍ରିକ ଏକ ଅଂତର୍ମୁଖୀ ଅବବୋଧର ଅବତରଣ - ଏକକାଳୀନ ଅନୁଭୂତ ଏ ଦୁର୍ନିବାର ଦ୍ୱିବିଧତା - କାବ୍ୟବୋଧର ପୂର୍ବପର୍ଯାୟଭୁକ୍ତ ଭ୍ରୂଣାୟମାନ ଭାବବୋଧ ।

 

ସୁନିର୍ବାଚିତ ବିଷୟବସ୍ତୁସବୁକୁ ବହୁପ୍ରଚାରିତ ପ୍ରଶିକ୍ଷଣବିଧିସମର୍ଥିତ ଶାସ୍ତ୍ରାନୁସାରୀ ଶବ୍ଦରୂପରେ ସଜାଇଦେଲେ ଯେ କବିତା ଆସି ହାତମୁଠାରେ ହାଜର୍‌ ହେବାକୁ ବାଧ୍ୟ - ଏପରି ଭାବିପାରଂତି କେବଳ ପୋଥିବାଇଗଣୀ କିଛି କାବ୍ୟତତ୍ତ୍ୱଜ୍ଞ କସରତ୍‌କାରୀ । ନହେଲେ ସତ୍‌କବି ପାଇଁ କବିତା ଶେଷପର୍ଯଂତ କେଉଁ ଅମୂର୍ତ ପ୍ରତିମା ଉଦ୍ଦେଶ୍ୟରେ ହିଁ ଅଂତରହିତ ମଂତ୍ରୋଚ୍ଚାରଣ । ସେଇ ମଂତ୍ରର ସ୍ୱର ଓ ଧ୍ୱନିରେ କବିତା ଅବତରିଆସିଥାଏ ଅବସ୍ଥାଂତରକୁ ଏବଂ ପରିଶେଷରେ ପାଲଟିଯାଇଥାଏ ଶବ୍ଦର ସୁରଧୁନୀ । ସେଥିପାଇଁ କଥନୀୟ କାବ୍ୟବକ୍ତବ୍ୟଟି ସନ୍ନିବଦ୍ଧ ଶବ୍ଦରେ ମୂର୍ତ ହେବା ଆଗରୁ କବିକୁ ତା ନିଜ ଭିତରେ ଶୁଭୁଥାଏ ସଂଚରଣଶୀଳ ସ୍ୱରଟିଏ । ଏଇ ସ୍ୱରର ଉତ୍ସ କାହିଁ କେତେ କଂପନଶୀଳ ଅଂତଃସ୍ତରର ଅନୁସ୍ପଂଦନ - ଉଚ୍ଚାରଣୋଦ୍ୟତ ମୁହୂର୍ତର ଯାହା ଏକ ଅବ୍ୟବହିତ-ପୂର୍ବ ‘ଅ-ବାକ୍‌’ ଅଂତର୍ଧ୍ୱନି - ଏବଂ ଅନ୍ୟପ୍ରକାରେ କହିଲେ ଯାହା ହେଉଛି ଅନୁପଗତ କବିତାର ଅନୁପ୍ରେରଣାତ୍ମକ ଓଁ ।

କବିତାର ଭୂଃ : ଭାଷା । ଭୁବଃ : ବ୍ୟଂଜନା । ସ୍ୱଃ : ଭାବାଭାସ ।

 

ବ୍ୟକ୍ତୀଭବନ - ଦ୍ରବୀକରଣ - ବାଷ୍ପୀଭବନ ।

ସ୍ୱନିର୍ବାଚିତ ଶବ୍ଦପୁଂଜ ଆଶ୍ରୟରେ କବିତାକୁ ଅତିକ୍ରମ କରିବାକୁ ପଡ଼ିଥାଏ ଏହି ତିନୋଟି ଅଂତଃପ୍ରକ୍ରିୟାତ୍ମକ ଅନୁକ୍ରମ । ବିଶେଷ ବ୍ୟଂଜନାରେ ବ୍ୟକ୍ତୀଭୂତ ହୋଇ ବିବିଧ ରସରେ ଦ୍ରବୀଭୂତ ଓ ବିଭିନ୍ନ ଧ୍ୱନିରେ ବାଷ୍ପୀଭୂତ ନ ହୋଇପାରିଲେ କବିତାର ଶବ୍ଦସବୁ ରହସ୍ୟରହିତ ରୂପାଂକନ ମାତ୍ର - କେବଳ କଂକାଳ - ନିଷ୍ପ୍ରାଣ, ନିସ୍ପଂଦ, ନିଃଶ୍ୱାସପ୍ରଶ୍ୱାସହୀନ ବିକ୍ଷିପ୍ତ ବର୍ଣନାମାଳାର ବିସର୍ଜିତ ବିସ୍ତାରଣ - ସମାହିତ ସର୍ଜନଶୀଳତାର ଯାହା କେଭେଁହେଲେ ସାମାନ୍ୟକଥନ ସୁଦ୍ଧା ନୁହେଁ ଆଦୌ-

 

ଭାବାଭାସର ବୀଜରୋପଣ ପାଇଁ ବିଶେଷ ବ୍ୟଂଜନାଶ୍ରିତ ଯେଉଁ ଅନୁକୂଳ ଆଧାରଭୂମିଟିଏ ଦରକାର, ନିଶ୍ଚିତ ଭାବରେ ତାହା ଭାଷା । କିଂତୁ କବିତାର ଭାଷା । କବିତା ତାର ଭାଷା ଖୋଜୁଥାଏ - ଆଖି ଯେମିତି ଖୋଜେ ଦୃଶ୍ୟ, କାନ ଯେମିତି ଖୋଜେ ସ୍ୱର, ନାକ ଯେମିତି ଖୋଜେ ସୁଗଂଧ, ଜିଭ ଯେମିତି ଖୋଜେ ସ୍ୱାଦ, ଚମ ଯେମିତି ଖୋଜେ ସ୍ପର୍ଶ । ଏଇସବୁ ଖୋଜିବାରେ ମଜ୍ଜି ନ ଗଲେ କବିତାର ଭାଷା ନିଜର ଆତ୍ମନିଷ୍ଠ ଚେତନାଟିକୁ ପାଇପାରିବ କିପରି-? ଜଡ଼ଭାଷା ତ କବିତାକୁ କରିଦେଇପାରେ ଗତ୍ୟଂତରହୀନ ଗଦ୍ୟ - ଯେତେ ଉକ୍ତି, ଯୁକ୍ତି, ତର୍କ, ତତ୍ତ୍ୱ, ତଥ୍ୟ, ଜ୍ଞାନ, ଦର୍ଶନ, କର୍ଷଣ ତଥା ସାଧନ, ସାମର୍ଥ୍ୟର ସମର୍ଥନ ମିଳୁଥାଉ ପଛେ ।

 

ପ୍ରତ୍ୟେକ କବି ନିଜ ନିଜ ଅଲିଖିତ କାବ୍ୟତତ୍ତ୍ୱର ଅନୁଭବୀ ଅନୁଗାମୀ । ନିଜ ନିଜ ନିୟାମକ ନୟନପଥଗାମୀ ଜଣେଜଣେ ନିବିଷ୍ଟ ନିସର୍ଗବିତ୍‌ ସେମାନେ । ଅଶ୍ୱଘୋଷଂକ ପରି କାଳିଦାସ ଲେଖିବେ ନାହିଁ କି କାଳିଦାସଂକ ପରି ଭବଭୂତି ଲେଖିବେ ନାହିଁ - ମାଘ ଯେପରି ଲେଖିବସିବେ ଭର୍ତୃହରି ସେପରି ଲେଖିଯିବେ ନାହିଁ - ପୁଣି ଏ ସମସ୍ତଂକ ମଧ୍ୟରୁ ବାଣଭଟ୍ଟ ବି ଲେଖିବାକୁ ପସଂଦ କରିବେ ନାହିଁ କାହାରି ଭଳି କଦାଚିତ୍‌ । ପ୍ରତ୍ୟେକଂକ ପଥ ପୃଥକ୍‌ । ପ୍ରାଚୀନ ଭାରତର ପ୍ରତ୍ୟେକ ପ୍ରସିଦ୍ଧ କବି ସେଥିପାଇଁ ଜଣେଜଣେ ମୃତ୍ୟୁହୀନ ମହାକବି । ନିଜ ନିଜ ନିଦର୍ଶିତ ଶୈଳୀର ଏକ ଏକ ଉତ୍ତୁଂଗବ୍ୟକ୍ତିତ୍ୱ ସେମାନେ । ସେମାନଂକ ଶୈଳୀ ସେମାନଂକର ସ୍ୱାଭାବିକ ସ୍ୱାଭିମାନରେ ହିଁ ସ୍ୱାକ୍ଷରିତ । ‘ବାକ୍ୟ ରସାତ୍ମକଂ କାବ୍ୟଂ’ - କେବଳ ଏଇ ନିର୍ଧାରିତ ସଂଜ୍ଞାର ସୀମାଂତରେ ଅଟକିନଯାଇ, ଆହୁରି ଅନେକ ପାଦ ଆଗକୁ ଯାଇ କବିତାର ଭାଷା ଖୋଜୁଖୋଜୁ ସେମାନେ ପାଇପାରିଛଂତି ଏ ପ୍ରକାର ନିଜସ୍ୱ ନାଂଦନିକ ନାକ୍ଷତ୍ରିକତା ।

 

କୃତି ଯେଉଁଠି କହିଦେଉଥାଏ ଆକୃତିର କଥା - ନାଆଁ ଲିଭାଇଦେଲେ ବି ଖୋଦ୍‌ କବିତା ଯେଉଁଠି ଚିହ୍ନାଇଦେଉଥାଏ କବିକୁ, ସେଇଠି ହିଁ ଶୈଳୀ ।

 

ଏବେ କିଂତୁ ଶୈଳୀର ସ୍ୱରୂପ ଶୈବାଳାଚ୍ଛନ୍ନ । ଅଭିବ୍ୟକ୍ତି ବ୍ୟକ୍ତିତ୍ୱବିହୀନ । ଏବେ ଭଂଗୀର ଭ୍ରମପ୍ରମାଦରେ କାବ୍ୟଶୈଳୀ କ୍ଳୁପ୍ତ । ଏବେ ରୀତିର ରଜ୍ଜୁବଂଧନରେ କବିତାର ଭାଷା ରୁଦ୍ଧଶ୍ୱାସ । ପ୍ରାଚୀନମାନଂକ ପରି ନୂତନମାନେ ତଥା ପୂର୍ବବର୍ତୀମାନଂକ ଭଳି ପରବର୍ତୀମାନେ ନ ଲେଖଂତୁ - ନ ଲେଖିବା ବାଂଛନୀୟ ମଧ୍ୟ ସର୍ବାଦୌ - କିଂତୁ ନବନିର୍ମାଣର ଅନୁଶାସନପର୍ବରେ ପଂଚାନବେଜଣ ପଂଚାନବେଜଣଂକ ପରି ନ ଲେଖି ଜଣେ ଲେଖୁଥିଲା ଭଳି ଲେଖିବେ କାହିଁକି ? ଗୌଣଧର୍ମଧ୍ୱଜୀ ଗଦ୍ୟାନୁଗତ୍ୟର ଏ ଗରିଷ୍ଠସଂଖ୍ୟକ ଗଣତଂତ୍ରରେ ସମକାଳର କବିତା ତାର ସ୍ୱକୀୟ ସ୍ୱତଂତ୍ର ଭାଷା ଖୋଜିବାର ପତିଆରାଟିକୁ ଏପରି ଆତଂକସୂଚକ ହାରରେ ହରାଇବସୁଛି କିପରି ?

 

କବିତାର ଶବ୍ଦପୁଂଜ ସବିଶେଷ ସଂକେତ-ସଂଚାରୀ ।

ଶବ୍ଦର ସରଳରୈଖିକ ଗତିକ୍ରମରେ ବାଂକ ବୁଲି କବିତା ଯେଉଁସବୁ ବିରଳ ବ୍ୟତିକ୍ରମର ସଂଗତିରେ ଉପନୀତ ହୋଇଥାଏ, ତାହା ଭିନ୍ନ ଭିନ୍ନ ଭାବାଭାସର ଏକ ବକ୍ରରୈଖିକ ଦିଗ୍‌ବଳୟ । ଏ ଦିଗ୍‌ବଳୟ ଆରପଟେ କଣ ଅଛି, କଣ ନାହିଁ - ତା ଅପେକ୍ଷା ବରଂ ଅଧିକ ତାପିର୍ଯପୂର୍ଣ ହେଉଛି ଆମ ନିକଟତମ ନକ୍ଷତ୍ରପୁଂଜର ଆକାଶଆଡ଼କୁ ମୁହାଁଇଆସୁଥିବା ସେଇ କ୍ୱଚିତ୍‌ କପୋତଚଂଚୁର ଚେନାଏ ଅଲ୍ୟଳ ଅଲିଭ୍‌ପତ୍ର - ଯାହା ସୂଚାଇଦେଉଥାଏ ମହାପ୍ରଳୟୋତ୍ତର ସର୍ଜନାର ସଦ୍ୟତମ ସବୁଜସଂକେତ ।

ସଂଭବତଃ, ସେଇ ପ୍ରାଗୈତିହାସିକ ପ୍ରଜାତିର କପୋତଶ୍ରେଣୀୟ ସୂକ୍ଷ୍ମସଂକେତବାହୀ ସୁଭାଷିତ ଶବ୍ଦପକ୍ଷୀଟିଏ : କବିତା ।

 

***

‘କାଲିର କବିତା’ - ମୋ ହଜିଯାଇଥିବା ହରପ୍‌ପାର ହଲପ୍‌ନାମା, ମହଳିସାରିଥିବା ମହେଂଜୋଦାରୋର ମୁସାବିଦା । ୧୯୬୮ରୁ ୧୯୭୨... ଚଉଦବର୍ଷ ହେବାକୁ ଚାରିମାସ ଆଉ ଅଠରବର୍ଷ ପୂରିବାକୁ ପାଂଚମାସ ବାକି ଥିବ - ଏଇଭଳି ଏକ ବିଶେଷ ବୟଃସଂଧିର ହିଁ ବିଚ୍ଛୁରିତ ବର୍ଣମାଳା ଇଏ । ପ୍ରଥମେ ପ୍ରକାଶ ପାଇଥିଲା ୧୯୭୬ ମସିହାରେ, ବୟସ ଯେତେବେଳେ ଏକୋଇଶ ବର୍ଷ । ତା’ପରେ ୧୯୭୭ରେ ଲେଖାଯାଇଥିବା ‘ତାରିଖ ନ ଥିବା ଦିନ’ - ଏବଂ ନିଜ ବାଇଶ ବର୍ଷ ବୟସ ପର୍ଯଂତ ଏଠିସେଠି ପଡ଼ିରହିଥିବା କିଛି ଧୂଳିବସା ଧାଡ଼ିସବୁକୁ ଝାଡ଼ିଝୁଡ଼ି ଏବେ ‘କାଲିର କବିତା’ ମୁହଁ କାଢ଼ୁଛି ଆଉଥରେ ।

 

ଶେଷକୈଶୋରରୁ ସଦ୍ୟତାରୁଣ୍ୟକୁ ଛୁଇଁବାକୁ ଯାଉଥିବା ଜଣେ ସ୍ୱପ୍ନସ୍ୱଗତଭାଷୀର ସ୍ୱତଃସ୍ଫୂର୍ତ ସ୍ୱରଶବ୍ଦ ଏସବୁ । ତାର ଅନେକ ସ୍ୱର ଅନୁଦ୍ଦିଷ୍ଟ ହୋଇଯାଇଛି ଉଡ଼ାପତ୍ରର ଉଜୁଡ଼ା ଉଜ୍ଜୟିନୀରେ, ଅନେକ ଶବ୍ଦ ସତ୍ତା ହରାଇଛି ନିଖୋଜ ତାଲିକାର ନଥିପତ୍ରରେ । ଯାହା କିଛି ଦୈବାତ୍‌ ବର୍ତିଯାଇଛି, ତା ଘରପୋଡ଼ିରୁ କେଇଖଂଡି ମାମୁଲି କୁଟାକାଠି ମାତ୍ର - ଏବର ଏଇ ‘କାଲିର କବିତା’ରେ ଏକାଠି । ତିରିଶ/ଚାଳିଶ ବର୍ଷ ତଳର ଖବରକାଗଜ/ପତ୍ରପତ୍ରିକାର ଛାପାଅକ୍ଷରରେ ଛପିଥିଲେ ଛପିଥାଇପାରେ ଆଉକିଛି । ଥାଉ, ଛପିରହିଥାଉ; ଦୁଃଖ ନାହିଁ - କାରଣ ଯାହାର ଏ ସ୍ୱଗତସୁଲଭ ସ୍ୱରଶବ୍ଦ, ତାର କଣ କେବେହେଲେ କବି ହେବାର ଥିଲା ଯେ ଦୁଃଖ?

 

ଉଡ଼ାପତ୍ର ଥିଲା ତା ଅମାନତ; ପତ୍ରଝଡ଼ା ତା ପରୁଆନା ।

କଜଳଗାର ନା ବିଜୁଳିଗାର - କେଉଁଠି ତା କବିତାର ‘କା’ କାଟୁଥିଲା କଳାଗାର, ଧଳାଗାର ? କଳାଧଳା ଛାଇଆଲୁଅର ଛିଟାସବୁରେ ଉଂକିମାରୁଥିଲା ସେଇସବୁ ସାତସାନ ଦିନ ତାର । ବେଜାଏ ବିତିଲାଦିନ । ବିତିଲାଦିନର ବେତଭୋଗେଇରୁ ବାଛିଆଣିଥିବା ବର୍ଷାର ସେ ବରକୋଳିସବୁ କଣ ଥିଲା ତା କଣାପକେଟ୍‌ର କେଇମୁଠା କବିତା ? କେଜାଣି ? ବରଂ କବିତା କଣ କିଛି ବିଂଦୁବିସର୍ଗ ବୁଝୁନଥିବା ବେଳକାଳରୁ ହିଁ ଆବାଦ୍‌ ହୋଇଥିଲା ‘କାଲିର କବିତା’, ଆଉ - କିଛି ବର୍ଷ ପରେ ନିଜର ସାଲତମାମି ନିଭାଇଥିଲା ଗୁଡ଼ିଏ ନୀଳ କି ଗୋଲାପୀ ଲଫାପାର ଠିକଣା ପାଖରେ । ଅର୍ଥାତ୍‌ ଅଧାରୁ ଆରଂଭ, ଅଧାରେ ହିଁ ଶେଷ - ଅନେକ ଅନିର୍ଦିଷ୍ଟ ଆପାତ-କବିତାର ଆଭାଷିତ ଆକୃତିରେ ଭଲପାଇବାର ସେ ଭସ୍ମାଭ ଭଗ୍ନାବଶେଷ । ଏହାର ଛଅବର୍ଷ ପରର ‘କ୍ରୌଂଚମିଥୁନ’ (୧୯୮୨) ଓ ଛବିଶବର୍ଷ ପରର ‘ଡାଇରିର ଶାଇରୀ’ (୨୦୦୨) ବହିଦୁଇଟିକୁ ଏଥିରୁ ପୁଣି ଅପସାରିତ ହୋଇଯାଇଛି ଅନେକ କବିତା । ଅତଏବ୍‌ ଏବର ‘କାଲିର କବିତା’ରୁ ସେଗୁଡ଼ିକ ବାଦ୍‌ । ସେଇ ସ୍ୱୟଂସୃଷ୍ଟ ଶୂନ୍ୟସ୍ଥାନ ପୂରଣ କରିଛି ୧୯୭୭ ପର୍ଯଂତ ନିଜ ନିକାଂଚନ ସମୟର ଶିଳାକ୍ତ ଶିଶିରଲିପି କିଛି - ଯାହାକୁ କିଛି ନ ହେଲେ ବି ଅଂତତଃ ଖଂଡିଏ ଖଂଡିଏ ଅଧାକବିତା ଭାବରେ ଚଳେଇନେବାକୁ ପ୍ରିୟ ପାଠକପାଠିକାମାନଂକୁ ନମ୍ର ନିବେଦନ ।

 

ଏଠି କହିରଖେଁ ଯେ ଚାଳିଶବର୍ଷ ତଳର ସେ ବହିଟି ଅପେକ୍ଷା ଏ ବହିର ଆକାରପ୍ରକାର ଆଉଟିକେ ଅଧିକ ଆକାଂକ୍ଷାର ଆୟତନସ୍ପର୍ଶୀ । ବରଂ କୁହାଯାଉ - ବର୍ତମାନର ଏ ବହିଟି ହେଉଛି ସେ ବହିର ଏକ ନବକଳେବର । ଏହାଛଡ଼ା ୧୯୭୫ ମସିହା ପର୍ଯଂତ କେତୋଟି ପତ୍ରପତ୍ରିକାରେ ପ୍ରକାଶିତ, ଅଥଚ ଅସଂକଳିତ, କିଛି ଫେରାର୍‌ କବିତାକୁ ଏ ବହିର ଫର୍ଦବଂଦୀ କରାଇବା ଲୟରେ, ସମକାଳର ସହୃଦୟ ସାରସ୍ୱତ ସର୍ଜକ ଶ୍ରୀ ସୁଧୀରଚଂଦ୍ର ବେହୁରା, ଡଃ ସତ୍ୟ ପଟ୍ଟନାୟକ ଓ ଡଃ ଫଣୀଂଦ୍ରଭୂଷଣ ନଂଦଂକ ଭବ୍ୟ ଭୂମିକାକୁ ଏଠାରେ ଉଲ୍ଲେଖ ନ କଲେ ଏକ ଅସ୍ପୃହଣୀୟ ଅକୃତଜ୍ଞତା ହେବ ନିଶ୍ଚୟ । ଅବଶ୍ୟ କହିଲେ ଆଦୌ ଅପଳାପ ହେବ ନାହିଁ ଯେ ଏସବୁରୁ ଅଧିକାଂଶ କବିତା ମୋର ନାବାଳକୀ ନାଦୋନ୍ମେଷ ... କବିତା ନାଆଁରେ ହାଇସ୍କୁଲ୍‌ ଆଉ କଲେଜ୍‌ଦିନଗୁଡ଼ିକ ମଝିର କିଛିକିଛି ବଦଭ୍ୟସ୍ତ ବର୍ଣବିକ୍ଷେପଣ ମାତ୍ର ! ଏକପ୍ରକାର ଅପ୍ରଚଳିତ ଭାଷାରୂପରେ ବ୍ୟକ୍ତ ଛିନ୍ନଭିନ୍ନ ଭାବାଂଶଗୁଡ଼ିକର ଗୋଟିଏ ଗୋଟିଏ ଗୈରିକ ଭଗ୍ନସ୍ତୂପ ଯେପରି ଏସବୁ ! କାହିଁ କେଉଁ କାଳରୁ କରଛଡ଼ା କରିଦେଇଥିବା ଏ ଖଂଡବିଖଂଡିତ କାବ୍ୟିକ କଂକାଳଗୁଡ଼ିକୁ ଏମ୍‌.ଏ. ପଢ଼ୁଥିବାବେଳେ ଥରେଅଧେ ସଂଶୋଧନ କରି ସୁଦ୍ଧା ମନଃପୂତ ହୋଇପାରି ନ ଥିଲା ମୋର - ସେସବୁର ସର୍ବନିମ୍ନ ପ୍ରକାଶଯୋଗ୍ୟତାର ସଂଭାବନା ଅନୁଭବ ନ କରିପାରି । ତଥାପି ସତୀର୍ଥ ସୁଧୀରର ଏକାନ୍ୱୟୀ ଅନୁରୋଧ କ’ଣ ଏଡ଼ାଇଦେବା ଏତେ ସହଜ ? ଅତଏବ ପ୍ରାକ୍‌-ସାବାଳକ ପର୍ଯାୟର ଏସବୁ ଅପରିଣତ ପଦସ୍ଫୂର୍ତିକୁ, ଅଳ୍ପକେତୋଟି ଅଂଶବିଶେଷର ଯତ୍‌କିଂଚିତ୍‌ ପରିବର୍ତନପୂର୍ବକ, ଅଂତଭୁର୍କ୍ତ କରିଦିଆଗଲା ଆଜିର ଏ ‘କାଲିର କବିତା’ରେ, ହୋଇଥାଉ ପଛେ ପ୍ରତ୍ୟେକ ଏକ ଏକ ଉପେକ୍ଷଣୀୟ ଉପକର୍ମ ! ଏହି ଦୃଷ୍ଟିରୁ ଚାରୋଟି ଦଶଂଧି ପରେ ଏହାର ପରିବର୍ଧିତ ଦ୍ୱିତୀୟ ସଂସ୍କରଣଟିକୁ - ପ୍ରଥମ ମୁଦ୍ରଣକାଳାନୁଯାୟୀ ‘ଆତ୍ମପ୍ରକାଶ : ୧୯୭୬’ ଇସ୍ତାହାର ଦିଆଯାଇଥିବା ସତ୍ତ୍ୱେ - ନୂତନ ସଂସ୍କରଣ ହିସାବରେ ଉଲ୍ଲେଖ କରାଯାଇଛି ୨୦୧୭ ମସିହାର ମୋହର ମାରି - ମୋ ନିଜ ତରଫରୁ ଅବଶ୍ୟ କିଛିଟା କୁଠାରାହତ କୁଂଠାର କାଠିନ୍ୟ କାଟି !

 

ଅନେକ ଉଦାସ ମଧ୍ୟାଂତର ମୁଁ କଟାଇଛି କବିତାରେ । ଏକାଧିକ ଶୀତଳନିଦ୍ରାର ବିଭିନ୍ନ ବିରତି ବି ଭୋଗିଛି ବର୍ଷବର୍ଷ । କେବେକେବେ ପୁଣି ଉଷୁମ୍‌ ଇଚ୍ଛା ଜାଗିଉଠିଛି ନିଜ ନିକଟକୁ ଲେଉଟିଆସିବା ପାଇଁ । ହେଲେ ତା କଣ କେଭେଁ ଆଉ ସଂଭବ ? ସେଇ ଅସଂଭବ ଅସହାୟତା ହିଁ ମୋ କବିତା - କେତେ ଶାଣିତ ଶରତଫୁଲରେ ଶରବିଦ୍ଧ ତ କେତେ କଠୋର କୋମଳପଣରେ କ୍ରୁଶବିଦ୍ଧ ! ଏ ସ୍ୱୟଂସ୍ୱୀକୃତ ଶାସ୍ତିଭୋଗରୁ ସତରେ ପରିତ୍ରାଣ କାହିଁ ଶେଷ ପର୍ଯଂତ ?

 

ଧ୍ୱନି, ସ୍ୱର, ତାଳ, ଲୟ, ଛଂଦ, ଶବ୍ଦ, ଶୈଳୀ - ସବୁକିଛି ଦଳିଚକଟି ହୋଇ ବଦଳିଯିବାକୁ ଆରଂଭ କରୁଥାଏ ଧୀରେଧୀରେ । ଇଚ୍ଛାଧାରୀ ଆତ୍ମାର ହୁକୁମ୍‌ନାମା ହୋଇଉଠୁଥାଏ କବିତା । କବିତା ତ ନୁହେଁ, ମନେହେଉଥାଏ ଯେମିତି କେଉଁ ହୁମ୍‌ଦାମ୍‌ ହାୱାର ହାତଲେଖା !

 

ଏଣିକି ପତ୍ରଝଡ଼ାର ପୃଥିବୀରେ ଝରାପାଖୁଡ଼ାମାନଂକୁ ସାଉଁଟିନେବାର ସମୟ । ବଦଳୁଥିବା ବେଳକାଳ କବିତାକୁ ଚିହ୍ନାଉଥାଏ ଶବ୍ଦର ନୂଆସକାଳ । ସେ ସକାଳ ନିଜ ଭିତରର ନିରାଲଂବ ନିଶିଭୋର୍‌ - ନିଦ ଭଂଗାଉଥାଏ ନିଖୋଜ ନିଜତ୍ୱକୁ, ଯାହା କ୍ରମେ ପରିବର୍ଜନ କରିବାକୁ ଚାହୁଥାଏ ପରିଚିତ ପରିଭାଷା - ପ୍ରଥାବଦ୍ଧ ପ୍ରକାଶଭଂଗିମା । ଆଉ କାହା ଆଖିବାଟେ ନୁହେଁ, ନିଜ ଆଖିରେ ହିଁ ଏଣିକି ଅନାଇବାକୁ ଇଚ୍ଛା ହେଉଥାଏ ଅକ୍ଷର ଆରପଟର ଅଲଗା ଅଲଗା ଅଂଧାରଆଲୋକକୁ । ମନେ ହେଉଥାଏ, ଯାହା ଉପଭୁକ୍ତ ହେଲା ଏବଯାଏଁ - ଏମିତି ତାର ଆକାରପ୍ରକାର ହେବାର ନ ଥିଲା ହୁଏତ । ଏ ଅକୂଳନଦୀର ଅବବାହିକାରେ କାହିଁ ମୁଁ କେଉଁଠି ? କବିତାରେ ନିଜକୁ ନିଜର ନିଆରା ଠିକଣା ବଢ଼େଇଦେବାର ତାରିଖ କ’ଣ ଧଳାତାରିଖଟେ ? ତାରିଖ ନଥିବା ଦିନ ପଛେପଛେ ଦଉଡ଼ୁଥାଏ ମୁଁ...

 

ପାଠ୍ୟକ୍ରମଭୁକ୍ତ କାବ୍ୟକବିତାର ପ୍ରଶିକ୍ଷଣ ପ୍ରତି କ୍ରମେ ଅମନୋଯୋଗୀ ହୋଇଉଠେ ଉତ୍ତୀର୍ଣକୈଶୋର । ଅନୁଭବ କରେ ଯେ ସଦାସମ୍ମାନାର୍ହ ସାହିତ୍ୟ-ସାର୍‌ମାନେ ତାକୁ କାରୁବାକୀର କରୁଣ ଦୟାନଦୀକୂଳରେ କି କାଳିଜାଈର କାଂଦୁରୀ ଚିଲିକାତୀରରେ ପହଂଚାଇଦେଇପାରଂତି ସିନା - କିଂତୁ କବିତାର କଳାଘୁମର ଭଉଁରୀଆଡ଼କୁ ଯିବାକୁ ହେଲେ ତା ନିଜକୁ ଇ ହେବାକୁ ପଡ଼ିବ ନିଛାଟିଆ ନାଉରିଆ, ମଜଭୁତ ମାଝିଟିଏ । ଯାଇପାରେ କି ନ ଯାଇପାରେ ଅଲଗା କଥା, ହେଲେ ସେଆଡ଼ିକି କାତ ମାରିମାରି କେଇହାତ ମାତ୍ର ମୁହାଁଇଯାଇପାରିଲେ ହିଁ ସେ ଶୁଣିବାକୁ ପାଇପାରେ ଦୂରବର୍ତୀ ଦ୍ୱୀପାଂତରମାନଂକରୁ ବହିଆସୁଥିବା ଦୟାଳୁ ପବନର ପରସ୍ତ ପରସ୍ତ ପଦାବଳୀ । ତା ବି କଣ କମ୍‌ ?

 

କବିତା ପାଖକୁ ପହଂଚିବାକୁ ହୁଏ ବିଭିନ୍ନ ବାଟରେ, ଭିନ୍ନ ଭିନ୍ନ ବାଗରେ ହିଁ ।

ଯେତେବେଳେ ବାଗ ଆଗ, ବାଟ ପଛ - ସେତେବେଳେ କଣ କବିତା କେଉଁଠି ଥାଏ ଆଉ ? ଥାଏ ଖାଲି ଥା ଥା ମା ମା ଥକାପଣ - କବିତା ବଦଳରେ ଦିଶୁଥିବା ଦୁସ୍ତର ଦୂରତା ।

 

‘କାଲିର କବିତା’ - ଏଇ ବାଟ ଆଉ ବାଗ ମଝିରେ ଭୁଆଁ ବୁଲୁବୁଲୁ ଆପେ ଆପଣାକୁ ପର କରିଦେଇଥିବା କେଉଁ ଖଂଡିଉଡ଼ା କଂଚାବୟସର ଖଂଡେ କବୁଲିଅତ୍‌ ।

***

ଉପରେ ଶୀର୍ଷକ ଆଉ ତଳେ ତାରିଖ ପକାଇ କବିତା ଲେଖିବାର ଆଦତ୍‌ ଏବଯାଏଁ ବି ହେଲାନି ମୋ ଦେଇ । ସେଥିପାଇଁ ତାରିଖ ନ ଥିବା ଦିନଗୁଡ଼ିକ ମୋ ପାଇଁ କବିତାର ଦିନ ହୁଅଂତୁ କି ନ ହୁଅଂତୁ, ପରବାୟ ନାହିଁ କିଛି । କେତେବେଳେ କେମିତି ଏ ତାରିଖ ନ ଥିବା ଦିନସବୁ ଘରର ଘେର ବାହାରେ କେଉଁଠି କିଛି ନିଟୋଳ ନିର୍ଜନତାର ସ୍ୱର ଶୁଣିଛି, ଘମାଘୋଟ ବର୍ଷାରେ ଭିଜିଛି, ଧାରେ ବିଜୁଳିଗାରରେ ଅଂଧାରର ଲୁହବୁଂଦା ଦେଖିଛି, ତରା ସହିତ କଥା କହିଛି, ଘାସଫୁଲ ପାଖରେ ଅଟକିଯାଇଛି, କୁହୁଡ଼ିନଈରେ ପହଁରିଛି, ବାରବର୍ଷର ବାଉଁଶରାଣୀକୁ ତା ବାଧକା ବେଳେ ବଡ଼ମେଡିକାଲ ବରଂଡା ଉପରେ ଭେଟିଛି, ବାରବୁଲା ଦଳର ଭାଇଭଉଣୀଯୋଡ଼ିଟିକୁ ବିଦା ଦେଇ ରାତିର ପ୍ଲାଟ୍‌ଫର୍ମ୍‌ରୁ ଏକଲାପଣଟାଏ ଛାତି ଭିତରେ ଚାପିରଖି ଫେରିଆସିଛି, କଚୁଆନ୍‌ର ଖତରା ଘୋଡ଼ାଗାଡ଼ିଟାର ଭଂଗାଚକରେ କଚାରାସ୍ତାର ଚୁଂବନଚିହ୍ନ ଖୋଜିଛି, ଫୁଟ୍‌ପାଥ୍‌ପାଖ ଲଟେରୀ ଦୋକାନକଡ଼ରେ ଦକ୍ଷିଣୀ ଜାଦୁକରର ଦୁଃଖିନୀ ଝିଅଟି ସାଂଗେ ଦୁଃଖସୁଖ ହୋଇଛି, ହୋମ୍‌ପାଇପ୍‌ କଂପାନୀର ଗୁର୍ଖା ଦରୁଆନ୍‌ ପରିବାରରେ କେଇଥର ଲେଂବୁରସମିଶା ଲୁଣିଆ ନାଲି ଚା’ ପିଇଛି, ଆସନ୍ନ ସଂଧ୍ୟାର ସଂକୁଚିତ ସହରକୁ ସୂର୍ଯାସ୍ତରଂଗର ସିଲହଟ୍‌ରେ ସନାକ୍ତ କରିଛି - ସୁମାର ନାହିଁ ସେସବୁର । ଅକାତକାତ ଅତୀତର ଏମିତି କେତେନାକେତେ ଦରଭୁଲା ଦିନକୁ ତାରିଖର ତାଳି ପକାଇ କବିତାର କ୍ୟାଲେଂଡର କରିଦେଇହୁଏ କି କେବେ ? ବେଳେବେଳେ ତ ସବୁତକ ଶିରାଳ ଶୀର୍ଷକ ଲିଭାଇଦେବାକୁ ଇଚ୍ଛାହୁଏ କବିତାଗୁଡ଼ିକର କ୍ଷତାଂକିତ କପାଳ ଉପରୁ ! ଏପରିକି ସୁକୁମାର ଶବ୍ଦମାନଂକୁ ବି ବେନାମୀ ବନର ଶୁଆସାରି କରିଦେଇ ଉଡ଼ାଇଦେବାକୁ ଇଚ୍ଛା ହୁଏ ଫର୍ଦବଂଦୀ ପାଂଡୁଲିପିଟାର ପୁରୁଣା ପଂଜୁରି ଭିତରୁ ! ଅଝଟ ଅକ୍ଷରର ଅଠାକାଠିରେ କାହିଁକି ବା ଛଟପଟ ହେଉଥିବେ ସେଇସବୁ ହଜିଲା ଦିନର ଛାଇ ?

 

ସେଇ ଏକଦା-ଅଂତରଂଗ ଅଥଚ ଅଜ୍ଞାତକୁଳଶୀଳ ଅପସୃତ ଅବଜ୍ଞାତମାନଂକର ସ୍ୱରସବୁ ରହିଯାଏ କବିତାର କୁହୁଡ଼ିକାକର-ଖରାବର୍ଷାଘେରା ଦେଶ-କାଳ-ପାତ୍ରର ଦୁସରା ଦୁନିଆରେ - ସୁଦୂରାଂତର ସ୍ୱପ୍ନବାଣୀ ପରି - ଯେଉଁମାନେ କେବେ ସୁଦ୍ଧା ଆଉ ଅପେକ୍ଷା କରିନଥାଂତି କୌଣସି କୁଳୀନ କୃତଜ୍ଞତାର କ୍ଷୀଣତମ ପ୍ରାପ୍ତିସ୍ୱୀକାର ପାଇଁ । ସେମାନଂକ ଅଣବାହୁଡ଼ା ବାଟଚଲାର ପାଦଶବ୍ଦ କିଂତୁ କବିତାକୁ ଦେଇଯାଉଥାଏ ଧ୍ରୁବପଦୀ ଧ୍ୱନି ।

 

ଈଶ୍ୱର ଯଦି ସତରେ କବିଟିଏ ହୋଇଥାଂତେ, ତା’ହେଲେ କବିମାନଂକୁ ଦ୍ୱିତୀୟ ଈଶ୍ୱର ହେବାକୁ ପଡ଼ିଥାଂତା କାହିଁକି ?

ପ୍ରଥମ ଈଶ୍ୱର ଦେଉଛଂତି - ମୃତ୍ୟୁ । ଦୁଃଖ । ଶୋକ ।

ମାତ୍ର ଦ୍ୱିତୀୟ ଈଶ୍ୱରମାନେ ଦେଇଆସୁଛଂତି - ଆନଂଦାଶ୍ରୁ ।

 

ପିଲାଦିନେ ଭଂଗା ବାଲିଘର ପାଖେ ବସିଥିବାବେଳେ ବି ଏମିତି ଗୁଡ଼ିଏ ଅଡୁଆତଡ଼ୁଆ ଆଡ଼ବାୟାମି ପଶିଆସୁଥିଲା ମନ ଭିତରକୁ । ଦୂରରେ ଦିଶୁଥିବା ଧଳାମଂଦିରର ଦଧିନଉତିକୁ ନ ଅନାଇ ମୁଁ ତେଣୁ ଚାହିଁରହୁଥିଲି ସାମନାର ଶାବନା ସମୁଦ୍ରକୁ । ସେଇ ସାନଦିନରୁ ସୁଦ୍ଧା ବେଶ୍‌ ବୁଝିନେଇପାରିଥିଲି ଯେ କେବେହେଲେ କୌଣସି ଭଜନ ରଚନା ଉଦ୍ଦେଶ୍ୟରେ ଜନ୍ମ ହୋଇନାହିଁ ମୋର । ମଂଦିରକୁ ପିଠି କରିଦେଇ ସେଥିପାଇଁ ମୁହାଁମୁହିଁ ବସିରହିଛି ସଂଜପହରର ସମୁଦ୍ର ସାମ୍ନାରେ ବହୁବାର । କେବେକେବେ ଖୁବ୍‌ ମନହୋଇଛି - ଗୁମ୍‌ସୁମ୍‌ ଗୁଳୁଗୁଳିର ସେ ଗୁମୁଟି-ଗଂଭୀରା ଛାଡ଼ିଦେଇ ଚାଲିଆସଂତେ କି ଈଶ୍ୱର ଏ ସମୁଚ୍ଛଳ ସମୁଦ୍ରକୂଳକୁ - ମୋ ସାଥିରେ ଗମାତ୍‌ କରଂତେ ଗୁଡ଼ିଏ - ଗପଂତେ ଘଡ଼ିଏ - ବାଦାମୀବାଲିରେ ବସି ମୁଚୁମୁଚୁ ହସଂତେ ଟିକିଏ । ସେତେବେଳେ ହେଜିପାରୁନଥିଲି - ଯେତେ ‘ଓଁ’ ଉଚ୍ଚାରି ଉଚ୍ଚାରି ଡାକିଲେ ବି ସେ ଆଦୌ ‘ଓ’ କରୁନଥିବାର କୌଣସି କଳ୍ପନୀୟ କାରଣ ବି । ‘ପଥରରେ ପଥଚ୍ୟୁତ’ ବୋଲି ତାଂକୁ ଅଭିଯୁକ୍ତ କରିଥିଲି ଦିନେ । ପରେ କିଂତୁ ପରିଷ୍କାର ବୁଝିଗଲି ଯେ ସେ ବି ଏକବାରେ ଅସହାୟ - ଖଂଡେ ଫ୍ରେମ୍‌ଚ୍ୟୁତ ଚଷମାର ଯୋଡ଼େ ଯବକାଚ ପରି ଦିଶୁଥିବା ଦୁଇଟି ଗୋଲୋକକୁ ଆପଣାର ଅସଲ ଆଖିଯୋଡ଼ିକ ଭାବରେ ଆଦରିନେଇ, ଅନବରତ ଚାହିଁରହିଛଂତି ପତା ନ ପକାଇ - ରଥରେ ପାଛୋଟି ନ ନେଲେ ପଥ ଦିଶୁନାହିଁ ମୋଟେ ! ହିସାବଦୋରସ୍ତ ବଡ଼ମଣିଷମାନଂକ ବରାଦୀ ହାତରେ ତାଂକୁ ହେବାକୁ ପଡ଼ିଛି କାଠର କଂଢେଇ । ଯଦି ସତକୁସତ ସେ କବିଟିଏ ହୋଇଥାଂତେ, ଏଇସବୁ ସାତସାଉଁଟା ଶବ୍ଦ ବା କଣ ଦରକାର ଥିଲା ତାଂକ ପାଇଁ ? ସେ ତ ପରିଚ୍ଛନ୍ନ ପଦ୍ମପତ୍ର ଉପରେ ସୁଂଦରସୁଂଦର ସ୍ଫଟିକୋପମ ଜଳବିଂଦୁରେ ହିଁ ରଚନା କରୁଥାଂତେ ମହମହ ମହାକବିତା - ମହାମୃତ୍ୟୁଂଜୟୀ ମଂତ୍ରମାଳା ! ମାତ୍ର ମୃତ୍ୟୁ, ଦୁଃଖ, ଶୋକର ମହାମହିମାବଂତ ସେ ମହାପ୍ରୁ ତଥା ଅନଂତଶୟନରତ ଈଶ୍ୱର ଏ ଭୂତଳକୁ ବିଜେ କରି ଅଂଧ-ମୂକ-ବଧିର ହେବାକୁ ଇଚ୍ଛିଲେ କାହିଁକି ? କବି ନ ହୋଇ କଳାକାଠ ପଡ଼ିଗଲେ କାହିଁକି ?

 

‘ଅବାଂତର ଅବତାର’ ଆଖ୍ୟା ଦେଇଥିଲି ତାଂକୁଇ ଏକଦା ।

ସବୁ ଶୁଣି ସେତେବେଳେ ହୁଏତ ସେ ହସୁଥିବେ ଲୁଚାଇଲୁଚାଇ । କବିତା ଆଳରେ ମୋର ପ୍ରଗଳ୍‌ଭ ପ୍ରଳାପସବୁକୁ ପ୍ରତିଧ୍ୱନିମାନ କରି ପଠିଆଇ ଦେଉଥିବେ ମୋ ପାଖକୁ ଫେର୍‌ । କି ରସିକତାପୂର୍ଣ ରହସ୍ୟ ୟେ ?

 

ପିଲାଦିନ : ଖୋଲାଦିନ । ମେଲାଦୁଆରରୁ ମଇଦାନମୁହାଁ ମର୍ଜିମସ୍ତ ଦିନ । ମୁକୁଳାମନର ଦିନ । ଅଭ୍ୟର୍ଥିତ ଅଭିଭାବକମାନଂକଠାରୁ ଅବୋଧ୍ୟ ଈଶ୍ୱରଂକଯାଏଁ - ସମସ୍ତଂକୁ ଅବାଧ୍ୟ ଅବୋଲକରାଟି ପରି ପିଲାଦିନ ତ ପଚାରିଚାଲୁଥିବ ପ୍ରଚୁର ପରିଶ୍ରାଂତିକର ପ୍ରଶ୍ନ । ସିଲାବସ୍‌ ବାହାରର ସବାଆଗ ସବାଲ୍‌ ସେସବୁ । ଡେରା ବାହାରର ଜେରା ।

 

ଏମିତି ଅସୁମାର ଅହେତୁକ ପ୍ରଶ୍ନର ପ୍ରତ୍ୟୁତ୍ତର ନ ପାଇ ଅବଶେଷରେ ମୁଁ ଈଷଦ୍ଧାସୀ ଈଶ୍ୱରଂକ ଆଡ଼ୁ ନଜର ନିକାଲିଆଣି ଯେଉଁ ଦିଗକୁ ମୁହଁ ବୁଲାଇଲାମାତ୍ରେ ବି ସେତେବେଳେ ମୋ ଆଗରେ ସେ ନିରବନିସ୍ତବ୍ଧ ଦିଗଟିମାନ ପାଲଟିଯାଉଥିଲା ଏକ ଏକ ଏକାଂତ ଅପୂର୍ବ ପୂର୍ବଦିଗ - ଯାହାର ଅଭ୍ରବର୍ଣନିଭ ଶୂନ୍ୟପଟଳରେ ଧୂମାଚ୍ଛନ୍ନ ହୋଇଉଠୁଥିଲା ମୋର ସେଇସବୁ ତାରିଖ ନ ଥିବା ସାନସାନ ଦିନ...

 

ତାରିଖ ନ ଥିବା ସାନସାନ ଦିନସବୁ କବିତା ବାହାରର ଦିନ - ଯାହା ସେଇ କମ୍‌ବୟସର ଏ-ଓଳି ସେ-ଓଳିସବୁକୁ କରିଦେଇଥିଲା କେତେ ଦିଗହଜା ଦିପହର, ଗୁମୁରା ଗୋଧୂଳି, ସୁବାସିତ ସଂଜ, ରିମ୍‌ଝିମ୍‌ ରାତି । ଚଉଦବର୍ଷର ବାଉଳାଚାଉଳା ବଉଦସବୁ ଅଠରବର୍ଷର ଅସଂଭାଳ ଆଷାଢ଼ଶ୍ରାବଣ ହୋଇ କାଂଦକାଂଦ କଦଂବବନରୁ ବାଟ ଖୋଜୁଥିଲା ସୋରିଷଫୁଲର ସରୁସରୁ ସଡ଼କଆଡ଼କୁ ।

 

ମଝିରେ ମଝିରେ କାହିଁକି କେଜାଣି ପାଲଛିଂଡା ପାଗଳା ପବନରେ ପିଟିହେଉଥିଲା ପଦେପଦେ ପଂଜରାଫଟା ପ୍ରତିଧ୍ୱନି :

 

ହେ କଦଂବବନ, କହିଦେ, କେଉଁଠି ଇଡ଼ିଗଲା ଅସରା ଅପେକ୍ଷାର ଅସରାଏ ଆଖିପାଣି-? ହେ ହଂସପୁର, କହିଦେ, କହିଦେ, କୁଆଡ଼େ ହଜିଗଲେ ହାଉଲେ ହାଉଲେ ତୋ ହୀନିମାନୀ ଅନେଶୋତ ରାଣୀ ? ହେ ହାୱାମହଲ୍‌, କହିଦେ, କହିଦେ, କହିଦେ, କେତେବେଳେ ହୁଦସ୍ତ ହୁଗୁଳିଗଲା ତୋ ହୁସ୍‌ହୁଡ଼ା ଶୂନ୍ୟକପାଟର ଶହେଆଠ୍‌ ଓଁ କ୍ଳିଂ-ହ୍ଳିଂ-ଶ୍ଳିଂ କିଳିଣୀ ?

ନା, କବିତା କାହାରିକୁ ବି କୌଣସି କୈଫିୟତ୍‌ ଦିଏନା କଦାପି ।